ଭୁବନେଶ୍ୱର,୧୪/୦୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିଶନରେଟ ପୁଲିସର ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରବିବାର ସନ୍ଧ୍ୟାରେ ଭୁବନେଶ୍ୱର  ବିମାନବନ୍ଦରରୁ ଏମ୍ସ ଯାଏଁ କାରକେଡ୍‌ ରିହର୍ସାଲ କରାଯାଇଛି ।  ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୫୦ ପ୍ଲାଟୁନ୍‌ ଫୋର୍ସ ମୁତୟନ  କରାଯିବ । ଭୁବନେଶ୍ୱର ଏମ୍ସ ପରିସର ସମେତ, କଟକ  ରେଭେନ୍ସା ବିଶ୍ୱବିଦ୍ୟାଳୟ, ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ଓ ଇଣ୍ଡୋର ଷ୍ଟାଡିୟମରେ ତନ୍ନତନ୍ନ କରି ସୁରକ୍ଷା ଯାଞ୍ଚ କରାଯାଇଛି ।  ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଭୁବନେଶ୍ୱରରେ  ଟ୍ରାଫିକ୍‌ କଟକଣା ଜାରି ହୋଇଛି । ସୋମବାର ଓ ମଙ୍ଗଳବାର  ସନ୍ଧ୍ୟାରେ କୌଣସି ଭାରୀଯାନ ଭୁବନେଶ୍ୱର ଭିତରକୁ  ପଶିପାରିବନି ବୋଲି କମିଶନରେଟ୍‌ ପୁଲିସ ସୂଚାଇଛି । ଖୋର୍ଦ୍ଧା  ପଟୁ ଆସୁଥିବା ଭାରୀଯାନଗୁଡିକ ପିତାପଲ୍ଲୀ ଛକରୁ ଚନ୍ଦକା  ଦେଇ କଟକ ଛୁଇଁବ । କଟକ ପଟୁ ଆସୁଥିବା ଭାରୀଯାନ  ବାଲିକୁଦା ଛକରୁ ଚନ୍ଦକା ଦେଇ ପିତାପଲ୍ଲୀରେ ବାହାରିବ ।  

ସୋମବାର ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ଭାରତୀୟ  ବାୟୁସେନାର ସ୍ୱତନ୍ତ୍ର ବିମାନରେ ରାଷ୍ଟ୍ରପତି ବିମାନବନ୍ଦରରେ  ଓହ୍ଲାଇବା ପରେ ସିଧା ଏମ୍‌ସକୁ ଯିବେ । ଏୟାରପୋର୍ଟ ଛକରୁ  କାରକେଡ୍‌ଟି କ୍ୟାପିଟାଲ ହସ୍ପିଟାଲ ଛକ, ଏଜି ଛକ, ରାଜଭବନ  ଛକ, ପାୱାର ହାଉସ ଛକ, ଶାସ୍ତ୍ରୀନଗର ଛକ, ବେହେରା  ସାହି ଛକ, କଳିଙ୍ଗ ଷ୍ଟାଡିୟମ ଛକ ଦେଇ ଜୟଦେବବିହାରରେ  ପହଞ୍ଚିବ । ସେଠାରୁ ଏନ୍‌ଏଚ୍‌ ୧୬ ଦେଇ ରାଷ୍ଟ୍ରପତିଙ୍କ କାରକେଡ୍‌  ଖଣ୍ଡଗିରି ଫ୍ଲାଏଓଭର ବ୍ରିଜ୍‌ରେ ଓହ୍ଲାଇ କସ୍‌ମୋପଲିସ୍‌ ଛକ,  ଏମ୍‌ସ ଅଣ୍ଡରପାସ୍‌ ଦେଇ ଏମ୍‌ସ ହସ୍ପିଟାଲରେ ପହଞ୍ଚିବ । ସନ୍ଧ୍ୟା  ୫ଟାରୁ ୧୦ ମିନିଟ୍‌ରୁ ୫ଟା ୫୦ ମିନିଟ୍‌ ଯାଏଁ ଏହି ରୁଟ୍‌କୁ ବନ୍ଦ  କରାଯିବ ।

ଏମ୍‌ସରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପରେ  ରାଷ୍ଟ୍ରପତି ରାଜଭବନକୁ ଯାଇ ରାତ୍ରୀଯାପନ କରିବେ । ଏଥିପାଇଁ  ଏମ୍ସ ହସ୍ପିଟାଲରୁ କାରକେଡ୍‌ ବାହାରି ଆଇଗିଣିଆ ଅଣ୍ଡରପାସ  ଦେଇ କସ୍‌ମୋପଲିସ୍‌ ଛକରେ ଏନ୍‌ଏଚ୍‌-୧୬କୁ ଉଠି କ୍ରାଉନ୍‌  ହୋଟେଲର ସର୍ଭିସ ରୋଡ ଦେଇ ନିୟୁ ପାଲହାଇଟ୍‌ କଟ୍‌ ଦେଇ  ୟୁ-ଟର୍ଣ୍ଣ ନେବ । ଏହାପରେ ରାଷ୍ଟ୍ରପତି ଜୟଦେବ ବିହାର ଛକ,  ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ପାୱାର ହାଉସ୍‌ ଛକ  ଦେଇ ରାଜଭବନକୁ ଯିବେ । ଏଥିପାଇଁ ସନ୍ଧ୍ୟା ସାଢ଼େ ୬ଟାରୁ ସନ୍ଧ୍ୟା  ୭ଟା ଯାଏଁ ଏହି ରୁଟ୍‌କୁ ବନ୍ଦ କରାଯିବାକୁ ପୁଲିସ ନିଷ୍ପତ୍ତି ନେଇଛି ।  

ମଙ୍ଗଳବାର ସକାଳ ସାଢ଼େ ୯ଟାରେ ରାଜଭବନରୁ  ରାଷ୍ଟ୍ରପତି ବାହାରି ପାୱାରହାଉସ୍‌ ଛକ, ଶାସ୍ତ୍ରୀନଗର ଛକ,  ବେହେରା ସାହି ଛକ, ଜୟଦେବବିହାର ଛକରୁ ବାମ ମୋଡ଼  ଦେଇ ନୂଆପଲ୍ଲୀ ଅଣ୍ଡରପାସରୁ ୟୁ-ଟର୍ଣ୍ଣ ନେଇ ଏନ୍‌ଏଚ୍‌-୧୬କୁ ଛୁଇଁ କଟକ ଲିଙ୍କ ରୋଡରେ ପହଞ୍ଚିବେ । ସକାଳ ସାଢ଼େ  ୯ଟାରୁ ରାଷ୍ଟ୍ରପତିଙ୍କ ଯିବା ଯାଏଁ ଏହି ରାସ୍ତାକୁ ବନ୍ଦ ରଖାଯିବ ।  ଅପରାହ୍ଣ ୪ଟା ୫୦ ମିନିଟ୍‌ରେ ରାଷ୍ଟ୍ରପତି କଟକ ଇଣ୍ଡୋର  ଷ୍ଟାଡିୟମରୁ ବାହାରି ଏନ୍‌ଏଚ୍‌-୧୬ରେ ଜୟଦେବ ବିହାରରେ  ପହଞ୍ଚି ଭୁବନେଶ୍ୱର ବିମାନବନ୍ଦରକୁ ଯିବେ । ଏଥିପାଇଁ ସନ୍ଧ୍ୟା ୬ଟା ୧୦ ମିନିଟ୍‌ ଯାଏଁ ଏହି ରୁଟ୍‌କୁ ବନ୍ଦ କରାଯିବ ।