ମାଲକାନଗିରି, ୨୦।୧: ଆରମ୍ଭ ହୋଇଛି ସମ୍ମୀଳିତ ଆନ୍ତଃରାଜ୍ୟ ଅଭିଯାନ । ଓଡ଼ିଶାର ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କର ଏକ ସମ୍ମୀଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଛି । କହିରଖୁ କି, ରବିବାର ରାତିରୁ ଓଡ଼ିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିମି ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିଥିଲା । ସେହି ଅନୁଯାୟୀ, ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଶି ଏହି ସମ୍ମିଳୀତ ଅଭିଯାନ ଆରମ୍ଭ କରିଛନ୍ତି । ଅନ୍ୟପଟେ ଛତିଶଗଡ଼ର ବିଜାପୁର ଜିଲ୍ଲା ଅନ୍ତର୍ଗତ ପୂଜାରୀ କାଙ୍କେରସ୍ଥିତ ଜଙ୍ଗଲରେ ଗୁରୁବାର ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା । ସୁରକ୍ଷା କର୍ମୀଙ୍କ ନିର୍ଘାତ ଗୁଳିମାଡ଼ରେ ୧୮ ଜଣ ମାଓବାଦୀ ନିପାତ ହୋଇଥିଲେ ।
ସୂଚନା ମୁତାବକ, ଗୁରୁବାର ସକାଳେ ଛତିଶଗଡ଼ ବିଜାପୁର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । କୁମ୍ବିଂ ଅପରେସନ୍ରେ ବିଜାପୁର, ଡିଆରଜି ସୁକମା, ଡିଆରଜି ଦନ୍ତେୱାଡ଼ା, କୋବ୍ରାର ପୃଥକ ପୃଥକ ବାଟାଲିୟନ ଏବଂ ସିଆର୍ପିଏଫ୍ର ପ୍ରାୟ ୧୨୦୦ରୁ ୧୫୦୦ ଯବାନ ସାମିଲ ହୋଇଥିଲେ । ଦକ୍ଷିଣ ବିଜାପୁରରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିଥିଲା । ଏଥିରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଥିଲା । ଏହି ଏନ୍କାଉଣ୍ଟରରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା କହିଥିଲା ଛତିଶଗଡ଼ ପୋଲିସ । ହେଲେ ପରେ ୧୨ ନୁହେଁ ୧୮ ଜଣ ମାଓବାଦୀ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଜଣାପଡ଼ିଥିଲା । ତାହା ପୁଣି ଦକ୍ଷିଣ ବସ୍ତର ମାଓ ସଂଗଠନ ପକ୍ଷରୁ ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରାଯାଇଥିଲା । ସେହିପରି ମାଓ ସଂଗଠନ ପକ୍ଷରୁ ମାଓନେତା ଦାମୋଦରଙ୍କ ଏକ ଫଟୋ ମଧ୍ୟ ଜାରି କରାଯାଇଥିଲା । ଯେଉଁଥିରେ ପୋଲିସ ଗୁଳିରେ ଦାମୋଦର ନିହତ ହୋଇଥିବା କଥା ସ୍ପଷ୍ଟ କରିଥିଲେ । ଚିଠିରେ ଆହୁରି ଲେଖା ଅଛି ଯେ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର ପରେ ୧୨ ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ, ବାକି ୬ ଜଣଙ୍କ ମୃତଦେହକୁ ଏନକାଉଣ୍ଟର ପରେ ସାଥୀମାନେ ନେଇଯାଇଥିଲେ ।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଜାନୁଆରୀ ୧୨ରେ ବିଜାପୁର ଜିଲ୍ଲାର ନ୍ୟାସନାଲ ପାର୍କ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ ସନ୍ଦିଗ୍ଧ ମାଓବାଦୀ ନିପାତ ହୋଇଥିଲେ । ଜାନୁଆରୀ ୯ରେ ସୁକମା ଜିଲ୍ଲାର ଆଉ ଏକ ଅପରେସନରେ ୩ ମାଓବାଦୀ ପ୍ରାଣ ହରାଇଥିଲେ । ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦର ଅନ୍ତ ଘଟିବା ନେଇ ଜାନୁଆରୀ ୬ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ । ସରକାରଙ୍କ ନିଷ୍ପତ୍ତି ସ୍ୱରୂପ ସେବେଠାରୁ ମାଓ ଦମନ ଅଭିଯାନ ତ୍ୱରାନ୍ୱିତ ହୋଇଛି ।