କଟକ,୧୭/୦୩: କାଠ ଚୁଲା ସାଙ୍ଗକୁ ଗ୍ୟାସ୍ ଚୁଲା ହେବ । ତାହାବାଦ୍ ମୃତଦେହ ସଂସ୍କାର କରିବାକୁ ଆସୁଥିବା ଲୋକଙ୍କ ପାଇଁ ସବୁ ମୌଳିକ ସୁବିଧା ରହିବ । ପ୍ରବେଶଦ୍ୱାରରୁ ନେଇ ଚତୁଃପାଶ୍ୱର୍କୁ ସୌନ୍ଦର୍ଯ୍ୟକରଣ କରାଯିବ । ଶ୍ମଶାନ ଭିତରେ ଥିବା କିଛି ବିଶିଷ୍ଟ ବ୍ୟକ୍ତିବିଶେଷ ସମାଧି ପୀଠ ତଥା ସ୍ମୃତି ଫଳକୁ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯିବ । ଏଭଳି ଅନେକ କିଛି ଯୋଜନା ସହ କଟକ ମହାନଗର ନିଗମ(ସିଏମ୍‌ସି ) ପକ୍ଷରୁ ସତୀଚୌରା ଶ୍ମଶାନକୁ ନୂଆ ରୂପ ଦିଆଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ କରାଯାଇ ସିଏମ୍‌ସି ପକ୍ଷରୁ ୭ କୋଟି ଟଙ୍କାର ଟେଣ୍ଡର୍ ଆହ୍ୱାନ ହୋଇଛି । ଖୁବ୍ ଶୀଘ୍ର କାମ ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

କଟକ ସହରରେ ପାଖାପାଖି ୨୪ଟି ଶ୍ମଶାନ ରହିଛି । ଏଥିରେ ସିଏମ୍‌ସି ପ୍ରାୟ ୫ଟି ପ୍ରମୁଖ ଶ୍ମଶାନର ରକ୍ଷଣାବେକ୍ଷଣ କରୁଛି । ଖାନ୍‌ନଗର କାଠ ଚୁଲା, ଖାନନଗର ଗ୍ୟାସ୍ ଚୁଲା, ବିଡ଼ାନାସୀ, ସତୀଚୌରା ଓ କାଳିଆବୁଦା ଶ୍ମଶାନର ସମସ୍ତ ଦାୟିତ୍ୱ ସିଏମ୍‌ସି ଅଧୀନରେ ରହିଛି । ତେବେ ଏସବୁ ମଧ୍ୟରେ ଅନ୍ୟତମ ହେଉଛି ସତୀଚୌରା ଶ୍ମଶାନ । ଯେଉଁଠି କଟକ ସହରର ବହୁ ଲୋକଙ୍କ ସତ୍କାର କରାଯାଇଥାଏ । ଏଠାରେ ଖୋକା ଭାଇଙ୍କ ଠାରୁ ଆରମ୍ଭ କରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ପୀଠ ରହିଛି । କିନ୍ତୁ ଦୀର୍ଘ ଦିନ ହେବ ଉକ୍ତ ଶ୍ମଶାନ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିରହିଛି । ଏହାକୁ ଗ୍ୟାସ୍ ଚୁଲାରେ ପରିଣତ କରିବା ପାଇଁ ପୂର୍ବରୁ ସିଏମ୍‌ସି ଅନେକ ଥର ଯୋଜନା କରିଥିଲେ ମଧ୍ୟ ତାହାକୁ ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ କରିବା ବଦଳରେ ସମୟ ଗଡ଼ି ଚାଲିଥିଲା । ଏଭଳି ସ୍ଥିତିରେ ସିଏମ୍‌ସି ପକ୍ଷରୁ ଏବେ ସତୀଚୌରା ଶ୍ମଶାନକୁ ନବୀକରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି । ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ସହିତ ଶୌଚାଳୟ ଆଦି ବ୍ୟବସ୍ଥା ରହିବ । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗ୍ୟାସ୍ ଚୁଲା କାର୍ଯ୍ୟକ୍ଷମ କରାଯିବ । ଯନ୍ତ୍ରୀ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ପ୍ରକଳ୍ପର ଏକ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ସରିଛି । ଆସନ୍ତା ଦିନରେ କାଳିଆବୁଦା ଆଦି ଶ୍ମଶାନର ନବୀକରଣ କରାଯିବ ବୋଲି ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି