ଅହମ୍ମଦାବାଦ,୦୩/୦୮: ଗୁଜରାଟର  ଅହମ୍ମଦାବାଦରେ ଶୁକ୍ରବାର କିଛି ସ୍ଥାନରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଛି । ସେହି ପୋଷ୍ଟରରେ  ଲେଖାଯାଇଥିଲା ଯେ, ଦୁଷ୍କର୍ମ-ଗଣଦୁଷ୍କର୍ମ ଘଟଣାକୁ ଏଡ଼ାଇବାକୁ ମହିଳାମାନେ ବିଳମ୍ବିତ ରାତିରେ ପାର୍ଟିକୁ ଯାଆନ୍ତୁ ନାହିଁ । ବନ୍ଧୁମାନଙ୍କ  ସହିତ ଶୂନଶାନ୍‌ ଅନ୍ଧାରୁଆ ସ୍ଥାନକୁ ଯିବାକୁ  ଏଡ଼ାଇ ଚାଲନ୍ତୁ । ଏଭଳି ଆପତ୍ତିଜନକ ସ୍ଲୋଗାନ୍‌କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା  ପରେ ପୋଷ୍ଟରଗୁଡିକୁ ହଟାଯାଇଛି । 

ଅହମ୍ମଦାବାଦର ସୋଲା ଓ ଚଣ୍ଡଲୋଡିଆ ଅଞ୍ଚଳରେ ରାସ୍ତାରେ ଥିବା ଡିଭାଇଡରଗୁଡ଼ିକରେ ‘ସତର୍କତା’ ନାମକ  ଏକ ସଂସ୍ଥା ପକ୍ଷରୁ ଗୁଜରାଟୀ ଭାଷାରେ ଏହି ପୋଷ୍ଟର ଲଗାଯାଇଥିଲା । ସେଥିରେ  ସଂସ୍ଥାର ନାମ ସହିତ ପ୍ରାୟୋଜକ ଭାବେ  ଅହମ୍ମଦାବାଦ ଟ୍ରାଫିକ ପୁଲିସର ନାମ ମଧ୍ୟ  ଉଲ୍ଲେଖ ରହିଥିଲା ।

ବିବାଦ ବଢ଼ିବା ପରେ  ଟ୍ରାଫିକ ଡିସିପି ସଫିନ୍‌ ହସନ କହିଛନ୍ତି ଯେ, ଏହି ମାମଲା ସହିତ ଅହମ୍ମଦାବାଦ ସହରର  ପୁଲିସର କୌଣସି ସଂପର୍କ ନାହିଁ । ଟ୍ରାଫିକ ନିୟମ ସଂପର୍କରେ ଲୋକଙ୍କୁ ସଚେତନ କରିବା ଭଳି ପୋଷ୍ଟର ଲଗାଇବାକୁ ଟ୍ରାଫିକ୍‌  ପୁଲିସ ପକ୍ଷରୁ ଏକ ଏନ୍‌ଜିଓକୁ ଅନୁମତି ଦିଆଯାଇଥିଲା । ସେହି ସଂସ୍ଥାକୁ କେବଳ ସଡ଼କ  ସୁରକ୍ଷା ବ୍ୟାନର ଓ ପୋଷ୍ଟର ଲଗାଇବାକୁ  ଅନୁମତି ମିଳିଥିଲା । କିନ୍ତୁ ମହିଳାଙ୍କ ସୁରକ୍ଷାକୁ ନେଇ ସଂସ୍ଥା ପକ୍ଷରୁ ଏଭଳି ପୋଷ୍ଟର  ଲଗାଇବା ସଂପୂର୍ଣ୍ଣ ଅଗ୍ରହଣୀୟ । ଏହି  ପ୍ରସଙ୍ଗରେ ପୁଲିସ କମିଶନର ଜିଏସ୍‌ ମଲିକ  କଡ଼ା ସଂଜ୍ଞାନ ନେଇଛନ୍ତି । ସୋଲା ପୁଲିସ  ଷ୍ଟେସନରେ ଏଥିନେଇ ଏକ ଅଭିଯୋଗ ବି  କରାଯାଇଛି । କାହାଠାରୁ ଅନୁମତି ପାଇ ଏନ୍‌ଜିଓ  ଅହମ୍ମଦାବାଦର ସଡ଼କରେ ଏହି ପୋଷ୍ଟର  ଲଗାଇଥିଲା ସେଥିନେଇ ତଦନ୍ତ କରାଯିବ ।  ସେପଟେ ଏହି ପ୍ରସଙ୍ଗକୁ ନେଇ  ରାଜନୈତିକ ଦଳ ସରକାରଙ୍କୁ ଘେରିଛନ୍ତି ।  

ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ପ୍ରଦେଶ  ମୁଖପାତ୍ର କରଣ ବାରୋଟ କଟାକ୍ଷ କରି  କହିଛନ୍ତି, ଅହମ୍ମଦାବାଦ ଦେଶର ସବୁଠୁ  ସୁରକ୍ଷିତ ସହର ହୋଇଥିବାବେଳେ ଏଭଳି  ପୋଷ୍ଟର କାହିଁକି ଲଗାଯାଇଛି। ସରକାର କ’ଣ  ଲୋକଙ୍କୁ ସୁରକ୍ଷା ପ୍ରଦାନ କରିପାରିବେ ନାହିଁ । ସେହିପରି ଗୁଜରାଟ କଂଗ୍ରେସର ପ୍ରଦେଶ  ଅଧ୍ୟକ୍ଷ ଅମିତ ଚାୱଡ଼ା ମଧ୍ୟ ଏହି ପ୍ରସଙ୍ଗରେ  ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।