ଭୁବନେଶ୍ୱର, ୨୧/୦୭: ଦୁଷ୍କର୍ମ  ଅଭିଯୋଗରେ ଛାତ୍ର  କଂଗ୍ରେସ ରାଜ୍ୟ ସଭାପତି ଉଦିତ ପ୍ରଧାନ ଗିରଫ ହେଇଛନ୍ତି । ଜଣେ  ଯୁବତୀଙ୍କୁ ନିଶା ଦେଇ ବେହୋସ କରାଇ ତାଙ୍କୁ  ଏକ ହୋଟେଲରେ ଦୁଷ୍କର୍ମ କରିଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହୋଇଥିଲା । 

ମିଳିଥିବା ସୂଚନା ମୁତାବକ, ଚନ୍ଦକା  ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀ ମିଲି  (ଛଦ୍ମନାମ) ଏକ ଘରୋଇ କଲେଜର  ଛାତ୍ରୀ । ସେ ଗତ ୧୮ ତାରିଖରେ ଆୟୁଷ୍ମାନ ସାହୁ ନାମକ ଜଣେ ସାଙ୍ଗଙ୍କ ସହ କାର୍‌ରେ ମାର୍କେଟ  ବୁଲିବାକୁ ବାହାରିଥିଲେ । ତାଙ୍କ ସହ ପିଙ୍କି  (ଛଦ୍ମନାମ) ନାମକ ଜଣେ ଯୁବତୀ ମଧ୍ୟ ଥିଲେ । ମାଷ୍ଟରକ୍ୟାଣ୍ଟିନ ଛକରେ ସେମାନଙ୍କୁ ଉଦିତ ଭେଟିଥିଲେ । ଉଦିତଙ୍କୁ ଆୟୁଷ୍ମାନ ନିଜ ସାଙ୍ଗ ବୋଲି ପରିଚୟ ଦେଇ ତାଙ୍କ କାରରେ ବସାଇଲେ । ଉଦିତ ଜଣେ କଂଗ୍ରେସ ନେତା ବୋଲି ଆୟୁଷ୍ମାନ ୨ଜଣ ଝିଅଙ୍କ ସହ ପରିଚୟ କରାଇଲେ । ଉଦିତ କାର୍‌ରେ ମିଲିଙ୍କ ଦେହକୁ ଜାଣିଶୁଣି ଛୁଇଁଥିଲେ । ହେଲେ, ମିଲି ଏହାକୁ ସେତେଟା ଗୁରୁତ୍ୱ ଦେଇ ନ ଥିଲେ । ଏହାପରେ ସେମାନେ ସମସ୍ତେ ମଞ୍ଚେଶ୍ୱରର ହୋଟେଲକୁ ଯାଇଥିଲେ । ସେଠାରେ ଉଦିତ  ଓ ଆୟୁଷ୍ମାନ ମଦ ପିଇଥିଲେ । ମିଲିଙ୍କୁ ମଦ ଯାଚିବାରୁ ସେ ମନା କଲେ। କିନ୍ତୁ, ଉଭୟ ସାଙ୍ଗ ତାଙ୍କୁ କୋଲ୍ଡଡ୍ରିଙ୍କସରେ ମଦ ମିଶାଇ ପିଇବାକୁ ଦେଇଥିଲେ । ଏହାପରେ ମିଲିଙ୍କୁ  ନିଶା ଚଢିବାରୁ ସେ ଉକ୍ତ ରୁମରେ ଶୋଇ ଯାଇଥିଲେ । 

କିଛିଘଣ୍ଟା ପରେ ତାଙ୍କ ନିଦ ଭାଙ୍ଗିବାରୁ ସେ ଉଲଗ୍ନ  ହୋଇ ଶୋଇଥିବାର ଦେଖିଥଲେ । ଆଉ ଉଦିତ ତାଙ୍କ ଉପରେ ହାତ ପକେଇ ଶୋଇଥିଲେ । ମିଲି ଦୁଷ୍କର୍ମର  ଶିକାର ହୋଇଥିବା ଜାଣିବା ପରେ ଏହାକୁ ବିରୋଧ  କରିଥିଲେ । ଥାନାକୁ ଯାଇ ଉଦିତଙ୍କ ନାଁରେ ଅଭିଯୋଗ କରିବେ ବୋଲି କହିଥିଲେ । ଉଦିତ ରାଗି ଯାଇ ତାଙ୍କୁ  ପ୍ରବଳ ଗାଳି କରିଥିଲେ । ପୁଲିସର ଆଶ୍ରୟ ନେଲେ, ତାଙ୍କୁ ଜୀବନରୁ ମାରିଦେବାକୁ ଧମକାଇଥିଲେ । ମିଲି ଡରି ଯାଇଥିଲେ । ସେ ଉଦିତ ନାଁରେ ଥାନାରେ  ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ କ୍ରମେ ୪୧୯/୨୫ରେ ମାମଲା ରୁଜୁ କରି ଉଦିତଙ୍କୁ ଗିରଫ କରିଛି ।  ତାଙ୍କ ନାଁରେ ବିଏନ୍‌ଏସ୍‌ ଦଫା ୬୪(୧), ୧୨୩, ୨୯୬,  ୭୪, ୩୫୧(୨) ଲଗାଇଛି । 

ଉଲ୍ଲେଖଯୋଗ୍ୟ ଯେ ଉଦିତଙ୍କ ନାଁରେ ପୂର୍ବରୁ  ଭୁବନେଶ୍ୱରର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା  ରହିଛି । ଗତ ଫେବ୍ରୁଆରୀ ୧ ତାରିଖରେ ଉଦିତ ଓ  ଅନ୍ୟମାନେ ମିଳିତ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ  (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ କାରକେଡ୍‌କୁ ଅଟକେଇବାକୁ ଚେଷ୍ଟା କରିଥିଲେ । କାରକେଡ୍‌ ସାମ୍ନାରେ  କଳା ପତାକା ଦେଖାଇ ହୋ ହଲ୍ଲା କରିବା ସହ କାର୍ଯ୍ୟରତ  ଜଣେ ସବଇନ୍ସପେକ୍ଟରଙ୍କୁ ମାଡ଼ ମାରିଥିଲେ । ମଞ୍ଚେଶ୍ୱର  ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା।