ଜଗତସିଂହପୁର,୦୪/୦୮: ଭୁଲ୍‌ ବୁଝାମଣା ଓ ପ୍ରେମ  ସଂପର୍କକୁ କେନ୍ଦ୍ର କରି ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୧୦ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଙ୍କୁ ନିର୍ଘାତ ମାଡ଼ ମରାଯାଇଛି ।  ଆକ୍ରମଣକାରୀଙ୍କ ଭିତରେ କିଛି କଲେଜ ଛାତ୍ର ଥିବା ମଧ୍ୟ  ଅଭିଯୋଗ ହୋଇଛି । ଛାତ୍ରଙ୍କ ମା’ଙ୍କ ଏତଲା ଉପରେ ଗତ ୧ରେ ଜଗତସିଂହପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଅଭିଯୋଗ ମୁତାବକ, ସ୍ଥାନୀୟ ହାଟବଜାର ଅଞ୍ଚଳର  ଜଣେ ନାବାଳକ ସହରର ଏକ ଘରୋଇ ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ଉକ୍ତ ବିଦ୍ୟାଳୟରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କୁ ଅନ୍ୟ ଏକ ସ୍କୁଲ୍‌ର କେହି ଜଣେ ଛାତ୍ର ଭଲ ପାଉଛନ୍ତି । ତେବେ ସଂପୃକ୍ତା ଛାତ୍ରୀଙ୍କ ସହ  ହାଟବଜାରର ଅଞ୍ଚଳର ଏହି ଛାତ୍ର କଥା ହେଉଥିବା ଅନ୍ୟ  ଛାତ୍ରମାନଙ୍କଠାରୁ ଜାଣି ଭଲ ପାଉଥିବା ଛାତ୍ର ଜଣଙ୍କ ଯିବା  ଆସିବା ସମୟରେ ହଇରାଣ କରି ଆସୁଥିଲେ । ଗତ ୨୮  ତାରିଖ ଅପରାହ୍ନ ପରେ ଛାତ୍ର ଜଣଙ୍କ ଘରକୁ ନଫେରିବାରୁ  ପରିବାର ଲୋକ ସନ୍ଧାନ ଲଗାଇଥିଲେ । ଏବଂ ଉକ୍ତ ବିଦ୍ୟାଳୟ  କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ ଏକ ଫୋନ୍‌  କଲରୁ ଛାତ୍ର ଜଣଙ୍କ ରାସ୍ତା କଡ଼ରେ ପଡ଼ିଥିବା ପରିବାର  ବର୍ଗ ଜାଣିବାକୁ ପାଇଥିଲେ । ଖବର ପାଇବା ମାତ୍ରେ ଛାତ୍ରଙ୍କ  ମା’ ଠିକଣା ଜାଗାରେ ପହଞ୍ଚିଥିଲେ ଏବଂ ୩ ଜଣ ପିଲା ସଂଘବଦ୍ଧ ହୋଇ ସ୍କୁଲ୍‌ ଛୁଟିରେ ପରେ ଏହି ଛାତ୍ରଙ୍କୁ  ଳପୂର୍ବକ ଅନ୍ୟ ଜାଗାକୁ ଟେକିନେଇ ନିର୍ଘାତ ମାଡ଼ ମାରିଥିବା  ଜାଣିବାକୁ ପାଇଥିଲେ। ଆକ୍ରମଣକାରୀଙ୍କ ଭିତରେ ଜଣେ ମୋର ଗାର୍ଲଫ୍ରେଣ୍ଡ୍‌ ସହ କଥା ହେଲେ ହତ୍ୟା କରି ଅଖାରେ  ଭର୍ତ୍ତି କରି ନାଳରେ ଭସାଇ ଦେବାର ଧମକ ବି ଦେଇଛନ୍ତି ।

ଏଭଳି ବର୍ବର ଆକ୍ରମଣରେ ଛାତ୍ରଙ୍କ ପରିବାର ଆତଙ୍କିତ  ଅବସ୍ଥାରେ ରହିଛନ୍ତି । ଆଗାମୀ ଦିନରେ ମଧ୍ୟ ସ୍କୁଲ୍‌କୁ ଯିବା  ସମୟରେ ଆକ୍ରମଣ ଯେ ନହେବ ସେଥିନେଇ ପରିବାର ଚିନ୍ତିତ  ହୋଇ ଉଠିଛନ୍ତି । ଅଭିଯୋଗପତ୍ରରେ ମଧ୍ୟ ଏହି ପିଲାମାନେ  ବିଜୁଳି ବେଗରେ ବାଇକ୍‌ ଚଳାଇ ଅନ୍ୟମାନଙ୍କୁ ଅସୁବିଧାରେ  ପକାଇବା ସହ ନିଶାସକ୍ତ ରହୁଛନ୍ତି ଏବଂ ଫୋନ୍‌ରେ ଅଶ୍ଲୀଳ  ଗାଳିଗୁଲଜ କରୁଥିବା ଉଲ୍ଲେଖ ହୋଇଛି ।