ମୋହନା୧୮/୦୫: ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟକୁ ଯାତାୟତ ପାଇଁ ବିଭିନ୍ନ ଗାଁକୁ ପକ୍କା ରାସ୍ତା ନିର୍ମାଣ ସହ ନଦୀ ଉପରେ ପୋଲ ନିର୍ମାଣ କରିଛନ୍ତି ସରକାର l ଏଥି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ତେବେ ନିର୍ମାଣ କାମ ସମ୍ପାଦନ କରୁଥିବା ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ସେତୁ ଓ ଏହାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି l ଏଭଳି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ଗୁଣ୍ଡ୍ରିଗୁଡା ଗାଁରେ l ମୋହନା ଓ ଗୁଣ୍ଡ୍ରିଗୁଡାକୁ ସଂଯୋଗ କରୁଥିବା ବିଜୁ ସେତୁର ଗାର୍ଡ ୱାଲ ନିର୍ମାଣ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ମୋହନା ଠାରୁ ମାତ୍ର ୨ କିଲୋମିଟର ମଧ୍ୟରେ ଥିବା ଗୁଣ୍ଡ୍ରିଗୁଡା, ଧନୁପଙ୍କ, ବlଢ଼େଇପୁର ଓ ନୁଆସାହି ଗାଁର ଲୋକମାନେ ଯାତାୟାତ ପାଇଁ ବର୍ଷ ବର୍ଷ ଧରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ୪ ଗାଁର ଲୋକେ ଘର ଜିନିଷ କିଣା ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ବିଶେଷ କରି ପିଲାମାନେ ପାଠ ପଢ଼ା ପାଇଁ ମୋହନାରେ ଥିବା ସ୍କୁଲ କଲେଜକୁ ଆସିଥାନ୍ତି l ତେବେ ମୋହନା ଓ ଉକ୍ତ ୪ ଗାଁ ମଧ୍ୟରେ ହରଭଙ୍ଗୀ ନଦୀ ପଡୁଥିବା ଯୋଗୁଁ ଲୋକେ ବହୁ ଅସୁବିଧା ଭୋଗୁଥିଲେ l ବିଶେଷକରି ବର୍ଷା ଦିନ ହେଲେ ନଦୀରେ ପାଣି ବଢିଗଲେ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଥିଲେ ୪ ଗ୍ରାମବାସୀ l ଏହି ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ଦାବି ପରେ ଗତ ଦେଢ଼ ବର୍ଷ ତଳେ ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ପାଇଁ ସରକାର ଅନୁଦାନ ପ୍ରଦାନ କରିଥିଲେ l ୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ପୋଲ l ହେଲେ ନିର୍ମାଣ ହେବାର ବର୍ଷେ ଭିତରେ ଭୁଶୁଡି ଗଲାଣି ଗାର୍ଡ ୱାଲ l ଗତ କିଛି ଦିନ ତଳେ ଭୁଶୁଡ଼ି ପଡିବାରୁ ଲୋକଙ୍କ ଅଭିଯୋଗ ପରେ ବିଭାଗ ପକ୍ଷରୁ କିଛି ମରାମତି କରାଯାଇଥିଲା l ହେଲେ କାମ ନିମ୍ନ ମାନର ଯୋଗୁଁ ପୁଣି ପୋଲ ଦୁଇ ପାଖରେ ଗାର୍ଡ ୱାଲ ଫାଟି ଯିବାସହ ଭୁଶୁଡି ପଡିଛି l ତେଣୁ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଗାର୍ଡ ୱାଲ ପୁନଃନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ l ଏନେଇ ମୋହନା ଗ୍ରାମ୍ୟ ଉନୟନ ନିର୍ବାହୀ ଯନ୍ତ୍ରୀ ଉମାଶଙ୍କର ମଲିକଙ୍କୁ ପଚାରିବାରେ କୌଣସି ଉତ୍ତର ଦେଇନାହାନ୍ତି l

ପୁତୁରାଙ୍କୁ ମାୟାବତୀଙ୍କ ବଡ଼ ଦାୟିତ୍ବ, ଆକାଶ ଆନନ୍ଦ...