ମଧ୍ୟପ୍ରଦେଶ ୦୭/୦୭: ମଧ୍ୟପ୍ରଦେଶ ପୁଲିସରେ ଅବହେଳା ଓ ବ୍ୟବସ୍ଥାଗତ ବିଫଳତାର ଏକ ଉଦାହରଣ ସାମ୍ନାକୁ ଆସିଛି । ବିଦିଶାର ଜଣେ ପୁଲିସ କନ୍ଷ୍ଟେବଳ କାମ ନ କରି ୧୨ ବର୍ଷରେ ୨୮ ଲକ୍ଷ ଟଙ୍କା ଦରମା ପାଇଛନ୍ତି । ଏସିପି ଅନୀତା ଖତେରକର କହିଛନ୍ତି, ୨୦୧୧ରେ କନ୍ଷ୍ଟେବଳ ଜଣକ ନିଯୁକ୍ତି ପାଇଥିଲେ । କାର୍ଯ୍ୟରେ ଯୋଗ ଦେବାର କିଛି ଦିନ ମଧ୍ୟରେ ତାଙ୍କୁ ନିଜ ବ୍ୟାଚ୍ର ଅନ୍ୟ କନ୍ଷ୍ଟେବଳଙ୍କ ସହିତ ଭୋପାଳ ପୁଲିସ ଲାଇନ୍ସରୁ ସାଗରସ୍ଥିତ ପୁଲିସ ଟ୍ରେନିଂ ସେଣ୍ଟରକୁ ମୌଳିକ ତାଲିମ ଲାଗି ପଠାଯାଇଥିଲା । କିନ୍ତୁ କନ୍ଷ୍ଟେବଳ ସେଠାକୁ ଯିବା ବଦଳରେ ନିଜ ଘର ବିଦିଶାକୁ ପଳାଇଥିଲେ ।
ପ୍ରଶିକ୍ଷଣ କେନ୍ଦ୍ର ଅଧିକାରୀମାନେ ବି କନ୍ଷ୍ଟେବଳ ସେଠାରେ ପହଞ୍ଚି ନଥିବା କଥା ଭୋପାଳ ପୁଲିସ ଲାଇନ୍ସକୁ ଜଣାଇନଥିଲେ । ୬ ମାସର ପ୍ରଶିକ୍ଷଣ ପରେ ବି ଅଧିକାରୀମାନେ ତାଙ୍କ ସଂପର୍କରେ ଯାଞ୍ଚ କରିନଥିଲେ । କନ୍ଷ୍ଟେବଳ କେବେହେଲେ ଚାକିରିରେ ଯୋଗ ଦେଇନଥିଲେ । କାମ ନ କରି ୧୨ ବର୍ଷ ମଧ୍ୟରେ ସେ ୨୮ ଲକ୍ଷରୁ ଅଧିକ ଟଙ୍କା ଦରମା ପାଇଥିଲେ । ୨୦୨୩ରେ ବିଭାଗ ପକ୍ଷରୁ ୨୦୧୧ ବ୍ୟାଚ୍ କନ୍ଷ୍ଟେବଳଙ୍କ ପଦୋନ୍ନତି ପ୍ରସଙ୍ଗ ଉଠିବାରୁ ଏ ସଂପର୍କରେ ଜଣାପଡିଥିଲା । ତାଙ୍କୁ ସମନ ଜାରି କରାଯିବାରୁ ସେ ମାନସିକ ସମସ୍ୟାରେ ପୀଡିତ ଥିବା ଦର୍ଶାଇଥିଲେ । ବର୍ତ୍ତମାନ ସେ ଭୋପାଳ ପୁଲିସ ଲାଇନ୍ସରେ ମୁତୟନ ଅଛନ୍ତି । ତାଙ୍କ ବିରୋଧରେ ଅନ୍ତରୀଣ ତଦନ୍ତ ଚାଲିଛି ।