କଟକ, ୨୫/୦୪ : ଆର୍ଆଇ, ଅମିନ ପଦ ପାଇଁ ଅନୁଷ୍ଠିତ ପ୍ରିଲିମ୍ନାରୀ ପରୀକ୍ଷାରେ ‘ଶାଶ୍ୱତ’ର ବିପରୀତ ଶବ୍ଦକୁ ନେଇ ବିବାଦ ଦେଖାଦେଇଛି। ଏହି ପରୀକ୍ଷାରେ ଆବେଦନକାରିଣୀ ରେଶ୍ମାରାଣୀ ସାହୁ ‘ଶାଶ୍ୱତ’ର ବିପରୀତ ଶବ୍ଦ ‘ନଶ୍ୱର’ ଲେଖିଥିବାବେଳେ ବିଶେଷଜ୍ଞ କମିଟି ‘କ୍ଷଣିକ’ ଉପଯୁକ୍ତ ଶଦ୍ଦ ଦର୍ଶାଇ ଏଥିପାଇଁ ମାର୍କ କାଟି ଦେଇଥିଲେ । ଫଳରେ ସେ ମୁଖ୍ୟ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଅନ୍ତରୀଣ ଆଦେଶରେ ଆବେଦନକାରିଣୀଙ୍କୁ ମୁଖ୍ୟ ପରୀକ୍ଷା ଦେବା ଲାଗି ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମାମଲାର ଚୂଡ଼ାନ୍ତ ରାୟ ଉପରେ ପରୀକ୍ଷାର ଭବିଷ୍ୟତ ନିର୍ଭର କରିବ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ।
ଆସନ୍ତା ୨୬ତାରିଖରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୟ କୁମାର ମିଶ୍ର ଏହି ଆଦେଶ ଦେଇଛନ୍ତି । ଜୁନ୍ ୨୨ ତାରିଖ ପରକୁ ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ମାମଲାର ଶୁଣାଣି ସମୟରେ ଆବେଦନକାରିଣୀଙ୍କ ପକ୍ଷରୁ ଦୁଇଟି ବ୍ୟାକରଣ ପୁସ୍ତକରେ ‘ଶାଶ୍ୱତ’ର ପ୍ରତିଶବ୍ଦ ‘ନଶ୍ୱର’ ଥିବା ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ବିପ୍ଳବ ବାହାଲୀ ମାମଲା ପରିଚାଳନା କରୁଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଜବରଦଖଲରେ ମହାରାଣୀ ତଖତକୁମାରୀଙ୍କ ଦାନ ଜମି: ପ୍ରାୟ ୨୦୦ ଏକର ଜାଗାକୁ ମାଡ଼ି ବସିଛନ୍ତି ମାଫିଆ