ଭୁବନେଶ୍ୱର,୨୪/୧୨ : ଲୋକସେବା ଭବନ ଠାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଉପସ୍ଥିତ ଥିଲେ । ବୈଠକର ଆଲୋଚନାରୁ ଜଣାପଡିଛି ଯେ, ଆଜି ପର୍ଯ୍ୟନ୍ତ ରାଜ୍ୟର ୧୨ଟି ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଚାଲୁ ରହିଛି ଏବଂ ୧୭ଟି ଜିଲ୍ଲାରେ ଟୋକନ ପ୍ରଦାନ କରାଯାଇଛି । ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ ୫ଟି ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ । ୧୦ଜାନୁଆରୀ ୨୦୨୬ମଧ୍ୟରେ ସବୁ ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ।
- ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
- ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ
- ଧାନ କିଣା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ଅଣଧାନ ଫସଲକୁ ପ୍ରୋତ୍ସାହନ ଦେବାକୁ ବୈଠକରେ ମତପ୍ରକାଶ
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୧,୧୧,୧୨୮ ଜଣ କୃଷକ ତାଙ୍କର ୪,୯୭,୫୯୪ ମେଟ୍ରିକ୍ ଟନ୍ (MT) ଧାନ ବିକ୍ରୟ କରିପାରିଛନ୍ତି । ଏ ପର୍ଯ୍ୟନ୍ତ ଏଥିପାଇଁ ପ୍ରାୟ ୧୦୫୬.୦୮କୋଟି ଟଙ୍କାର ଅର୍ଥପ୍ରଦାନ କରାଯାଇଛି । ବୈଠକରେ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍ ଉପରେ ଆଞ୍ଚ୍ ନ ଆସିବ, ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମିଲର୍ ମାନେ ଯେପରି ଚାଷୀମାନଙ୍କ ଠାରୁ ଠିକ୍ ଭାବରେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପାଇବେ ସେଥିପ୍ରତି ଶତପ୍ରତିଶତ ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ଅଣଧାନ ଫସଲ ସଂଗ୍ରହ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ବିଶେଷ କରି ମାଣ୍ଡିଆ, ଡାଲି ଜାତୀୟ ଫସଲ ଓ ତୈଳବୀଜ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା ।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, କ୍ୟାବିନେଟ ମନ୍ତ୍ରୀଗଣ ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ, କୃଷିବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।