କୁଜଙ୍ଗ,୦୧/୦୨ : ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ୱାରା ଗ୍ରାମାଞ୍ଚଳର ଶ୍ରମିକଙ୍କୁ ୧୦୦ ଦିନର କାମ ଦେବା ପାଇଁ ଏହି ଯୋଜନା ପ୍ରତ୍ୟେକ ବ୍ଲକ୍ରେ ପ୍ରଣୟନ କରାଯାଉଛି । ହେଲେ କୁଜଙ୍ଗ ବ୍ଲକ୍ ଗଣ୍ଡକିପୁର ପଞ୍ଚାୟତରେ ଏହି ଯୋଜନାର ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି । ଏହି ପଞ୍ଚାୟତରେ ରାସ୍ତା ନିର୍ମାଣ ହୋଇନଥିବା ବେଳେ ମନରେଗା ଯୋଜନା ମାଧ୍ୟମରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଉଛି । ମନରେଗା ଯୋଜନାରେ କାମ କରୁଥିବା ଯେଉଁ ଶ୍ରମିକଙ୍କ ନାମ ମଷ୍ଟର୍ ରାଲ୍ରେ ଦର୍ଶାଯାଇଛି, ଅଥଚ ସେମାନେ କାମ ବିଷୟରେ କିଛି ବି ଜାଣି ନାହାନ୍ତି ।
ଏହି ବେଆଇନ୍ କାମରେ ପଞ୍ଚାୟତ ସ୍ତରୀୟ ଅଧିକାରୀ, ଲୋକ ପ୍ରତିନିଧି ଓ କିଛି ଦଲାଲ୍ଙ୍କ ବଡ ଭୂମିକା ରହିଥିବା ସନ୍ଦେହ ଉପୁଜୁଛି । ମିଥ୍ୟା ପ୍ରକଳ୍ପ ଦର୍ଶାଇ ଚାଲିଥିବା କାର୍ଯ୍ୟ ଗୁଡ଼ିକର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଦୁର୍ନୀତିର ପେଡ଼ି ଖାଲିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ମନରେଗା ଯୋଜନାର ସରକାରୀ ପୋର୍ଟାଲ ତଥ୍ୟ ଅନୁସାରେ ଆଜି କୁଜଙ୍ଗ ବ୍ଲକ୍ ୨୮ ପଞ୍ଚାୟତ ମାନଙ୍କରେ ୧୨୭ଟି ପ୍ରକଳ୍ପ ଓ ଆବାସ ଗୃହ ନିର୍ମାଣ ନାଁରେ ମୋଟ ୭୪୬ ଜଣ ଜବ୍ କାର୍ଡଧାରୀ ଶ୍ରମିକ ମନରେଗା ଯୋଜନାରେ ହେଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଶ୍ରମିକମାନେ ଅମୃତ ସରୋବର ପୋଖରୀ, ରାସ୍ତା ନିର୍ମାଣ, ଆବାସ ଗୃହ, ମା’ ପାଇଁ ବୃକ୍ଷଟିଏ ଯୋଜନା ନାଁରେ କାମ କରୁଥିବା ମନରେଗା ଯୋଜନା ପୋର୍ଟାଲରେ ଦର୍ଶାଯାଇଛି । ବ୍ଲକର ୨୮ ପଞ୍ଚାୟତରେ ସମୁଦାୟ ୭୪୬ ଜଣ ଜବକାର୍ଡଧାରୀ କାମ କରୁଥିବା ବେଳେ ଗଣ୍ଡକିପୁର ପଞ୍ଚାୟତର ୮ଟି ପ୍ରକଳ୍ପରେ ୩୬ ଜଣ ଶ୍ରମିକ କାମ କରୁଥିବା ସରକାରୀ ତଥ୍ୟ କହୁଛି । ୭ଟି ଆବାସ ଯୋଜନାରେ ଶ୍ରମିକ ଦର୍ଶାଯାଇଥିବା ବେଳେ ଅନ୍ୟଟି ବାଲିତଣ୍ଡା ଶ୍ମଶାନଠାରୁ ପୋଲ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ କରାଯାଉଥିବା ସରକାରୀ ତଥ୍ୟ ଦର୍ଶାଉଛି ।
ଆହୁରି ପଢନ୍ତୁ-୨୧ ହଜାର ଜୀବନ ରକ୍ଷା କରିଛନ୍ତି ଅଗ୍ନିଯୋଦ୍ଧା, ଉଦ୍ଧାର କରିଛନ୍ତି ୫୦ ହଜାରୁ ଅଧିକ ପଶୁ
ମାତ୍ର ସରକାରୀ ତଥ୍ୟ ଅନୁସାରେ ଏହି ଉନ୍ନତିକରଣ କରାଯାଉଥିବା ରାସ୍ତା ଦେଖିବାକୁ ମିଳୁନି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ରାସ୍ତାରେ ମାଟି ମୁଠେ ପଡ଼ି ନଥିବା ବେଳେ ଏଠାରେ ଜଣେ ବି ଶ୍ରମିକ କାମ କରି ନାହାନ୍ତି । ଏକ ସୂଚନା ଫଳକ ଲଗାଇ ଦୈନନ୍ଦିନ ଉକ୍ତ ରାସ୍ତା ଉନ୍ନତିକରଣ ନାଁରେ ପ୍ରାୟ ୫ ଲକ୍ଷ ଟଙ୍କା ହଡ଼ପ କରାଯାଉଛି । ଉଛବ ବିଶ୍ୱାଳ ଘରଠାରୁ ନୂଆସାହି ପୋଲ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ ନାଁରେ ୩ ଲକ୍ଷ ହଡ଼ପ କରିବାକୁ ଉଦ୍ୟମ ଚାଲିଛି । ସରକାରୀ ତଥ୍ୟ ସ୍ଥାନୀୟ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚାର ପରଧିକୁ ଆସିଛି । ସରକାରୀ ତଥ୍ୟ ଅନୁଯାୟୀ ଶ୍ରମିକ କାର୍ଯ୍ୟ ସ୍ଥଳରେ କାମ କରୁନଥିବା ଦେଖିବାକୁ ମିଳିଛି । ଦର୍ଶାଯାଇଥିବା ଶ୍ରମିକଙ୍କ ମଧ୍ୟରୁ କାହାର ବୟସ ସୀମା ୭୦ରୁ ୭୫ ଅତିକ୍ରାନ୍ତ ହୋଇଥିବା ବେଳେ ଅନ୍ୟ କିଛି ଶ୍ରମିକ ବିଭିନ୍ନ ଶିଳ୍ପ ସଂସ୍ଥାରେ ଦୈନଦିନ ଶ୍ରମିକ ଭାବେ କାମ କରନ୍ତି । ପୁରୁଣା ପ୍ରକଳ୍ପକୁ ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି ଅର୍ଥ ବାଟମାରଣା କରିବାକୁ ବିରାଟ ଷଡ଼ଯନ୍ତ୍ର ଚାଲିଥିବା ସ୍ଥାନୀୟ ସମିତିସଭ୍ୟାଙ୍କ ପ୍ରତିନିଧି ଆଶିଷ ସାମଲ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ୱାଇଁ ମତାମତ ନେବାରୁ ସେ ଘଟଣା ସମ୍ପର୍କରେ ଅବଗତ ନଥିବା କହିଥିଲେ ।