ନୂଆଦିଲ୍ଲୀ,୧୩।୧୦: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ଦେହ ଅସୁସ୍ଥ। ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଜାଣିବା ପାଇଁ ସେ ରବିବାର ମଧ୍ୟାହ୍ନରେ ଡେରାଡୁନ୍‌ର ଜଲି ଗ୍ରାଣ୍ଟ ହସ୍ପିଟାଲ ପହଁଞ୍ଚିଥିଲେ। ସିଏମ୍‌ ଯୋଗୀ ସକାଳେ ଗୋରଖପୁରରେ ଥିଲେ, ଯେଉଁଠି ଜନତାଙ୍କୁ ଦର୍ଶନ ବେଳେ ସେ ଶତାଧିକ ଲୋକଙ୍କୁ ଭେଟିଥିଲେ। ଏହାପରେ ଜଣାପଡିଥିଲା ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ଦେହ ଖରାପ ଅଛି। ରବିବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଗୋରଖପୁରରୁ ଡେରାଡୁନ୍ ଅଭିମୁଖେ ବାହାରିଥିଲେ। ସେ ଏୟାରପୋର୍ଟରୁ ସିଧା ହସ୍ପିଟାଲ ଅଭିମୁଖେ ଯାଇଥିଲେ ଓ ମା’ଙ୍କୁ ସାକ୍ଷାତ କରିଥିଲେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତାଙ୍କ ମା’ଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି। ସିଏମ୍‌ ଯୋଗୀଙ୍କୁ ଆଜି ନୂଆଦିଲ୍ଲୀରେ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସାମିଳ ହେବାର ଥିଲା। 

ମିଳିଥିବା ସୂଚନା ଅନୁସାରେ, ସିଏମ୍‌ ଯୋଗୀ ରବିବାର ମଧ୍ୟାହ୍ନରେ ଡେରାଡୁନ୍ ପହଁଞ୍ଚିଥିଲେ। ବିମାନବନ୍ଦରରୁ ସେ ସିଧା ଜଲିଗ୍ରାଣ୍ଟ ହସ୍ପିଟାଲରେ ପହଁଞ୍ଚିଥିଲେ। ସେଠାରେ ନିଜ ମା’ ସାବିତ୍ରୀ ଦେବୀ(ବୟସ ୮୦ ବର୍ଷ)ଙ୍କୁ ଭେଟିଥିଲେ। ସିଏମ୍‌ ଯୋଗୀ କିଛି ସମୟ ମା’ଙ୍କ ସହ କଥା ହୋଇଥିଲେ। ସେ ଡାକ୍ତରଙ୍କୁ ମଧ୍ୟ ତାଙ୍କ ଦେହ ବିଷୟରେ ପଚାରି ବୁଝିଥିଲେ। ସିଏମ୍‌ ଯୋଗୀଙ୍କୁ ଦେଖି ଡେରାଡୁନ୍‌ ଏୟାରପୋର୍ଟରୁ ଜଲିଗ୍ରାଣ୍ଟ ହସ୍ପିଟାଲ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଥିଲା। ଏହି ସମୟରେ ଯୋଗୀଙ୍କ ସହ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଥିଲେ।