ଭୁବନେଶ୍ୱର,୨୭/୦୩ (ମନୋରଞ୍ଜନ ମହାନ୍ତି): ଆଜି ବି ନାଟକକୁ ନେଇ ନାଟୁଆର ସଂଘର୍ଷ ଆଉ ସଂଗ୍ରାମ ସରିନାହିଁ । ପ୍ରତିଟି ସମୟରେ ଜୀବନ ଜୀବିକାର ଦୋଛକିରେ ଛନ୍ଦି ହେଉଛି । ଦ୍ୱନ୍ଦ୍ୱ, ନାନାଦି ସମସ୍ୟା ଏବଂ ଆହ୍ୱାନକୁ ସାମ୍ନା କରୁଛି । ସେଭିତରେ କେତେବେଳେ ଜୀବନ ରଙ୍ଗମଞ୍ଚରେ ଅଭିନୟ ସରିଯାଉଛି, ସେ ଜାଣିପାରୁନି । ତଥାପି ନାଟକ ଚାଲିଛି... ।
ବର୍ତ୍ତମାନ ଓଡ଼ିଶାରେ ନାଟ୍ୟ ଆନ୍ଦୋଳନ ଶୀର୍ଷରେ ରହିଛି । ରାଜ୍ୟର କୋଣ ଅନୁକୋଣରେ ୨୦୦ରୁ ଅଧିକ ନାଟ୍ୟ ସଂସ୍ଥା ଓଡ଼ିଆ ସହ ବିଭିନ୍ନ ଭାଷାରେ ନାଟକ କରୁଛନ୍ତି । ପ୍ରତି ସନ୍ଧ୍ୟାରେ ନାଟକ ହେଉଛି । ରାଜଧାନୀ ଭୁବନେଶ୍ୱରରେ ତ ଦୈନିକ କୌଣସି ନା କୌଣସି ସଂସ୍ଥା ରବୀନ୍ଦ୍ର ଓ ଭଞ୍ଜ କଳାମଣ୍ଡପରେ ନାଟକ କରୁଛନ୍ତି । କିଏ ଟିକେଟ୍ ସୋ’ ତ ପୁଣି କିଏ ମାଗଣା ଦେଖାଉଛି । କେହି ପେସାଦାର ନୁହନ୍ତି, ତଥାପି ୫୦ ହଜାରରୁ ଅଧିକ ଲୋକ ଜଡ଼ିତ ରହିଛନ୍ତି । ଆଜି ବି ଯଦି ନାଟକ ବଞ୍ଚିଛି ତେବେ ଏହି ସୌଖୀନ ନାଟ୍ୟସଂସ୍ଥାମାନଙ୍କ ପାଇଁ ।
ରାଜ୍ୟରେ ଗଢ଼ି ଉଠିଥିବା ଛୋଟ ବଡ଼ ଅନୁଷ୍ଠାନମାନଙ୍କ ଦ୍ୱାରା ବର୍ଷରେ ପାଖାପାଖି ୧୫ରୁ ଅଧିକ ରାଜ୍ୟସ୍ତରୀୟ ଉତ୍ସବ ଏବଂ ୧୭ରୁ ଅଧିକ ଜାତୀୟ ନାଟ୍ୟ ଉତ୍ସବ ହେଉଛି । ସରକାର ବି ରାଜ୍ୟ ଓ ଜାତୀୟ ନାଟ୍ୟ ଉତ୍ସବ କରୁଛନ୍ତି । ୨୦୧୨ରୁ ମାସିକ ନାଟକ କାର୍ଯ୍ୟକ୍ରମ ‘ନାଟ୍ୟଧାରା’ ଚାଲିଛି । ଏଥିରେ ଭୁବନେଶ୍ୱରଠୁ ୨୦୦ କିମି ଭିତରର ନାଟ୍ୟ ଦଳଙ୍କୁ ପ୍ରତି ମାସର ପ୍ରଥମ ୩ ଦିନ ଭଞ୍ଜ କଳାମଣ୍ଡପରେ ଏବଂ ୨୦୦ କିମିରୁ ଅଧିକ ଦୂରତାର ନାଟ୍ୟ ଦଳ ମାସର ଦ୍ୱିତୀୟ ରବିବାର ରବୀନ୍ଦ୍ର ମଣ୍ଡପରେ ନାଟକ କରୁଛନ୍ତି । ଅନେକ ଅନୁଷ୍ଠାନ ନିଜସ୍ୱ ଉଦ୍ୟମରେ ବି ଉତ୍ସବ, ମହୋତ୍ସବ କରୁଛନ୍ତି । ସମୟେ ସମୟେ ନିଜର ନୂଆ ତଥା ଶ୍ରେଷ୍ଠ ପ୍ରସ୍ତୁତିକୁ ବି ମଞ୍ଚାୟନ କରୁଛନ୍ତି । ଏହାବାଦ୍ ସଚିବାଳୟର ବିଭିନ୍ନ ବିଭାଗର ସାଂସ୍କୃତିକ ସଂସଦ ପକ୍ଷରୁ ବି ନାଟକ ହେଉଛି । ବିଗତ ଦିନରେ ନାଟକରେ ବହୁତ ପରିବର୍ତ୍ତନ ଆସିଛି । ଭଲ ଭଲ ନାଟକ ହେଉଛି । କିନ୍ତୁ ଅର୍ଥ ଏବଂ ମଞ୍ଚ ଉପଯୋଗୀ ଭିତ୍ତିଭୂମିର ଅଭାବ ସବୁ ଅନର୍ଥ କରିଦେଉଛି । ତଥାପି ପ୍ରତି ସନ୍ଧ୍ୟାରେ ନାଟକ ହେଉଛି, ମନ ଜିଣୁଛି । ମାତ୍ର ଲାଇଟ୍ ବନ୍ଦ ହୋଇ ପରଦା ନଇଁଗଲା ପରେ ଘାରୁଛି ଅର୍ଥଚିନ୍ତା ।
ଅଧିକ ପଢ଼ନ୍ତୁ:- ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ, ଖରାଛୁଟି ପୂର୍ବରୁ ୟୁନିଫର୍ମ ବାଣ୍ଟ
ସାମ୍ପ୍ରତିକ ସ୍ଥିତି ଯାହା, ଗୋଟିଏ ନାଟକ କଲେ ଅତି କମ୍ରେ ୫୦ ହଜାରରୁ ଦେଢ଼ ଲକ୍ଷ ଖର୍ଚ୍ଚ । ଯଦି ୫ ଦିନିଆ ରାଜ୍ୟ ଓ ଜାତୀୟ ଉତ୍ସବ କରୁଛନ୍ତି ତେବେ ୧୦ରୁ ୨୦ ଲକ୍ଷ ଖର୍ଚ୍ଚ । ଟଙ୍କା ଆସିବ କେଉଁଠୁ ନାଟକ ହେବ କେମିତି? କେବଳ ନିଜ ରୁଚି ଏବଂ ଇଚ୍ଛାକୁ ସମ୍ମାନ ଦେଇ ନାଟ୍ୟ ନିଶାକୁ ବଞ୍ଚାଇ ରଖିବା ଲାଗି ନାଟୁଆଟିଏ ନାଟକ କରିଚାଲିଛି । ତେଣିକି ଟଙ୍କା ଥାଉ କି ନଥାଉ । ସେଥିରେ କଳାକାରର କିଛି ଲାଭ ନାହିଁ । କାରଣ ଏଥିରେ ତା’ର ଘର ଚଳୁନି । ଯେହେତୁ ଏହାକୁ ନିଶା କରିଛି ତେଣୁ ଅନ୍ୟ ପେସାର ପଇସାରେ ତା’ର ତେଲ ଲୁଣ ସଂସାର ଚାଲିଛି ଓ ସେ ନାଟକ କରି ଚାଲିଛି । ନହେଲେ ନାଟକରେ କେବେଠୁ ଫାଟକ ପଡ଼ିସାରନ୍ତାଣି । ମାତ୍ର ଏହା ସମାଧାନ ନୁହେଁ, ନାଟ୍ୟବ୍ୟକ୍ତିତ୍ୱଙ୍କ କହିବା କଥା³ ‘ଏହାକୁ କେବଳ ନିଶା ନୁହେଁ, ପେସା ବି କରିବାକୁ ପଡ଼ିବ । ପେସାଦାର ହେଲେ ହିଁ ଯାଇ ଜୀବିକା ଆଉ ଜୀବନ ବଞ୍ଚିବ । ଯେମିତି ଥିଲା ଆମ ଅତୀତ । ଯାହାର କାହାଣୀ ଆଜି ବି ଅମର । ଯାହାର ମୁକସାକ୍ଷୀ ଜନତା, ଅନ୍ନପୂର୍ଣ୍ଣା ଭଳି ଐତିହ୍ୟ ସମ୍ପନ୍ନ ରଙ୍ଗମଞ୍ଚ ।