ମନମୁଣ୍ଡା ୨୮/୧୨ : କଣ୍ଟାମାଳ କଲ୍ୟାଣ ମଣ୍ଡପରେ ଆଜି କଂଗ୍ରେସର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କଣ୍ଟାମାଳ ବ୍ଲକ କଂଗ୍ରେସ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ପ୍ରଥମ ମହିଳା କଂଗ୍ରେସ ସଭାପତି ବିନ୍ଧ୍ୟାବିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ତଥା ଓକିଲ ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ ମଲ୍ଲିକ, ଉଦ୍ଧବ ବେହେରା, ନିବାସ ବାରିକ, ଚିତ୍ତାନନ୍ଦ କହଁର, ଶୁକ ମଙ୍ଗରାଜ, ସୁନାଧର ପୁଟେଲ, ନିତ୍ୟାନନ୍ଦ କର୍ମୀ, ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର ପ୍ରମୁଖ ଶ୍ରୀମତୀ ସାହୁଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ସଭାସ୍ଥଳକୁ ନେଇଥିଲେ। ସ୍ବାଧିନ ଭାରତ ପୂର୍ବରୁ ଶତାବ୍ଦୀ ପୁରାତନ କଂଗ୍ରେସ ଦଳ ଦେଶ ସ୍ଵାଧୀନତାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ଏହା ଏକ ଧର୍ମ ନିରପେକ୍ଷ ଦଳ, ଦେଶ ଓ ରାଜ୍ୟର ହୀରାକୁଦ ବନ୍ଧ, ପାରାଦୀପ ବନ୍ଦର, ବୌଦ୍ଧ ଜିଲ୍ଲାର ସାଲୁଙ୍କି ଓ ଶଗଡ଼ା ବାଘ ଵ୍ୟାରେଜ ଠାରୁ ଆରମ୍ଭ କରି ଆହୁରି ଅନେକ ଯାହା ବିକାଶ ହୋଇଛି ସବୁ କଂଗ୍ରେସ ଦଳର ଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏସ ସି, ଏସ ଟିଙ୍କ ସମେତ ଗରିବି ହଟାଓ କଂଗ୍ରେସ ଦଳର ନାରା ଥିଲାବେଳେ ବେକାରୀ ହଟାଇବାକୁ ସର୍ବଦା ପ୍ରାଥମିକତା ଦେଇ ଆସୁଥିଲା ବୋଲି ସଭାପତି ଶ୍ରୀମତୀ ସାହୁ କହିଥିଲେ। ଏହିପରି ଏକ ମହାନ୍ ଓ ବିଶାଳ ଦଳର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀମତୀ ସାହୁ ଉପସ୍ଥିତ ରହି ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବା ପୂର୍ବକ ଉତ୍ସାହିତ ଓ ଧନ୍ୟବାଦ ଜଣାଇଥିଲେ।
ସେହିପରି ଏହି ଅବସରରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସମେତ ବୌଦ୍ଧ ଜିଲ୍ଲାରେ କଂଗ୍ରେସ ସଂଗଠନ କିପରି ମଜବୁତ ହେବ, ସମସ୍ତେ ହାତକୁ ହାତ ମିଳାଇ ହାତକୁ ଅନ୍ୟ ମାନଙ୍କ ଠାରୁ ଉପରେ ରଖିବା ସେ ଉପରେ କାମ କରିବାକୁ, ଲୋକ ମାନଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ସମାଧାନର ବାଟ ଦେଖାଇବାକୁ ଇତ୍ୟାଦି ଅନେକ ବିନ୍ଦୁ ଉପରେ ସଭାପତି ଶ୍ରୀମତୀ ସାହୁ କହିଥିଲେ ଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉପସ୍ଥିତ କଂଗ୍ରେସ କର୍ମୀ ମାନେ ମଧ୍ୟ ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।