ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ(ଆଇସିଜି)ର ଏକ ଜାହାଜ ଲକ୍ଷ୍ମୀଦୀପର ୟୁନିଅନ୍ ଟେରିଟୋରିରେ ନିଖୋଜ ହୋଇଯାଇଥିବା ଡଙ୍ଗାରୁ ୨୨ ଜଣ ମହିଳା ଓ ୨୩ ଜଣ ଶିଶୁଙ୍କ ସମେତ ୫୪ ଯାତ୍ରୀଙ୍କୁ ଉଦ୍ଧାର କରିଛି। ଦୁର୍ଘଟଣାର ଶିକାର ହୋଇଥିବା ଉକ୍ତ ଡଙ୍ଗା କଭାରତୀରୁ ସୁହେଲିପାର ଦ୍ୱୀପକୁ ଯାଉଥିଲା।
୫୪ ଜଣଙ୍କୁ ନେଇ ଗନ୍ତବ୍ୟସ୍ଥଳକୁ ଯାଉଥିବା ଡଙ୍ଗାଟି ହଠାତ୍ ଦିଗହରା ହୋଇ କୋଉଁଆଢେ ନିଖୋଜ ହୋଇଯାଇଥିଲା। ଏ ସମ୍ପର୍କରେ ଲକ୍ଷ୍ମୀଦୀପଠାରୁ ସୂଚନା ମିଳିବା ପରେ ତଟରକ୍ଷୀ ବାହିନୀ ତୁରନ୍ତ ପଦକ୍ଷେପ ନେଇ ନିଖୋଜ ଡଙ୍ଗାକୁ ଖୋଜିବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ।
ସୂଚନା ମୁତାବକ, ଜାନୁୟାରୀ ୧୪ ତାରିଖରେ, ଅପରାହ୍ନ ୨ଟା ୩୦ ମିନିଟ ସମୟରେ ଲକ୍ଷ୍ମୀଦ୍ୱୀପ ପ୍ରଶାସନ କୋଷ୍ଟଗାର୍ଡ ମୁଖ୍ୟାଳୟ ନମ୍ବର ୧୨ କଭାରତୀଙ୍କ ଠାରୁ ୫୪ ଜଣ ଯାତ୍ରୀ ଏବଂ ୩ ଜଣ କର୍ମଚାରୀଙ୍କ ସହ ଏକ ଡଙ୍ଗା ନିଖୋଜ ହୋଇଯାଇଥିବା ସମ୍ପର୍କରେ ଭାରତୀୟ ତଟରକ୍ଷୀ ବାହିନୀକୁ ସୂଚନା ଦେଇଥିଲେ। ଏହି ଡଙ୍ଗା ଜାନୁଆରୀ ୧୪ ରେ ସକାଳ ୧୨ଟା ୧୫ରେ କଭାରତୀରୁ ସୁହେଲିପାର ଦ୍ୱୀପ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଯାହା ସକାଳ ୯ଟା ସୁଦ୍ଧା ସୁହେଲିପାରରେ ପହଞ୍ଚିବ ବୋଲି ଆଶା କରାଯାଉଥିଲା। ହେଲେ ଡଙ୍ଗାଟି ପୂର୍ବ ନିର୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳରେ ନ ପହଞ୍ଚି ବିଳମ୍ବ କରିଥିଲା। ଡଙ୍ଗାରେ ମୋଟ ୫୪ ଜଣ ଯାତ୍ରୀ ଥିଲେ, ଯେଉଁଥିରେ ୨୨ ଜଣ ମହିଳା, ୯ ଜଣ ପୁରୁଷ, ୩ ଜଣ ନବଜାତ ଶିଶୁ ଏବଂ ୨୦ ଜଣ ଶିଶୁ ରହିଥିଲେ।
କୋଷ୍ଟଗାର୍ଡ ସୂଚନା ଦେଇଛନ୍ତି ଯେ, ଏହି ଖବର ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ କଭାରତୀରେ ରିମୋଟ ଅପରେଟିଂ ଷ୍ଟେସନ(ROS) ମାଧ୍ୟମରେ ନିଖୋଜ ହୋଇଯାଇଥିବା ଡଙ୍ଗା ନିମନ୍ତେ ତୁରନ୍ତ ସର୍ଚ୍ଚ ଆଣ୍ଡ ରେସକ୍ୟୁ(SAR) ଅପରେସନ୍ ଆରମ୍ଭ କରାଯାଇଥିଲା। ଖୋଜିବାର କିଛି ସମୟପରେ ନିଖୋଜ ଡଙ୍ଗାଟି ସମୁଦ୍ର ମଝିରେ ଫଶି ରହିଥିବା ତଟରକ୍ଷୀ ବୀହିନୀ ଦେଖିବାକୁ ପାଇଥିଲେ। ତେବେ ଡଙ୍ଗାର ଇଞ୍ଜିନରେ ହଠାତ ବୈଷୟିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା ସମୁଦ୍ରର ମଧ୍ୟଭାଗରେ ଅଟକି ରହିଥିଲା ବୋଲି ତଟରକ୍ଷୀ ବାହିନୀ ସୂଚନା ପ୍ରଦାନ କରିଛନ୍ତି।