ଭୁବନେଶ୍ଵର, ୧୭/୦୭ : ଓଡ଼ିଶା ବନ୍ଦ ନେଇ ହେଲ୍ପ ଲାଇନ ନଂ ଜାରି କଲା କମିଶନରେଟ୍ ପୁଲିସ। କୌଣସି ପ୍ରକାରର ଅସୁବିଧା ହେଲେ ୦୬୭୪ ୨୫୪୩୫୪୧ ନଂ ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ହେଲ୍ପ ଲାଇନ ନମ୍ବରରେ ଯୋଗାଯୋଗ କରି ସହାୟତା ନେଇପାରିବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ୭ଟି ବିରୋଧୀ ବାମପନ୍ଥୀ ଦଳ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରୁଛନ୍ତି। ରାଜଧାନୀ ଭୁବନେଶ୍ଵରରେ ଏହାର ଘୋର ପ୍ରଭାବ ପଡ଼ିଛି। ସକାଳୁ ସକାଳୁ ଶତାଧିକ କଂଗ୍ରେସ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଭୁବନେଶ୍ଵରରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି। ଦୋକାନ ବଜାର ସବୁ ବନ୍ଦ ଅଛି। ରେଳ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ବନ୍ଦର ଏବଂ ରେଳ ଷ୍ଟେସନରୁ ଯାତ୍ରୀମାନେ ଚାଲି ଚାଲି ଆସୁଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡରୁ ଗୋଟିଏ ବି ଗାଡି ଗଡୁନି। ଯାତ୍ରୀମାନେ ବସଷ୍ଟାଣ୍ଡରେ ଫସି ରହିଛନ୍ତି। କୌଣସି ପ୍ରକାରର ଅପ୍ରୀତିକର ସ୍ଥିତିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ହେଲ୍ପ ଲାଇନ୍ ନମ୍ଵର ଜାରି ହୋଇଛି।