ନୂଆଦିଲ୍ଲୀ,୨୭।୫: କିଛି ବର୍ଷର ବ୍ୟବଧାନ ପରେ ପୁଣି ଭାରତରେ ମୁଣ୍ଡ ଟେକିବା ଆରମ୍ଭ କରିଛିରୋନା । ମୁମ୍ବାଇ, ଦିଲ୍ଲୀ ଓ କେରଳରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୭ ଛୁଇଁଛି। ଏହାଛଡା ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। କେବଳ ମହାରାଷ୍ଟ୍ରରୁ ୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହାକୁ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ମାତ୍ର ଏକ ସପ୍ତାହ ଭିତରେ ୯ ଜଣଙ୍କର ମୃତ୍ୟୁ ହୋଇଛି।
ଧିରେ ଧିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦେଶରେ କୋଭିଡକୁ ନେଇ ଏଯାଏ କୌଣସି ଆଡଭାଇଜରି ଜାରି କରିନାହନ୍ତି କେନ୍ଦ୍ର ସରକାର। ଏପର୍ଯ୍ୟନ୍ତ ଦେଶରେ ୧୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ICMR ର ତାଜା ରିପୋର୍ଟ ଅନୁସାରେ JN.1 ଭାରିଆଣ୍ଟ ସବୁଠାରୁ ଅଧିକ ବ୍ୟାପୁଛି। ଦେଶରେ ୪ଟି ଭାରିଆଣ୍ଟ ମିଳିଛି। ସେ ସବୁହେଲା LF.7, XFG, JN.1 ଏଂବ NB.1.8.1 ଭାରିଆଣ୍ଟ। ଏହା ଭିତରେ JN.1 କୁ ନେଇ ଚିନ୍ତା ରହିଛି। ଏହା ଓମିକ୍ରନ୍ର BA.2.86 ର ଷ୍ଟ୍ରେନ୍।
ଦିଲ୍ଲୀ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ କୋଭିଡ୍-୧୯ ମାମଲା ହଠାତ୍ ବୃଦ୍ଧି ପାଇଛି । ତେବେ ଭଲ କଥା ଏହା ଯେ ଏଥିରେ କୌଣସି ଅଧିକ ଗମ୍ଭୀର ଲହରୀ ଦେଖିବାକୁ ମିଳିନି। ଏହି ସମସ୍ତ ରାଜ୍ୟରେ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ଭାରତରେ କୋଭିଡ-୧୯ ଦୁଇଟି ନୂତନ ଭାରିଆଣ୍ଟ୍ NB.1.8.1 ଏବଂ LF.7 ଚିହ୍ନଟ ହୋଇଛି । ମେ ମାସରେ, କେରଳରେ ସର୍ବାଧିକ ୨୭୩ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେରଳର ଡାକ୍ତରଖାନାଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ଏବଂ ଥଣ୍ଡା ଓ କାଶ ଲକ୍ଷଣ ଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।