ଭୁବନେଶ୍ଵର, ୧୩/୧୨ : ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜୟନ୍ତୀ। ପଠାଣି ସାମନ୍ତଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା କରି ସେ ସାରା ବିଶ୍ୱକୁ ଚକିତ କରିଥିଲେ । ଜ୍ୟୋତିଷ ଶାସ୍ତ୍ରର ନିର୍ଭୁଲ ଗଣନା ସହ ‘ପଠାଣି ସାମନ୍ତ ପାଞ୍ଜି’ ଭଳି ଅନନ୍ୟ କୃତି ପାଇଁ ସେ ସଦା ସର୍ବଦା ସ୍ମରଣୀୟ ହୋଇ ରହିବେ ।
ମହାନ ଜ୍ୟୋତିର୍ବିଜ୍ଞାନୀ ତଥା ସିଦ୍ଧାନ୍ତ ଦର୍ପଣର ରଚୟିତା ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ ( ପଠାଣି ସାମନ୍ତ )ଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ।
— Mohan Charan Majhi (@MohanMOdisha) December 13, 2025
ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା କରି ସେ ସାରା ବିଶ୍ୱକୁ ଚକିତ କରିଥିଲେ । ଜ୍ୟୋତିଷ… pic.twitter.com/qR3DL0uyaO
୧୮୩୫ ମସିହା ଡିସେମ୍ବର ୧୩ତାରିଖରେ ନୟାଗଡ଼ର ଖଣ୍ଡପଡ଼ା ରାଜବଂଶରେ ପଠାଣି ସାମନ୍ତ ଜନ୍ମଗ୍ରହଣ କରିଥିଲେ । ଖଣ୍ଡପଡ଼ା ନିକଟସ୍ଥ ଖୁଣ୍ଟୁପଡ଼ା ଗ୍ରାମସ୍ଥିତ ମହାଦେବ ଚନ୍ଦ୍ରଶେଖରଙ୍କ ପ୍ରସାଦରୁ ସେ ଜନ୍ମନେଇଥିବା ବିଶ୍ୱାସ କରି ପିତାମାତା ତାଙ୍କର ନାମ ଚନ୍ଦ୍ରଶେଖର ରଖିଥିଲେ । ତାଙ୍କ ଆଗରୁ ଦୁଇଟି ଝିଅ ଓ ଗୋଟିଏ ପୁଅ ମରିଯାଇଥିବାରୁ ସେମାନେ ତାଙ୍କର ଅପର୍ତ୍ତ୍ୟାଣି ନାମ ପଠାଣି ରଖିଥିଲେ । ସେ ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ । ତାଙ୍କ ବାପା ସେହି ସମୟରେ ଜଣେ ପ୍ରଧାନ ଗାଣିତିକ ଓ ଜ୍ୟୋତିଷ ଥିଲେ ଓ ସେ ବାପାଙ୍କଠାରୁ ଶାସ୍ତ୍ର ଆଲୋଚନା ମାଧ୍ୟମରେ ଶିକ୍ଷାଲାଭ କରିଥିଲେ । ସେ ପୁରାତନ ଜ୍ୟୋତିଷ ଶାସ୍ତ୍ରମାନ ଅଧ୍ୟୟନ କରି ତାରା ଜଗତର ଗତିବିଧି ଅନୁଧ୍ୟାନ କରିବା ସହ ସୂକ୍ଷ୍ମ ଯନ୍ତ୍ରମାନ ଉଦ୍ଭାବନ କରିଥିଲେ । ଦୁଇଗୋଟି ବାଉଁଶନଳୀ ସାହାଯ୍ୟରେ ଦୂରଦୂରାନ୍ତର ଗ୍ରହ ମଣ୍ଡଳର ନକ୍ଷତ୍ରମାନଙ୍କର ଗତି ଅବଲୋକନ କରି ସେ ଉପନୀତ ହୋଇଥିବା ସିଦ୍ଧାନ୍ତ ପୁରାତନ ସଂସ୍କୃତ ଜ୍ୟୋତିଷ ଶାସ୍ତ୍ରର ସିଦ୍ଧାନ୍ତ ସହିତ ଅନେକାଂରେ ଅସମାନ ଥିଲା । ତାଙ୍କର ସିଦ୍ଧାନ୍ତରୁ ପ୍ରମାଣିତ ହେଲା ଯେ ପୁରାତନ ଭାରତୀୟ ଜ୍ୟୋତିର୍ବିଦମାନଙ୍କ ଗଣନା ଦିବସରୁ ନକ୍ଷତ୍ର ଜଗତର ସ୍ଥିତି ଗତିର ବଦଳିଯାଇଛି । ତାଙ୍କ ନୂତନ ମୌଳିକ ଗଣନା ଅନୁଯାୟୀ ସେ ସିଦ୍ଧାନ୍ତ ଦର୍ପଣ ପୋଥି ରଚନା କରିଥିଲେ।
ପଠାଣିଙ୍କ ଖ୍ୟାତି ସମଗ୍ର ଦେଶ ଓ ବିଦେଶକୁ ବ୍ୟାପିଯାଇଥିଲା। ତାଙ୍କ ଅବଦାନର ଫଳଶ୍ରୁତି ସ୍ବରୂପ ସମ୍ମାନ ପ୍ରଦାନ ପାଇଁ ୧୮୯୩ ମସିହା ଅଗଷ୍ଟ ୮ ତାରିଖରେ ପଠାଣିଙ୍କ ନିକଟକୁ ବଙ୍ଗ ସରକାର ଚିଠି ଲେଖିଲେ। କଲିକତା ଦରବାରରେ ଯୋଗଦେବାକୁ ଚିଠି ହୋଇଥିଲା। ମାତ୍ର ନିତ୍ୟକର୍ମରେ ବ୍ୟାଘାତ ଯୋଗୁଁ ସେ ସେଠାକୁ ଗଲେ ନାହିଁ। ତେଣୁ ବଡ଼ଲାଟଙ୍କ ମଞ୍ଜୁର କ୍ରମେ କଟକରେ ଏକ ଦରବାର କରିବାକୁ ସ୍ଥିର ହେଲା। ନିଷ୍ପତ୍ତି ମୁତାବକ କଟକରେ ଦରବାର ହୋଇ ସାମନ୍ତଙ୍କୁ ଦରବାର ହଲକୁ ଅଣାଯାଇଥିଲା। ସେଠାରେ ରାଜା, ମହାରାଜା, ରାଜପୁତ୍ର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କୁ ମହାମହୋପାଧ୍ୟାୟ ଉପାଧି ମିଳିଥିଲା। ତେବେ ଗ୍ରହନକ୍ଷତ୍ର କ୍ଷେତ୍ରରେ ନିଜର ଗବେଷଣା ପାଇଁ ରାଜାନୁଗ୍ରହ ଲାଭ କରୁନଥିଲେ। ପଠାଣି ସାମନ୍ତଙ୍କୁ ଏଥିନେଇ ରାଜା ଈର୍ଷା କରୁଥିବା ତାଙ୍କ ପଣନାତିମାନେ କହିଛନ୍ତି। ତାଙ୍କର ରାଜାଙ୍କ ସହିତ ଏଥିନେଇ ଅନେକ ସମୟରେ ତର୍କ ହେଉଥିଲା। ଜୀବନର ଶେଷ ପର୍ଯ୍ୟନ୍ତ ସେ ସ୍ବାଭିମାନୀ ଥିଲେ। ରାଜାଙ୍କ ଆଗରେ ମଥା ନୁଆଇଁ ନଥିଲେ।