କଟକ,୦୫/୦୧: କନଷ୍ଟେବଲ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ଗିରଫ ସ୍ୱାମୀ କନଷ୍ଟେବଳ ଦୀପକ ରାଉତ ତାଙ୍କ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ନେଇ ପୁଲିସ କିଛି ପ୍ରମାଣ ପାଇଛି । ଖୁବ୍ ଶୀଘ୍ର ପୁଲିସ ଏହାର ଚାଞ୍ଚଲ୍ୟକର ଖୁଲାସା କରିବାକୁ ଯାଉଛି ।ଖୁଣ୍ଟଣୀ ଥାନା ପୁଲିସ ଦୀପକକୁ ଦିନିକିଆ ରିମାଣ୍ଡରେ ନେଇଛି। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାର ଖୋଳତାଡ଼ କରିବା ସହ ଲାଏ ଡିଟେକ୍ସନ୍ ଟେଷ୍ଟ କରିପାରେ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ ଯେ, ପୂର୍ବରୁ ଝାରପଡ଼ା ଜେଲ୍ରେ ପଚରାଉଚରା କରିବା ବେଳେ ଅପର୍ଣ୍ଣାଙ୍କ ମୃତ୍ୟୁ ବାବଦରେ ତଦନ୍ତକାରୀ ଅଫିସରଙ୍କୁ ଦୀପକ କିଛି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛି । ତେଣୁ ଅଭିଯୁକ୍ତ ଦୀପକ ନାଁରେ ଆଉ ଏକ ହତ୍ୟା ମାମଲା ଯୋଡ଼ି ହେବାର ସମ୍ଭାବନା ରହିଛି । ଅପର୍ଣ୍ଣା ମୃତ୍ୟୁର ରହସ୍ୟ ଭେଦିବାକୁ ଅଭିଯୁକ୍ତ ଦୀପକର ଖୁବ୍ ଶୀଘ୍ର ମିଛଧରା ପରୀକ୍ଷା (ଲାଏ ଡିଟେକ୍ସନ୍ ଟେଷ୍ଟ) କରିବାକୁ ଯୋଜନା କରୁଛି ପୁଲିସ ।
ଉଲ୍ଲେଖ ଯୋଗ୍ୟ ଯେ, ୨୦୧୮ ଏପ୍ରିଲ ୨୫ ତାରିଖରେ ଦୀପକଙ୍କ ସହ ଅପର୍ଣ୍ଣାଙ୍କର ବିବାହ ହୋଇଥିଲା । ବିବାହ ପରଠାରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା । ଦୀପକଙ୍କ ମା’ ଓ ତାଙ୍କ ଧରମ ଭଉଣୀ ତଥା କମିସନ୍ରେଟ୍ ପୁଲିସ୍ରେ କାର୍ଯ୍ୟରତ ଜଣେ ମହିଳା ଅପର୍ଣ୍ଣାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଅପର୍ଣ୍ଣା ଢେଙ୍କାନାଳ ତହସିଲରେ ଚାକିରି କରିଥିବା ବେଳେ ଦୀପକ ତାଙ୍କ ନାମରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଲୋନ୍ କରିଥିଲା । ଏହି ଟଙ୍କାରେ ମାଛ ଚାଷ କରିବା ସହ ନିଜ ଭାଇର ବ୍ୟବସାୟରେ ଲଗାଇଥିଲା । ପାରିବାରିକ ବିବାଦ ଯୋଗୁଁ ଅପର୍ଣ୍ଣାଙ୍କର ପ୍ରଥମ ଗର୍ଭ ନଷ୍ଟ ହୋଇଥିଲା । ୨୦୨୨ ମସିହା ମାର୍ଚ୍ଚ ୩ ତାରିଖରେ ଅପର୍ଣ୍ଣା ଦ୍ୱିତୀୟ ଥର ଗର୍ଭବତୀ ଥିବାବେଳେ ତାଙ୍କୁ ଢେଙ୍କାନାଳରୁକଟକ ଆଣିବାକୁ ଯାଇଥିଲେ ଦୀପକ । ରାତି ପ୍ରାୟ ୮ଟା ବେଳକୁ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଅପର୍ଣ୍ଣାଙ୍କର ମୃତ୍ୟୁ ହୋଇଥିଲା । ସେ ସମୟରେ ଯେଉଁ ଟ୍ରକ୍ ନାଁରେ ଦୀପକ ଅଭିଯୋଗ ଆଣିଥିଲା ସେ ଟ୍ରକ୍ଟି ଅନ୍ୟ ସ୍ଥାନରେ ରହିଥିଲା । ତେଣୁ ଦୀପକ ଉପରେ ପୁଲିସର ସନ୍ଦେହ ବଢ଼ିଥିଲା । ଅପର୍ଣ୍ଣାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଅପର୍ଣ୍ଣାଙ୍କ ସାନଭଉଣୀ ରୋଜାଲିନ୍ ଅଭିଯୋଗ ଆଣିଥିଲେ । ବୀମା ବାବଦ ୧ କୋଟି ୨୦ ଲକ୍ଷ ଟଙ୍କା ହଡ଼ପ ପାଇଁ ଦୀପକ ଯୋଜନାବଦ୍ଧ ଭାବେ ଅପର୍ଣ୍ଣାଙ୍କୁ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଥିବା ନେଇ ସେ ଅଭିଯୋଗ କରି ପୁଲିସକୁ ବିସ୍ତୃତ ଭାବେ ଜଣାଇଥିଲେ । ଯାହାଫଳରେ ପୁଲିସ ଅପର୍ଣ୍ଣାଙ୍କ ମୃତ୍ୟୁ ଘଟଣାର ସାନି ତଦନ୍ତ କରିବାକୁ ଆଗେଇଥିଲା ।