ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ଏବଂ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ପୁଣି ଥରେ ଅସୁସ୍ଥ ହୋଇପଡ଼ିଛନ୍ତି । ଶିମଲାରେ ଶନିବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀର ଇନ୍ଦିରାଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୭୮ ବର୍ଷୀୟା ସୋନିଆ ଗାନ୍ଧୀଙ୍କର ବିଭିନ୍ନ ଟେଷ୍ଟ ଏବଂ ଚେକଅପ୍‌ କରାଯାଇଛି । ଏପରିକି ତାଙ୍କର ଏମଆରଆଇ ହୋଇଥିବା ଜଣାପଡ଼ିଛି । 

ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବାକୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ହସ୍ପିଟାଲରେ ପହଞ୍ଚିପାରନ୍ତି ।  ମିଳିଥିବା ସୂଚନା ଅନୁସାରେ, ସୋନିଆ ଗାନ୍ଧୀ ନିଜ ଝିଅ ଏବଂ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୩ ଦିନ ହେଲା ହିମାଚଳର ଛାବ୍ରାରେ ଥିଲେ । 

ଶେଷ ଥର ଲାଗି ସୋନିଆ ଗାନ୍ଧୀ ମେ ୨୭ରେ ସାର୍ବଜନୀନ ଭାବରେ ନଜର ଆସିଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କ ୬୧ ତମ ଶ୍ରାଦ୍ଧବାର୍ଷିକୀରେ ନଜର ଆସିଥିଲେ ସୋନିଆ । ସେ ଦିଲ୍ଲୀର ଶାନ୍ତିବନରେ ପହଞ୍ଚି ନେହରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ  । ଏହା ପୂର୍ବରୁ ଫେବୃଆରୀ, ୨୦୨୫ରେ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପେଟ ସମ୍ବନ୍ଧୀୟ ସମସ୍ୟା ଲାଗି ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୋନିଆ ।

 ଗଙ୍ଗାରାମ ହସ୍ପିଟାଲର ସଭାପତି  ଡା. ଅଜୟ ସ୍ବରୂପ କହିଥିଲେ, ‘ପେଟରେ ସମସ୍ୟା ଯୋଗୁ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କୌଣସି ବଡ଼ ସମସ୍ୟା ନାହିଁ ଏବଂ ତାଙ୍କୁ ଖୁବଶୀଘ୍ର ଡିସଚାର୍ଜ କରାଯିବ ।’ ତାରପଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା ।