ଭୁବନେଶ୍ବର, ୨୧/୧୨: ବିଜୁଳି ଓ ଧାନ ସଂଗ୍ରହକୁ ନେଇ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ । ବିଜୁଳି ବିଲ୍ ରେ ଟାଟା ପାଓ୍ବାରର ମନମନୀ, ରାଜ୍ୟରେ ଧାନ ସଂଗ୍ରହରେ ସମସ୍ୟା ଏବଂ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନାଁ ପରିବର୍ତ୍ତନ ନେଇ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ଆସନ୍ତା କାଲି ଅର୍ଥାତ୍ ଡିସେମ୍ବର 22 ତାରିଖରେ ମନରେଦଗା ନାମ ପରିବର୍ତ୍ତନ ନେଇ ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଧାରଣା ଓ ବିଜେପି ବିରୋଧରେ ବିକ୍ଷୋଭ ଦଳ । ଜିଲ୍ଲା କଂଗ୍ରେସ ସଭାପତି, ଦଳର ଅନ୍ୟ ନେତୃତ୍ବ ବୃନ୍ଦ ଓ କର୍ମୀମାନଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ ।

ଡିସେମ୍ବର ୨୩ ତାରିଖ ମଙ୍ଗଳବାର: ଦିନ, ଧାନ ସଂଗ୍ରହକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ରାଜ୍ୟରେ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ହୀନସ୍ତା ହେଉଛନ୍ତି । ସବୁ ଜିଲ୍ଲା ମୁଖ୍ୟାଳୟରେ, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତି ସାଙ୍ଗଠନିକ ଜିଲ୍ଲାର ନେତା ଓ କର୍ମୀମାନେ ଧାରଣା ଦେବେ ।

୨୪ ଡିସେମ୍ବର ୨୦୨୫, ବୁଧବାର: ଧାନସଂଗ୍ରହରେ ସରକାରୀ ଚଞ୍ଚକତା ଓ ଅରାଜକତା ବିରୋଧରେ ଡିସିସି ପକ୍ଷରୁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଶୋଭାଯାତ୍ରା। ତେବେ କେଉଁ ସ୍ଥାନରୁ କେଉଁ ସ୍ଥନ ପର୍ଯ୍ୟନ୍ତ ଶୋଭାଯାତ୍ରା ହେବ, ସେ ସବୁ ସଂପୃକ୍ତ ଜିଲ୍ଲା ସଭାପତିମାନେ ତାହା ନିର୍ଣ୍ଣୟ ନେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

୨୬ ଡିସେମ୍ବର ୨୦୨୫, ଶୁକ୍ରବାର : ଟାଟା ପାୱାରର ମନମୁଖୀ କାର୍ଯ୍ୟ ବିରୋଧରେ ବ୍ୟାପକ ଜନଜାଗରଣ କରାଯିବ । ‘ଆମେ ଟାଟା କମ୍ପାନିକୁ ଏସ୍‌ଡି ବା ଅତିରିକ୍ତ ସୁରକ୍ଷା ଜମାରାଶି ଦେବୁ ନାହିଁ’, ‘ଗ୍ରାହକଙ୍କୁ ଶୋଷଣ ବନ୍ଦ କର’, ‘ଟାଟା ପାୱାରକୁ ବିଦା କର' ଆଦି ନାରା ଦେଇ ଡିସିସି ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ହେବ । ଏଥିରେ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ବହୁ ସଂଖ୍ୟାରେ କର୍ମୀମାନେ ସାମିଲ ହେବାର ଯୋଜନା ରହିଛି । କଂଗ୍ରେସର ଶୀର୍ଷ ନେତା ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଜନଜାଗରଣ ସୃଷ୍ଟି କରିବେ ।

୨୮ ଡିସମେମ୍ବର ୨୦୨୫, ରବିବାର : ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା ଦିବସ ଏ ଥର ରାଜ୍ୟ, ଜିଲ୍ଲା, ବ୍ଳକ୍ -ଏପରିକି ପଂଚାୟତ ଓ ଗ୍ରାମାଞ୍ଚଳ ସ୍ତରରେ ବ୍ୟାପକ ଭାବେ ପାଳନ କରାଯିବ । ଏନେଇ ଏଆଇସିସି ପକ୍ଷରୁ ନିଷ୍ପତି ନିଆଯାଇଛି ।

୨୯ ଡିସେମ୍ବର ୨୦୨୫, ସୋମବାର: ଏଏସଡି ପ୍ରତ୍ୟାହାର ଦାବିରେ ପ୍ରତି ଜିଲ୍ଲା ମୁଖ୍ୟାଳୟର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଘେରାଉ କରିବ ରାଜ୍ୟ କଂଗ୍ରେସ ।