ପ୍ରୟାଗରାଜ ୧୯/୦୨: ମହାକୁମ୍ଭରେ ନାମୀ କମ୍ପାନିଙ୍କ ମଧ୍ୟରେ ଚାଲିଛି ‘ବ୍ରାଣ୍ଡ୍‌ ୱାର୍‌’ । ସଙ୍ଗମରେ ପୁଣ୍ୟର ବୁଡ଼ ପକାଇବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଖରେ ନିଜ ନିଜ ବ୍ରାଣ୍ଡ୍‌କୁ ପହଞ୍ଚାଇବା ପାଇଁ କମ୍ପାନିମାନେ ନିଆରା ଉପାୟ ଆପଣାଉଛନ୍ତି । ଏହା ମାଧ୍ୟମରେ ସେମାନେ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ଆଦାନି ସମୂହ, ରିଲାଏନ୍ସ ଇଣ୍ଡଷ୍ଟ୍ରି ଭଳି ନାମୀ କମ୍ପାନି ସିଏସ୍‌ଆର ଫଣ୍ଡ୍‌ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିଥିବାବେଳେ ପେପ୍ସିକୋ, କୋକାକୋଲା, ଆଇଟିସି, ସ୍ପାଇସ୍‌ ଜେଟ୍‌, ଡାବର, ଇମାମୀ, ହିନ୍ଦୁସ୍ତାନ ୟୁନିଲିଭର ଭଳି ଲୋକପ୍ରିୟ କମ୍ପାନି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅଭିନବ ପ୍ରଚାର ଶୈଳୀର ସାହାଯ୍ୟ ନେଇଛନ୍ତି । 

ଥଣ୍ଡା ପାନୀୟ ପ୍ରସ୍ତୁତକର୍ତ୍ତା ଏକ କମ୍ପାନି ସ୍ନାନ ଘାଟ ସମେତ ମେଳା କ୍ଷେତ୍ରର ଅନେକ ସ୍ଥାନରେ ପ୍ରାୟ ୪୦ ଫୁଟ ଉଚ୍ଚ ବୋତଲ ସ୍ଥାନୀତ କରିଛି । ଅନ୍ଧାର ରାତିରେ ମଧ୍ୟ ବହୁ ଦୂରରୁ ଏହି ବୋତଲ ଦୃଶ୍ୟମାନ ହେଉଛି । ସେତିକି ନୁହେଁ, ଲୋକଙ୍କ ପାଇଁ ଏହା ଲ୍ୟାଣ୍ଡ୍‌ ମାର୍କର କାମ କରୁଛି । ମେଳାକୁ ଆସୁଥିବା ଲୋକେ ନ ହଜିବା ପାଇଁ କିମ୍ବା ପରସ୍ପରକୁ ଗୋଟିଏ ସ୍ଥାନରେ ପାଇବା ପାଇଁ ଏହି ବୋତଲର ସାହାଯ୍ୟ ନେଉଛନ୍ତି । ମିଳନ ସ୍ଥଳ ଭାବେ ଏହା କାମ କରୁଛି । ତ୍ରିବେଣୀ ରୋଡ୍‌ରେ ମଧ୍ୟ ଏକ କମ୍ପାନି ମିଳନ ସ୍ଥଳ କରିଛି । ହଜାର ହଜାର ଲୋକ ପ୍ରତିଦିନ କମ୍ପାନିର ନାଁ ନେଇ ଏଠାକୁ ଆସିବାକୁ କହୁଛନ୍ତି ।

ସେହିଭଳି ଏକ ଅଗରବତୀ କମ୍ପାନି ଖୁବ୍‌ ଉଚ୍ଚ ଏକ ଅଗରବତୀ ଲଗାଇଛି । ଏହା ମଧ୍ୟ ବହୁ ଦୂରରୁ ଦୃଶ୍ୟମାନ ହେଉଛି । କପଡ଼ା ସଫା କରୁଥିବା ଏକ ସାବୁନ ବ୍ରାଣ୍ଡ୍‌ର ପ୍ରମୋସନ୍‌ ପାଇଁ କମ୍ପାନି ମହାକୁମ୍ଭରେ ସ୍ୱତନ୍ତ୍ର ଭାବେ ୭୫୦ ଗ୍ରାମ୍‌ର ଏକ ପାଉଚ୍‌ ଲଞ୍ଚ୍‌ କରିଛି । ଅନ୍ୟ ଏକ କମ୍ପାନି ଓଦା କପଡ଼ା ଘରକୁ ନେବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଥଳି ବଣ୍ଟନ କରୁଛି । ବାସନ ମଜାରେ ବ୍ୟବହୃତ ଏକ ସାବୁନ ବ୍ରାଣ୍ଡ୍‌ର ପ୍ରମୋସନ୍‌ ପାଇଁ କମ୍ପାନି ପକ୍ଷରୁ ୧୮୦୦ କିଲୋ ଓଜନର ଏକ କଡ଼େଇରେ ୧୦ ହଜାର କିଲୋ ହାଲୁଆ ପ୍ରସ୍ତୁତ କରି ୨ ଲକ୍ଷ ଲୋକଙ୍କୁ ବଣ୍ଟାଗଲା । ଏହା ପରେ ଶ୍ରଦ୍ଧାଳୁଙ୍କ ସାମ୍ନାରେ କଡ଼େଇକୁ ସେହି ସାବୁନରେ ଧୋଇ ପ୍ରଦର୍ଶିତ କରାଗଲା । ଯନ୍ତ୍ରଣା ନିବାରକ ବାମ୍‌ ପ୍ରସ୍ତୁତକାରୀ କମ୍ପାନିମାନେ ସ୍ଥାନେ-ସ୍ଥାନେ କେନ୍ଦ୍ର କରି ଶ୍ରଦ୍ଧାଳୁଙ୍କୁ ଆରାମ କରିବାର ସୁବିଧା ସହିତ ନିଃଶୁଳ୍କ ବାମ୍‌ ପ୍ରଦାନ କରୁଛନ୍ତି । 

ତ୍ରିବେଣୀ ରୋଡ୍‌ରେ କିଏ ନିଃଶୁଳ୍କ ଲକର୍‌ ବାହାନାରେ ନିଜ ବ୍ରାଣ୍ଡ୍‌ର ପ୍ରମୋସନ୍‌ କରୁଛି । ଆଉ କିଏ ନିଜ ବ୍ରାଣ୍ଡ୍‌ର ପ୍ରମୋସନ୍‌ ପାଇଁ ନିଃଶୁଳ୍କ ପୂଜା ସାମଗ୍ରୀ ବାଣ୍ଟୁଛି । ସାମ୍ପୁ ଓ ତେଲ କମ୍ପାନି ଶ୍ରଦ୍ଧାଳୁଙ୍କୁ ମାଗଣା ପାଉଚ୍‌ ବାଣ୍ଟୁଛନ୍ତି । ଏକ ଜଣାଶୁଣା କମ୍ପାନି ବ୍ରାଣ୍ଡ୍‌ ପ୍ରମୋସନ୍‌ ପାଇଁ ରାମଲଲାଙ୍କ ଚିତ୍ରଯୁକ୍ତ କ୍ୟାଲେଣ୍ଡର ଓ ତଉଲିଆ ବାଣ୍ଟିଛି । ଅନେକ କମ୍ପାନିଙ୍କ ପାଇଁ ବ୍ରାଣ୍ଡିଂ ଓ ପ୍ରମୋସନ୍‌ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୁତି ସଜଲଙ୍କ ଅନୁସାରେ, ଏ ଥର ମହାକୁମ୍ଭ କ୍ଷେତ୍ରରେ ପ୍ରତ୍ୟେକ ଇଞ୍ଚ ସ୍ଥାନ ଅମୂଲ ମୂଲ ହୋଇଛି । ଶ୍ରଦ୍ଧାଳୁଙ୍କୁ ଚାର୍ଜିଂ ପଏଣ୍ଟ୍‌ର ସୁବିଧା ବାହାନାରେ କମ୍ପାନିଗୁଡ଼ିକ ନିଜ ନିଜର ବ୍ରାଣ୍ଡିଂ କରୁଛନ୍ତି । ମେଳା କ୍ଷେତ୍ରରେ ୭୯ କମ୍ପାନି ମୋଟା ଅଙ୍କ ଦେଇ ଜାଗା ହାସଲ କରିଛନ୍ତି । 

ମହାକୁମ୍ଭକୁ ଆସୁଥିବା କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଖରେ ପହଞ୍ଚିବା ପାଇଁ କମ୍ପାନିମାନେ ଏହି ଅବସରକୁ ସୁବର୍ଣ୍ଣ ସୁଯୋଗ ଭାବେ ଉପଯୋଗ କରିଛନ୍ତି । ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ଏମାନେ ମେଳା କ୍ଷେତ୍ରର ପ୍ରମୁଖ ସ୍ଥାନ ହାସଲ କରିବାକୁ ସବୁ ବୁଦ୍ଧିବିଦ୍ୟା ଖଟାଇଛନ୍ତି । ବ୍ରାଣ୍ଡ୍‌ ପ୍ରମୋସନ୍‌ ପାଇଁ କମ୍ପାନି ସ୍ୱତନ୍ତ୍ର ଟିମ୍‌କୁ ନିୟୋଜିତ କରିଛନ୍ତି ।