ଭୁବନେଶ୍ୱର,୦୮/୦୩ (ଚାନ୍ଦିନୀ  ମହାପାତ୍ର): ବାମ ହାତ ଅଚଳ ।  ଡାହାଣ ହାତର କେବଳ ୩ଟି ଆଙ୍ଗୁଠି କାମ କରୁଛି । ଏହି ତିନି ଆଙ୍ଗୁଠିରେ  କମ୍ପ୍ୟୁଟର ଚଳାଇ ବିଦ୍ୟାଳୟରେ  ପିଲାମାନଙ୍କୁ ଦେଉଛନ୍ତି କମ୍ପ୍ୟୁଟର  ଶିକ୍ଷା । ଅଧିକାଂଶ ଲୋକ କମ୍ପ୍ୟୁଟର  ଚଳାଇବାକୁ ୨ ହାତର ସାହାଯ୍ୟ  ନେଇଥାନ୍ତି । ସେପରି ସ୍ଥଳେ ସେ ୩  ଆଙ୍ଗୁଠିରେ କମ୍ପ୍ୟୁଟର ଚଲାଉଛନ୍ତି ।  କେବେ ନିଜକୁ ଭିନ୍ନକ୍ଷମ ବୋଲି  ମନେକରି ନାହାନ୍ତି । ଏଭଳି ଜଣେ  ଦୃଢମନା ମହିଳା ହେଉଛନ୍ତି ଦୀପ୍ତିମୟୀ ପ୍ରଧାନ (୪୬) ।  

ତାଙ୍କ ଘର ଜଗତସିଂହପୁର ।  ଏବେ ରହୁଛନ୍ତି ଡୁମୁଡୁମାରେ ।  ପରିବାର କହିଲେ କେବଳ ୧୪  ବର୍ଷର ଝିଅଟିଏ । ୨ ବର୍ଷ ତଳେ  ହୃଦ୍‌ଘାତରେ ସ୍ୱାମୀଙ୍କର ବିୟୋଗ  ହୋଇଥିଲା । ହେଲେ ଜୀବନର  ଝଡ଼ରେ ସେ ଡରିନଯାଇ ନିଜ ମନକୁ  ଆହୁରି ଦୃଢ଼ କଲେ । ଅଭ୍ୟାସ ଦ୍ୱାରା  ସବୁକିଛି ସମ୍ଭବ ବୋଲି କହି ନିଜକୁ  ନିଜେ ଦୃଢ଼ କଲେ । ଆଉ ଏବେ  ସେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି  ଉଦାହରଣ ।  

ପିଲାବେଳୁ ତାଙ୍କର ବାମ ହାତ  ଅଚଳ । ଡାହାଣ ହାତର କେବଳ  ୩ଟି ଆଙ୍ଗୁଠି କାମ କରୁଛି । ୩  ଆଙ୍ଗୁଠିରେ ସେ ଏକ ବେସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ କମ୍ପ୍ୟୁଟର  ଶିକ୍ଷା ଦେଉଛନ୍ତି । କେବଳ ସେତିକି  ନୁହେଁ ଅବସର ସମୟରେ ଡାଟା  ଏଣ୍ଟ୍ରି କାମ ମଧ୍ୟ କରିଥାନ୍ତି । ସେଥିରୁ  ରୋଜଗାର ଅର୍ଥରେ ଝିଅର ପଢ଼ାଠୁ  ଆରମ୍ଭ କରି ପରିବାର ଖର୍ଚ୍ଚ  ତୁଲାଉଛନ୍ତି । ପ୍ରାୟ ୧୫ ବର୍ଷ ହେବ  ସେ ସ୍କୁଲ ପିଲାମାନଙ୍କୁ କମ୍ପ୍ୟୁଟର  ଶିକ୍ଷା ଦେଉଛନ୍ତି । ସେ ବାବଦରେ  ମାସିକ ୧୫ ହଜାର ଟଙ୍କା ରୋଜଗାର  କରିପାରୁଛନ୍ତି ।  

ଦୀପ୍ତିମୟୀ କହନ୍ତି, ଲଗାତାର  ସେହି ଆଙ୍ଗୁଠିରେ କାମ କଲେ ଦରଜ  ହୁଏ । ତେବେ ତାକୁ ଖାତିର ନ କରି  ମୁଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଚେଷ୍ଟା  କରେ । ପିଲାବେଳୁ ଘରଲୋକଙ୍କ  ପ୍ରଚେଷ୍ଟା ଫଳରେ ମୁଁ ଏମ୍‌ଏ ପାସ୍‌  କରିବା ସହ କମ୍ପ୍ୟୁଟର ଶିକ୍ଷା ଗ୍ରହଣ  କରିଥିଲି । ସେଥିପାଇଁ ଏବେ ନିଜ  ଗୋଡ଼ରେ ଠିଆ ହୋଇପାରିଛି ।