ଭୁବନେଶ୍ୱର,୨୧/୦୯: ଟ୍ରାଫିକ୍ କନ୍ଷ୍ଟେବଲ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସୁଛି । ଅଭିଯୁକ୍ତ କନ୍ଷ୍ଟେବଳ ଦୀପକ ରାଉତ ଶୁଭମିତ୍ରାଙ୍କୁ ମାରିବାକୁ ୧୦ ଦିନ ତଳୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ସେ ବିଷୟରେ କେବଳ ତା’ ମାଉସୀ ପୁଅ ବିନୋଦ ବିହାରୀ ଭୂୟାଁକୁ ଜଣାଇଥିଲା । ଶୁକ୍ରବାର ୩ ଜଣଙ୍କୁ କୋର୍ଟ ଚାଲାଣ ପୂର୍ବରୁ ପୁଲିସ୍ ଏମିତି ତଥ୍ୟ ପାଇଛି ।
ଶୁଭମିତ୍ରାଙ୍କୁ ହତ୍ୟା କରିବା ପାଇଁ କନଷ୍ଟେବଳ ଦୀପକ ଅଗଷ୍ଟମାସରୁ ଯୋଜନା କରିଥିଲା । କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ବସି ସେ ଯୋଜନା କରିଥିଲେ । କେମିତି ମାରିବେ? ମୃତଦେହକୁ କେମିତି ଲୁଚାଇବେ? ଏମିତି ଅନେକ କିଛି । ଅଗଷ୍ଟ ୩୦ ତାରିଖ ତାରିଖ ଦିନ ଦୀପକ୍ ତା’ ମାଉସୀ ପୁଅ ବିନୋଦକୁ ଫୋନ୍ କରିଥିଲେ । ଶୁଭମିତ୍ରାଙ୍କୁ ହତ୍ୟା କରି ପୋତିବା ପାଇଁ ତାଙ୍କୁ କହିଥିଲେ । ବିନୋଦ ଜାଗା ଚିହ୍ନଟ୍ ପାଇଁ ଲାଗି ପଡ଼ିଥିଲା ।
ବିନୋଦର ଭଲ ସାଙ୍ଗ ହେଉଛି ଜଟିଆ । ବିନୋଦ ସେପ୍ଟେମ୍ବର ୩ ତାରିଖରେ ଜଟିଆ ସହ କଥା ହୋଇଥିଲା । କହିଥିଲା ମୋ ଭାଇ ଭୁବନେଶ୍ୱରରେ ପୁଲିସ ଅଛି । ତା ପାଖରେ ବହୁତ ଟଙ୍କା, ସୁନା ଓ ରୁପା ରହିଛି । ଏବେ ଭିଜିଲାନ୍ସ ଧରପଗଡ଼ କରୁଛି । ସେ ସବୁ ତମ ବାରି ପଟେ ପୋତି ଦେବା । କିଛି ମାସ ପରେ ଭାଇ ସେସବୁ ଖୋଳି ନେଇଯିବ । ସେଥିପାଇଁ ତାକୁ ବି କିଛି ଟଙ୍କା ମିଳିବ । ବାଡ଼ିରେ ସୁନା ଓ ଟଙ୍କା ପୋତା ହେବା ଖବର ପାଇବା ପରେ ଜଟିଆ ଖୁସି ହୋଇଯାଇଥିଲା । ୬ ତାରିଖ ଅପରାହ୍ଣରେ ଶୁଭମିତ୍ରାଙ୍କୁ ହତ୍ୟା କରିଥିଲା । ଏହାପରେ ସେ ବିନୋଦକୁ ଜଣାଇଥିଲା । ବିନୋଦ ଏ କଥା ଶୁଣିବା ପରେ ଜଟିଆ ପାଖକୁ ଯାଇଥିଲା । ୭ ତାରିଖ ଦିନ କଳାଧନ ପୋତା ହେବ ବୋଲି ବିନୋଦ କହିଥିଲା । ଜଟିଆ ସଙ୍ଗେସଙ୍ଗେ ଜେସିବି ଲଗାଇ ପୁରୁଣା ଚାଳ ଘର ଭାଙ୍ଗି ଏକ ଗାତ ଖୋଲିଥିଲା । ଜଟିଆ ସମସ୍ତଙ୍କୁ କହିଥିଲା ଉକ୍ତ ଜାଗାରେ ପାଇଖାନା ଟାଙ୍କି ହେବ । ଖୋଳାଖୋଳି ପାଇଁ ଜଟିଆ ୫ ହଜାର ଟଙ୍କା ନେଇଥିଲା ।
୭ ତାରିଖ ଦିନ ଦୀପକ୍ ଶୁଭମିତ୍ରାଙ୍କୁ ମୃତଦେହ ନେଇ ସେଠାରେ ପହଞ୍ଚିଥିଲା । ମୃତ ଦେହ ଦେଖି ଜଟିଆ ପ୍ରଥମେ ଡରିଯାଇଥିଲା । ତାକୁ ଟଙ୍କାର ଲୋଭ ଦେଖାଇଥିଲା ଦୀପକ । ପତ୍ନୀ ନାଁରେ ୧ କୋଟି ୨୦ ଲକ୍ଷ ଟଙ୍କାର ବୀମା ରହିଛି । କିଛି ମାସ ପରେ ବୀମା ଟଙ୍କା ମିଳିଯିବ । ବୀମା ଟଙ୍କା ମିଳିଲେ ୧୦ ଲକ୍ଷ ଟଙ୍କା ଦେବି । ସେ ପର୍ଯ୍ୟନ୍ତ ମାସକୁ ୫ ହଜାର ଟଙ୍କା ଲେଖାଏଁ ପଠାଇବି । ଦୀପକର ଏଭଳି ଲୋଭନୀୟ ଅଫର ଦେଖି ଜଟିଆ ରାଜି ହୋଇଯାଇଥିଲା । ଖାଲି ସେତିକି ନୁହେଁ ଶୁଭମିତ୍ରାଙ୍କୁ ଯେଉଁଠି ପୋତା ହେବେ ତା ଉପରେ ଏକ ପାଇଖାନା ତିଆରି ହେବ । ଉକ୍ତ ପାଇଖାନାର ସମସ୍ତ ଖର୍ଚ୍ଚ ଦୀପକ ଦେବ ବୋଲି କହିଥିଲା । ତା’ପରେ ମୃତଦେହ ସେଠାରେ ପୋତା ହୋଇଥିଲା ।
ଶନିବାର କ୍ୟାପିଟାଲ ଥାନା ପୁଲିସ କେନ୍ଦୁଝର ଯାଇଥିଲା । ଜେସିବି ଡ୍ରାଇଭର ଓ ମାଲିକଙ୍କୁ ଘଟଗାଁ ଥାନାକୁ ନେଇ ପଚରାଉଚରା କରିଥିଲା ପୁଲିସ । ସେମାନଙ୍କ ଠାରୁ ପୁଲିସ କିଛି ତଥ୍ୟ ପାଇଛି । ଟଙ୍କା ପଇସା କାରବାର ନେଇ ଦୀପକଙ୍କ ବଡ଼ ଭାଇକୁ ପଚରାଉଚରା ପାଇଁ ପୁଲିସ ଖୋଜୁଛି । ହେଲେ ସେ ତଦନ୍ତରେ ସହଯୋଗ କରୁଥିବା ପୁଲିସ କହିଛି ।
ସେପଟେ ଦୀପକର ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କ ଭଉଣୀ ରୋଜାଲିନ୍ ରାଉତ ଖୁଣ୍ଟୁଣି ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଥିବା ବେଳେ ସାଂଘାତିକ ତଥ୍ୟ ପଦାକୁ ଆସିଛି । ୨୦୨୨ ମାର୍ଚ୍ଚ ୧୭ ତାରିଖ ରାତିରେ ଦୀପକ ଓ ଅପର୍ଣ୍ଣା ଢେଙ୍କାନାଳରୁ ଭୁବନେଶ୍ୱର ଫେରୁଥିବା ବେଳେ ରାତି ପ୍ରାୟ ୯ଟା ବେଳେ ଏକ ଟ୍ରକ୍(ଓଡି ୦୨ଏସ୍-୩୪୮୬) ଧକ୍କାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଦୀପକ ଥାନାରେ ଏତଲା ଦେଇଥିଲା । ସେତେବେଳେ ଟ୍ରକ୍ ଚାଳକ ଓ ମାଲିକ ପୁଲିସକୁ ଜଣାଇଥିଲେ, ଦୀର୍ଘ ଦିନ ହେବ ଉକ୍ତ ଗାଡ଼ି ସେ ରାସ୍ତାରେ ଯାଇନାହିଁ । ହେଲେ ପୁଲିସ ଚାଳକଙ୍କ କଥା କିଛି ଶୁଣି ନଥିଲା । ଏଫ୍ଆରଟି କରି ଛାଡ଼ି ଦେଇଥିଲା । ଏବେ ମଧ୍ୟ ଉକ୍ତ ଟ୍ରକ୍ ଚାଳକ ଓ ମାଲିକଙ୍କୁ ଖୁଣ୍ଟୁଣି ଥାନା ପୁଲିସ୍ ପଚରାଉଚରା କରିବ ବୋଲି ଜଣାପଡ଼ିଛି ।