ଭୁବନେଶ୍ବର: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବ୍ୟକ୍ତିବିଶେଷଙ୍କୁ ଶନିବାର ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପଦ୍ମଶ୍ରୀ ଡ଼.ଜିତେନ୍ଦ୍ର ହରିପାଲ, ଚର୍ତୁଭୂଜ ମେହେର, ପଦ୍ମଶ୍ରୀ ପ୍ରମୋଦ ଭଗତ ଏବଂ ପଦ୍ମଶ୍ରୀ ସୁଦର୍ଶନ ସାହୁଙ୍କ ସମେତ ଅନ୍ୟ ପଦ୍ମଶ୍ରୀଙ୍କୁ ସାକ୍ଷାତ କରିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ସେ ଆଲୋଚନା ମଧ୍ୟ କରିଛନ୍ତି । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହା ସହ ଏହି ସାକ୍ଷାତ ବେଳର କିଛି ଫଟୋ ମଧ୍ୟ ସେ ସେୟାର କରିଛନ୍ତି । 

ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, 'ଏହି ବରେଣ୍ୟ ବ୍ୟକ୍ତିଙ୍କ ଉଲ୍ଲେଖନୀୟ ଅବଦାନର ସମ୍ମାନାର୍ଥେ ରାଜ୍ୟ ସରକାର ପଦ୍ମଶ୍ରୀଙ୍କ ପାଇଁ ୩୦,୦୦୦ ଟଙ୍କାର ମାସିକ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହି ପଦକ୍ଷେପ ପାଇଁ ସେମାନଙ୍କ କୃତଜ୍ଞତାରେ ମୁଁ ଅଭିଭୂତ ହୋଇଛି ।' 




ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବାର ଉପାୟ ଉପରେ ଆମେ ଆଲୋଚନା କରିଛୁ । ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ମୋ ପାଇଁ ବହୁମୂଲ୍ୟ । ଗୌରବମୟ ପରମ୍ପରା ଏବଂ ସଂସ୍କୃତିର ଅଗ୍ରଗତି ପାଇଁ ମୋର ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛି । ଆମ ସାଂସ୍କୃତିକ ଆଦର୍ଶମାନଙ୍କୁ ସମ୍ମାନ ଦେବା ଏବଂ ଏହି ସଂଯୋଗକୁ ମଜଭୁତ କରିବା ଆମ ସରକାର ପାଇଁ ଏକ ପ୍ରାଥମିକତା ହୋଇ ରହିଛି ।'