ମାଲକାନଗିରି, ୧/୯(ଆପ୍ର ): ସୀମାନ୍ତ ଗାଁକୁ ଯାଇ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପରଖିଛନ୍ତି ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ।  ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ ପରେ ଜିଲ୍ଲାପାଳ ପଦ୍ମଗିରି  ଏସଏସଡି ଉଚ୍ଚ ବିଦ୍ୟାଳୟ  ଗସ୍ତ କରି   ମଧ୍ୟାହ୍ନ ଭୋଜନର ମାନ ପରଖିଛନ୍ତି  ।  ଏହି ଅବସରରେ ପାଠପଢା କେମିତି ଚାଲିଛି ପିଲାମାନଙ୍କୁ  ପଚାରି ବୁଝିଥିଲେ ଜିଲ୍ଲାପାଳ। ପିଲାଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ସେହିପରି ଉକ୍ତ ସ୍କୁଲର ଭିତ୍ତିଭୂମି ପରିଦର୍ଶନ କରିବା ସହ ଉନ୍ନୟନ କାମ ବୁଲି ଦେଖିଥିଲେ ଜିଲ୍ଲାପାଳ। ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ଦେବା ପାଇଁ ଜିଲ୍ଲାପାଳ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । 

ପଦ୍ମଗିରି ପଞ୍ଚାୟତରେ ଅଭିଯୋଗ ଶୁଣାଣୀ ପରେ ସମସ୍ତ ଅଧିକାରୀମାନେ ବିଭିନ୍ନ ବିଦ୍ୟାଳୟ ଯାଇ ମଧ୍ୟାହ୍ନ ଭୋଜନର ମାନ ପରଖି ଥିଲେ। ଆରକ୍ଷୀ ଅଧିକ୍ଷକ ଖରାପଲ୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉପଜିଲ୍ଲାପାଳ ତଳସାହି  ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ପଞ୍ଚାୟତର ନିକଟସ୍ଥ ଅନ୍ୟାନ୍ୟ ବିଦ୍ୟାଳୟ ଯଥା ସିନ୍ଧରୀମାଲ, ବାଂଟିଗୁଡା, ଜଦୁଗୁଡା, ବିଲାପାରି ଇତ୍ୟାଦି ବିଦ୍ୟାଳୟରେ ଅଧିକାରୀମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଆସନ୍ତା ଦିନରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟାହ୍ନ ଭୋଜନର ସ୍ଵାଦ ଓ ମାନ ସୁନିଶ୍ଚିତ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ   ଚିତ୍ତରଞ୍ଜନ ପାଣଗ୍ରାହୀ ସୂଚନା ଦେଇଛନ୍ତି।