ଗୋଲାମୁଣ୍ଡା ୦୮/୦୯: ଗୋଲାମୁଣ୍ଡା  ଥାନା ଦଶପୁର ଫାଣ୍ଡି ଅଧିନ ବନ୍ଧାଗାଁର  ଜଣେ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା  ଘଟଣାରେ ସ୍ଥାନୀୟ ସ୍କୁଲର ଜଣେ ଶିକ୍ଷକ  ଗିରଫ ହୋଇଛନ୍ତି । ଗିରଫ ଶିକ୍ଷକ  ଜଣକ ହେଲେ ସରକାରୀ ଉଚ୍ଚପ୍ରାଥମିକ  ବିଦ୍ୟାଳୟର ଶିକ୍ଷକ ସୁନୀଲ ଚନ୍ଦ୍ର  ଭୋଇ । ତାଙ୍କ ଘର କେସିଙ୍ଗା ଥାନା  ଅନ୍ତର୍ଗତ ବ୍ରାହ୍ମଣୀ ଗାଁରେ ।

ପୁଲିସ  ସୂଚନା ଅନୁଯାୟୀ, ବନ୍ଧାଗାଁର ଜଣେ କଲେଜ ଛାତ୍ରୀଙ୍କ ସହ  ସେଠାକାର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ  ସୁନୀଲର ବର୍ଷେ ହେଲା ପ୍ରେମସମ୍ପର୍କ ଗଢି ଉଠିଥିଲା ।  ଛାତ୍ରୀ ଜଣକଙ୍କୁ ବିଭିନ୍ନ ପ୍ରଲୋଭନ ଓ ବିବାହ ପ୍ରତିଶ୍ରୁତି  ଦେଇ ଶିକ୍ଷକ ଜଣକ ଅନେକ ଥର ଯୌନ ଶୋଷଣ  କରିଥିଲେ । କୌଣସି କାରଣରୁ ଦୀର୍ଘ ୨ମାସହେବ ଉଭୟ  ପ୍ରେମସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଶିକ୍ଷକ ଜଣକ  ଉକ୍ତ ଛାତ୍ରୀ ସହ କଥାବାର୍ତ୍ତା ହେବା ସମ୍ପୂର୍ଣ୍ଣ  ରୂପରେ ବନ୍ଦକରି ଦୂରେଇ ଯାଇଥିଲେ ।  ଏଣୁ ଛାତ୍ରୀ ଜଣକ ଲୋକଲଜ୍ଜା ଭୟ ଓ  ଶିକ୍ଷକଙ୍କ ପ୍ରତାରଣା ସହିନପାରି ଗତ  ୩୧.୮.୨୫ତାରିଖ ନିଜ ଘରେ ବିଷପିଇ  ଆତ୍ମହତ୍ୟା କରିଥିଲେ । ଖବରପାଇ  ଦଶପୁର ଫାଣ୍ଡି ଅଧିକାରୀ ସୁଶାନ୍ତ ପଣ୍ଡା  ପହଞ୍ଚି ଶବ ଜବତ କରିଥିଲେ । ଶବ  ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ  ଶବ ହସ୍ତାନ୍ତର କରିଥିଲେ । ଘଟଣାସ୍ଥଳରୁ ଛାତ୍ରୀଙ୍କ ଏକ  ଡାଏରୀ ଓ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ  ହୋଇଥିଲା । ପୁଲିସ ଏହାର ଖୋଳତାଡ଼ କରିଥିଲା ।  ଏଥିରେ ସଂପୃକ୍ତ ଶିକ୍ଷକଙ୍କ ସଂପୃକ୍ତି ଜଣାପଡ଼ିଥିଲା ।  ଏହାକୁ ଆଧାରକରି ପୁଲିସ ଏକ ମାମଲା ରୁଜୁକରି ଶିକ୍ଷକ  ସୁନୀଲ ଚନ୍ଦ୍ର ଭୋଇଙ୍କୁ ଗିରଫକରି ଆଜି କୋର୍ଟଚାଲାଣ  କରିଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।