ଭୁବନେଶ୍ବର,୨୬/୧୨ : ଓଇଆରସି ନିର୍ଦ୍ଦେଶରେ ଟାଟା ପାୱାର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ କରୁଛି ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଛି । ଓଇଆରସି ବରିଷ୍ଠ ପଦାଧିକାରୀଙ୍କ ସହ ଆଜି କଂଗ୍ରେସ ସଭାପତି ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋଙ୍କ ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।
ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ ଆଦାୟ ବନ୍ଦ, ସ୍ମାର୍ଟ ମିଟର ପାଇଁ ଆଦାୟ ହେଉଥିବା ଟଙ୍କା ଆଦାୟ ବନ୍ଦ ଓ ମାଗଣା ବିଜୁଳି ବଣ୍ଟନ କରିବାକୁ ସେ ଦାବି କରିଛନ୍ତି। ବାହାର ରାଜ୍ୟରେ ଚାଷୀଙ୍କୁ ମାଗଣା ବିଜୁଳି ଦିଆଯାଇଛି। କିନ୍ତୁ ଓଡ଼ିଶାରେ କାହିଁକି ଦେଉ ନାହାଁନ୍ତି । ରାଜ୍ୟରେ କୋଟିଏ ୨୫ଲକ୍ଷ ଲୋକଙ୍କ ଦୁଃଖ ଦୂର କରିପାରିବେ ସରକାର। ଶିଳ୍ପପତିଙ୍କୁ ସବସିଡି ଦିଆଯାଇଛି କିନ୍ତୁ କୃଷି ଭିତ୍ତିକ ଶିଳ୍ପ, ହ୍ୟଣ୍ଡଲୁମ୍ ଶିଳ୍ପ, କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେଉ ନାହାଁନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ଯଦି ମାଗଣାରେ ବିଜୁଳି ପ୍ରଦାନ କରାଯାଇ ନାହିଁ ତେବେ ଅଧିକ କୋଇଲା କାହିଁକି ଉତ୍ପାଦନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ।
ସରକାର ଦାବି ପୁରଣ ନ କଲେ ୨୯ତାରିଖରେ ପ୍ରତି ବ୍ଲକ, ଜିଲ୍ଲାରେ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି କହିଛନ୍ତି ଭକ୍ତ ଦାସ। କଂଗ୍ରେସ ଦାବି କରିଛି ପଞ୍ଜାବ, ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ୩ଶହ ୟୁନିଟ ବିଜୁଳି ମାଗଣାରେ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ବିଜେପି ନିର୍ବାଚନ ପୂର୍ବରୁ ୩ଶହ ୟୁନିଟ ବିଜୁଳି ମାଗଣା ଦେବା ପାଇଁ ରାଜ୍ୟବାସୀଙ୍କୁ କହିଥିଲା ତେଣୁ ଏବେ ମାଗଣା ବିଜୁଳି ଦେଉ। କୃଷି କ୍ଷେତ୍ରରେ ମଧ୍ୟ ବିଜୁଳି ମାଗଣା କରାଯାଉ। ଓଡ଼ିଶାରେ କୋଇଲା ଉତ୍ପାଦନ ହେଉଛି । ବିଜୁଳି ଉତ୍ପାଦନ ବି ଓଡ଼ିଶାରେ ହେଉଛି । ତେଣୁ ଅସୁବିଧା କେଉଁଠି ଅଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ପଞ୍ଜାବ, ଦିଲ୍ଲୀ ବିଜୁଳି କିଣି ମାଗଣାରେ ଜନତାଙ୍କୁ ବଣ୍ଟନ କରୁଥିବାବେଳେ ଓଡ଼ିଶା ସରକାର କାହିଁକି ନିଜେ ବିଜୁଳି ଉତ୍ପାଦନ କରି ମାଗଣାରେ ଦେଉନାହାନ୍ତି ବୋଲି ଶ୍ରୀକାନ୍ତ ଜେନା କହିଛନ୍ତି । ଆଡ଼ିଶନାଲ ସିକ୍ୟୁରିଟି ଡିପୋଜିଟ ମନିକୁ ଜିଜିଆ କର ବୋଲି ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି ।