ଭୁବନେଶ୍ବର, ୨୩/୦୩: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି MLAଙ୍କ ସଭ୍ୟ ପଦ ରଦ୍ଦ ହେବ । ବିଧାୟକ ପଦ ହରାଇବେ ରମେଶ ଜେନା । ଏନେଇ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ କଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ରମେଶ ଜେନାଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ କଲା କଂଗ୍ରେସ । ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡମା ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିଛନ୍ତି । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଲୋଚନା କରିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ରମେଶ ଜେନା କଂଗ୍ରେସ ନୀତି ବିରୋଧରେ ଯାଇଥିଲେ । ଦୀର୍ଘ ଦିନ ଧରି ବିଜେଡି ବିରୋଧରେ କୁହୁଳି ଥିବା ରାଗକୁ କ୍ରସ୍ ଭୋଟିଂ କରି ସୁଝାଇ ଦେଇଥିଲେ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଓ ବିଜେଡି ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର  ହୋତାଙ୍କୁ ଭୋଟ୍ ଦେବା ବଦଳରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । କେବଳ ରମେଶ ଜେନା ନୁହେଁ ତାଙ୍କୁ ଲଗାଇ ମୋଟ୍ ୩ଜଣ କଂଗ୍ରେସ ଏମଏଲଏ କ୍ରସ୍ ଭୋଟିଂ କରିଥିଲେ । ଯାହା ଫଳରେ ଦତ୍ତେଶ୍ବର ହୋତା ହାରିଯାଇଥିଲେ ଏବଂ ଦିଲ୍ଲୀପ ରାୟଙ୍କର ବିଜୟ ହୋଇଥିଲା । ଏହାପରେ ପିସିସି ସଭାପତି ଭକ୍ତ ଚରଣ ଦାସ ସେମାନଙ୍କ ଉପରେ ଆକ୍ସନ ନେଇଥିଲେ । ସମସ୍ତ ତିନି ବିଧାୟକଙ୍କୁ କଂଗ୍ରେସରୁ ନିଲମ୍ବିନ କରାଯାଇଛି ।

ପୂର୍ବରୁ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ଦାଶରଥି ଗମାଙ୍ଗଙ୍କ ସଭ୍ୟ ପଦ ରଦ୍ଦ ନେଇ ଆବେଦନ ହୋଇଥିବା ବେଳେ ଆଜି ରମେଶ ଜେନାଙ୍କୁ ନେଇ କଠୋର ନିଷ୍ପତ୍ତି ନେଇଛି ଦଳ । ସାନଖେମୁଣ୍ଡି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆବେଦନ କରିଛି ପ୍ରଦେଶ କଂଗ୍ରେସ । ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡମା ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ, ବାଚସ୍ପତି ସୁରମା ପାଢୀଙ୍କୁ ଭେଟ କରି ଏ ବାବଦ ଆଲୋଚନା କରିଛନ୍ତି । ବାଚସ୍ପତି ଗ୍ରହଣ କରିବା ପରେ ରମେଶ ଜେନାଙ୍କ ସଭ୍ୟ ପଦ ରଦ୍ଦ ନେଇ ପ୍ରକ୍ରିୟା ଆରମ୍ଭ ହେବ ।

ଅଧିକ ପଢ଼ନ୍ତୁ-କ୍ରସ୍‌ ଭୋଟିଂ ରାଜନୀତି: ଭକ୍ତଙ୍କ ବିରୋଧରେ ବିଷ ଓଗାଳୁଛନ୍ତି ଗଞ୍ଜାମ ଟାଇଗର, କାହିଁକି କଠୋର ହେଉନାହିଁ ଦଳ ?