ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ପରସ୍ପର ଉପରେ ସେତିକି ଜୋରରେ ଆକ୍ରମଣ କରୁଛନ୍ତି। ବର୍ତ୍ତମାନ ନୂଆଦିଲ୍ଲୀ ଆସନରୁ କଂଗ୍ରେସ ପାର୍ଟି ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସକ୍ସେନାଙ୍କୁ ଭେଟି ତାଙ୍କୁ ତିନିଟି ଅଭିଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଅଧୀନରେ ପଞ୍ଜୀକରଣ ବିଷୟରେ ଖବରକାଗଜରେ ଦିଲ୍ଲୀ ସରକାର ଦେଇଥିବା ବିଜ୍ଞାପନକୁ ଦର୍ଶାଇ ସନ୍ଦୀପ ଦୀକ୍ଷିତ ମହିଳାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି।

ଏହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଦିଲ୍ଲୀ ପୋଲିସ ନିକଟରେ ଦାବି କରିଛନ୍ତି । ଏହା ସହିତ ସେ ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏଥିସହ ଧାରା ୪୨୦ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି।

ସନ୍ଦୀପ ଦୀକ୍ଷିତଙ୍କ ଦ୍ବାରା ଏଲ.ଜିଙ୍କ ନିକଟରେ  ଦାଖଲ ହୋଇଥିବା ଦ୍ୱିତୀୟ ଲିଖିତ ଅଭିଯୋଗରେ କୁହାଯାଇଛ୍ ଯେ, ପଞ୍ଜାବ ପୋଲିସ ତାଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରୁଛି । ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ,ପଂଜାବ ପୋଲିସ କର୍ମଚାରୀଙ୍କୁ ତାଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା ଏବଂ ଏହା ମଧ୍ୟ ପଂଜାବ ପୋଲିସ ସୂତ୍ରରୁ ପ୍ରମାଣିତ ହୋଇଛି। ତେବେ ସେ ଏପରି କାର୍ଯ୍ୟକଳାପକୁ ଭୟ କରୁନାହାଁନ୍ତି ବୋଲି କହିଛନ୍ତି।

ସନ୍ଦୀପ ଦୀକ୍ଷିତ ଦେଇଥିବା ତୃତୀୟ ଅଭିଯୋଗରେ ପଞ୍ଜାବ ସରକାର ପୋଲିସ ଗାଡି ମାଧ୍ୟମରେ ଦିଲ୍ଲୀକୁ ବେଆଇନ ଭାବେ ଟଙ୍କା ପଠାଉଥିବାର ଅଭିଯୋଗ ହୋଇଛି। ସନ୍ଦୀପ ଦୀକ୍ଷିତ ତାଙ୍କ ଚିଠିରେ ଲେଖିଛନ୍ତି ଯେ ସେ କିଛି ଅଧିକାରୀଙ୍କ ଠାରୁ ଏହି ସୂଚନା ପାଇଛନ୍ତି, ଯାହା ପଂଜାବ ପୋଲିସରେ ତାଙ୍କ ସୂତ୍ରରୁ ମଧ୍ୟ ପ୍ରମାଣିତ ହୋଇଛି। ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଡିଜିପିଙ୍କୁ ଏହା ଜଣାଇବାକୁ ସେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ ସୀମାରେ ପ୍ରବେଶ କରୁଥିବା ସମସ୍ତ ଯାନ ଯାଞ୍ଚ କରିବାକୁ ସେ ଏହି ରାଜ୍ୟଗୁଡିକୁ ଅନୁରୋଧ କରିଛନ୍ତି।