ଭୁବନେଶ୍ୱର,୧୩/୦୩: ବନ ବିଭାଗରେ ମହିନ୍ଦ୍ରା ଥାର୍ ଗାଡ଼ି କିଣା ଦୁର୍ନୀତି ମନରୁ ନ ଲିଭୁଣୁ ଆଉ ଏକ ଦୁର୍ନୀତି ସାମ୍ନାକୁ ଆସିଛି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ନେଚର୍ କ୍ୟାମ୍ପ୍ ନିର୍ମାଣ ଓ ନବୀକରଣ ଆଳରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।

"ଇକୋ ଟୁର୍ ଓଡ଼ିଶା' ଯୋଜନାରେ ଓଡ଼ିଶା ଫରେଷ୍ଟ୍ ଡେଭଲପମେଣ୍ଟ୍ କର୍ପୋରେସନ (ଓଏଫ୍‌ଡିସି) ୨୦୧୬ ଅକ୍ଟୋବରରେ ଦାରିଙ୍ଗବାଡିରେ ପ୍ରକୃତି ନିବାସ ସ୍ଥାପନ କରିଥିଲା । ମୋଟ ୧୦ଟି କଟେଜ୍ ନିର୍ମାଣ ହୋଇଥିଲା । ସେଥିରୁ ୬ଟି ନନ୍-ଷ୍ଟାଣ୍ଡାର୍ଡ ଓ ୪ଟି ଷ୍ଟାଣ୍ଡାର୍ଡ । ପ୍ରାୟ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସମୟକ୍ରମେ ନେଚର୍ କ୍ୟାମ୍ପ୍ ପୁରୁଣା ହେବାରୁ ମରାମତି ଦରକାର ପଡି଼ଲା ।

ଚିତ୍ତରଞ୍ଜନ ଦାଶ ସୂଚନା ଅଧିକାର ଆଇନ ଅନୁଯାୟୀ ପାଇଥିବା ତଥ୍ୟ ମୁତାବକ, ୨୦୨୪-୨୫ ଆର୍ଥିକ ବର୍ଷରେ ନବୀକରଣ ପାଇଁ ୨ କୋଟି ୭୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ସମସ୍ତ ପାଣ୍ଠି ଖର୍ଚ୍ଚ ବି ହେଲା । ହେଲେ ନବୀକରଣ ବାବଦ ହିସାବ ଦେଇପାରୁନାହିଁ ବନ ବିଭାଗ । କେବଳ ୧୦ଟି କଟେଜ୍ ନବୀକରଣ ବାବଦକୁ ୯୧ ଲକ୍ଷ ୯୩ ହଜାର ୭୭୪ ଟଙ୍କା ଖର୍ଚ୍ଚ କରାଗଲା । ତେବେ କଟେଜ୍ କାନ୍ଥରେ ରଙ୍ଗ ବୋଳି ପୁନରୁଦ୍ଧାର ରୂପ ଦିଆଯାଉଛି । ମୁଖ୍ୟ ଫାଟକଠାରୁ ପ୍ରକୃତି ନିବାସ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ବାବଦକୁ ୩୨ ଲକ୍ଷ ୬୮ ହଜାର ୩୨୦ ଟଙ୍କା ଖର୍ଚ୍ଚ ହୋଇଛି ।

ଶିଶୁମାନଙ୍କ ପ୍ଲେ-ଜୋନ୍ ପାଇଁ ୧୫ ଲକ୍ଷ ୬୮ ହଜାର ୧୨୩ ଟଙ୍କା, ଗେମ୍-ଜୋନ୍ ନବୀକରଣ ପାଇଁ ୪ ଲକ୍ଷ ୭୯ ହଜାର ୩୮୩ ଟଙ୍କା, ରିସେପସନ୍ ସେଣ୍ଟର ପୁନରୁଦ୍ଧାର ପାଇଁ ୨୧ ଲକ୍ଷ ୭୦ ହଜାର ୯୩୮ ଟଙ୍କା ଖର୍ଚ୍ଚ ହୋଇଛି । ବିଦ୍ୟୁତ ମରାମତି ନାଁରେ ୨୪ ଲକ୍ଷ ୭୪ ହଜାର ୮୮ ଟଙ୍କା ବ୍ୟୟ ହୋଇଛି । ଗଜିବୋ (ଟେଣ୍ଟ) ନିର୍ମାଣରେ ୧୦ ଲକ୍ଷ ୫୫ ହଜାର ୭୪୬ ଟଙ୍କା, ସୋଲାର୍ ସିଷ୍ଟମ୍ ସ୍ଥାପନରେ ୧୯ ଲକ୍ଷ ୩୫ ହଜାର ୧୯୦ ଏବଂ ଲଣ୍ଡ୍ରି ରୁମ୍ ନବୀକରଣରେ ୧୨ ଲକ୍ଷ ୩୮ ହଜାର ୫୧୦ ଟଙ୍କା ଖର୍ଚ୍ଚ କରାଯାଇଛି । ତେବେ ରାସ୍ତା କଥା ଦେଖିଲେ କେଉଁଟି ୫୦ ଫୁଟ୍ ପକ୍କା ରାସ୍ତା ଅଛି । ତା’ ପରେ ୧୦୦ ଫୁଟ୍ ରାସ୍ତା ମୋରମରେ ନିର୍ମିତ । ରାସ୍ତା ଖାଲଢ଼ିପରେ ଭର୍ତ୍ତି । ଯେଉଁ କିଛି ଅଂଶ ରାସ୍ତା ରହିଛି ତାହା ଚାଲିବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ । ଖେଳ-ଜୋନ୍‌ରେ ଟଙ୍କାଟିଏ ସାମଗ୍ରୀ ନୂଆ ଲାଗିନାହିଁ । କେବଳ ଯାହା ରଙ୍ଗ ବୋଳା ଯାଇଛି । ଗେମ୍ ଜୋନ୍ ବି ଅସଜଡ଼ା ।

ଅଧିକ ପଢ଼ନ୍ତୁ :- କଟକରେ ୩ ହଜାରରୁ ଅଧିକ କିଡ୍ନୀ ଆକ୍ରାନ୍ତ, ନିରାକରଣ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ସାହାରା

ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ କହିଛନ୍ତି, ସେ କାର୍ଯ୍ୟ ଭାର ସମ୍ଭାଳିବା ପୂର୍ବରୁ ନବୀକରଣ କାମ ପ୍ରାୟତଃ ସରିଯାଇଥିଲା । କେବଳ ଯାହା ଗେମିଂ ଜୋନ୍‌କୁ ବନ୍ଦ ରଖାଯାଇଛି । ଖୁବ୍‌ଶୀଘ୍ର ଦର୍ଶକଙ୍କ ପାଇଁ ଖୋଲାଯିବ । ଡିପିଆର ଅନୁସାରେ ପର୍ଯ୍ୟାୟକ୍ରମେ ନବୀକରଣ କାମ କରାଯାଇଛି ବୋଲି ସେ କହିଛନ୍ତି ।