ଶ୍ରୀନଗର,୨୮/୦୪: ପହଲଗାମ ଆତଙ୍କୀ ଆକ୍ରମଣକୁ ଜମ୍ମୁ କାଶ୍ମୀର ବିଧାନସଭାରେ ନିନ୍ଦା କରାଯାଇଛି । ଘଟଣାକୁ ନେଇ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ହୋଇଛି । ଆତଙ୍କୀ ଆକ୍ରମଣକୁ ନିନ୍ଦା କରିବା ସହିତ ଗୃହରେ ସମସ୍ତ ସଦସ୍ୟ ନୀରବ ପ୍ରାର୍ଥନା କରିଛନ୍ତି । ସ୍ୱତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଯାଇଛି । ଗୃହରେ ଅଭିଭାଷଣ ଦେବା ସମୟରେ ଭାବୁକ ହୋଇଥିଲେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ପହଲଗାମ ଆକ୍ରମଣ ଦେଶକୁ ଦୋହଲାଇ ଦେଇଛି । କୌଣସି କାଶ୍ମୀରୀ ଆତଙ୍କୀ ହମଲାକୁ ସମର୍ଥନ କରୁନାହିଁ । ପ୍ରଥମ ଥର କାଶ୍ମୀରବାସୀ ଏକାଠୀ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, 'ଆତଙ୍କବାଦ ଶେଷ ହେବ ଯେବେ ଆମକୁ ଲୋକ ସମର୍ଥନ କରିବେ ସହଯୋଗ କରିବେ। ଏବେ ଏହାର ଆରମ୍ଭ ହୋଇଛି । ଆତଙ୍କବାଦ ବନ୍ଧୁକରେ କଣ୍ଟ୍ରୋଲ ହେବ ଶେଷ ହେବ ନାହିଁ । ଏହା ସେବେ ଶେଷ ହେବ ଯେବେ ଲୋକ ଆମ ସହିତ ରହିବେ । ଆଜି ଆମକୁ ଲାଗୁଛି ଲୋକ ସେହି ସ୍ଥାନରେ ପହଞ୍ଚିଛନ୍ତି ।'

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆତଙ୍କୀ ଆକ୍ରମଣକୁ କେହି ବି କାଶ୍ମୀରବାସୀ ସମର୍ଥନ କରୁନାହାନ୍ତି । ସମଗ୍ର ଦେଶକୁ ଏହା ପ୍ରଭାବିତ କରିଛି । ୨୧ ବର୍ଷ ପରେ ଏତେ ବଡ଼ ଆକ୍ରମଣ ଦେଶକୁ ଦୋହଲାଇ ଦେଇଛି । ମୁଁ ଜାଣିପାରୁନାହିଁ ମୃତକଙ୍କ ପରିବାରକୁ କେମିତି କ୍ଷମା ମାଗିବି । ପର୍ଯ୍ୟଟକଙ୍କୁ ସୁରକ୍ଷିତ ଘରକୁ ପଠାଇବା ମୋର କର୍ତ୍ତବ୍ୟ ଥିଲା । ମୁଁ କରିପାରିଲି ନାହିଁ । ମୋ ପାଖରେ ଶଦ୍ଦ ନାହିଁ କ୍ଷମା ମାଗିବାକୁ । ଜମ୍ମୁର ସୁରକ୍ଷା ଆମର ଦାୟିତ୍ୱ । ମୋତେ କିଛି ଲୋକ ପଚାରିଥିଲେ ଆମର କଣ ଦୋଷ ଥିଲା ? ଆମେ କାଶ୍ମୀର ବୁଲିବାକୁ ଆସିଥିଲୁ ହେଲେ ଆମ ସହ ଏମିତି ଘଟିଲା ବୋଲି ପ୍ରଶ୍ନ କରିଥିଲେ।'