ଭୋଗରାଇ,୧୬।୭ :   ସୋସିଆଲ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ ନେଇ ଭୋଗରାଇ ଥାନାର ଦ୍ୱାରସ୍ଥ  ହେଲେ ଏଫଏମ ମୃତ ଛାତ୍ରୀଙ୍କ ଭାଇ। ଭୋଗରାଇ ଥାନାର ଆଇଆଇସିଙ୍କୁ ଦେଲେ ଏତଲା।   ୪ ଜଣଙ୍କ ନାମରେ ସେ ଅଭିଯୋଗ କରିଛନ୍ତି। 

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ସହିତ ଘଟିଥିବା ଘଟଣାକୁ ନେଇ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ପରିବାର ଲୋକଙ୍କୁ ଆକ୍ଷେପ କରି ବିଭିନ୍ନ ପୋଷ୍ଟ କରିଥିଲେ।  ଏ ନେଇ ମୃତ ଛାତ୍ରୀଙ୍କ ଭାଇ ସୌମ୍ୟାରଞ୍ଜନ ବିଶି ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗୁରୁତ୍ୱ ଦେଇ ପୁଲିସ ତଦନ୍ତ ଆରମ୍ଭ କରିଛି।  ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ  ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏଫଏମ କଲେଜ ଛାତ୍ରୀ  ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖରେ  କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ  ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଥିଲା।  ସୋମବାର ରାତିରେ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଘଟଣାରେ ଏଫ୍‌ଏମ୍ କଲେଜ ଅଧ୍ୟକ୍ଷ  ଓ ଏଚଓଡିଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ କରିଥିଲା।  ଏଥିସହ ପୁଲିସ ଏଚଓଡି ସମୀର ସାହୁ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଥିଲା।