ଭୁବନେଶ୍ୱର, ୧।୨: ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ଦୁର୍ଘଟଣାରେ ୨୧ ହଜାର ୧୨ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଅଗ୍ନିଯୋଦ୍ଧା । ୫୦ ହଜାରୁ ଅଧିକ ପଶୁଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି । ସଡ଼କ ସୁରକ୍ଷା ମାସର ଶେଷ ଦିନରେ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମରେ ଏହି ତଥ୍ୟ ଦେଇଛନ୍ତି ଅଗ୍ନିଶମ ଡିଜି ଡ଼ ଶୁଧାଂଶୁ ଷଡ଼ଙ୍ଗୀ । ସଡ଼କ ଦୁର୍ଘଟଣା ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନାରେ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଡିଜି ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ଆଲୋଚନାରେ ଡିଜି ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କେବଳ ଅଗ୍ନି ଲିଭାଇବା ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ସଡ଼କ ଦୁର୍ଘଟଣା ଏବଂ ବିପର୍ଯ୍ୟୟ ପରିଚାଳନାର ପ୍ରଥମ ପ୍ରତିକ୍ରିୟାକାରୀ ଭାବରେ କାର୍ଯ୍ୟ କରେ । ଆମର କର୍ମଚାରୀମାନେ ପ୍ରତିଦିନ ଜୀବନ ବଞ୍ଚାଉଛନ୍ତି । ଖବର ପାଇ ଅଗ୍ନିଯୋଦ୍ଧମାନେ ଦୁର୍ଘଟଣାସ୍ଥଳକୁ ଯାଉଛନ୍ତି । ଆହତ ରୋଗୀଙ୍କୁ କେମିତି ପ୍ରଥମିକ ଚିକିତ୍ସା ଦେବାକୁ ପଡ଼ିବ ସେ ନେଇ ଆଗ୍ନିଯୋଦ୍ଧାଙ୍କୁ ତାଲିମ ଦିଆଯାଇଛି ।
ବିଶେଷ କରି ଆମେ ମେରୁଦଣ୍ଡ ଏବଂ ମୁଣ୍ଡ ଆଘାତ ପୀଡ଼ିତଙ୍କୁ ପରିଚାଳନା କରିବାରେ ଉନ୍ନତ ତାଲିମ ଦେଇଛୁ । ହସ୍ପିଟାଲ ସ୍ଥାନାନ୍ତର ପୂର୍ବରୁ ରୋଗୀଙ୍କୁ ସ୍ଥିର କରିବା, ଅଚେତ ରୋଗୀଙ୍କ ନିରାପଦ ପରିଚାଳନା ଏବଂ ପ୍ରଭାବଶାଳୀ ସିପିଆର୍ ଉପରେ ଧ୍ୟାନ ଦେଉଛନ୍ତି ଅଗ୍ନିଯୋଦ୍ଧା । ତାଛଡ଼ା ନିୟମିତ ମକ୍ ଡ୍ରିଲ୍ ଏବଂ ହ୍ୟାଣ୍ଡ-ଅନ୍ ସିମୁଲେସନ୍ ଉଦ୍ଧାର କ୍ଷମତାକୁ ଆହୁରି ମଜବୁତ କରାଯିବ ବୋଲି ସେ କହିଛନ୍ତି । ଏବେ ଅଗ୍ନିଶମ ବିଭାଗରେ ଯୋଡି ହୋଇଛି ଅତ୍ୟାଧୁନିକ ମିନି ଦମକଳ ଗାଡ଼ି । ପ୍ରଥମ ପର୍ଯ୍ୟାୟରେ ୩୨ଟି ଗାଡ଼ି ମିଳିଛି । ଏ ସବୁ ଗାଡ଼ି ଦୁର୍ଘଟଣା ପ୍ରବଣ ଜିଲ୍ଲା ଓ ପ୍ରମୁଖ ସହରରେ ନିୟୋଜିତ ହେବ । ମିନି ଦମକଳ ଗାଡ଼ିରେ ନିଆଁ ଲଭାଇବାକୁ ପାଣି, ପ୍ରାଥମିକ ଚିକିତ୍ସା ପାଇଁ ମେଡିସିନ୍, ଅକ୍ସିଜେନ୍ ସିଲିଣ୍ଡର, ଉଦ୍ଧାର ଏବଂ ଜୀବନ ରକ୍ଷାକାରୀ ଉପକରଣ ରହିବ । ଉକ୍ତ ଗାଡ଼ି ଅତି ସହଜରେ ସବୁ ସ୍ଥାନକୁ ଯାଇପାରୁଛି । ବଡ଼ ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ମୃତଦେହକୁ ରଖିବା ପାଇଁ ପୂର୍ବରୁ ଅଗ୍ନିଶମ ବିଭାଗର ପାଖରେ କୌଣସି ଗାଡ଼ି ନଥିଲା । ଏବେ ଶବ ସଂରକ୍ଷଣ ଗାଡ଼ି କିଣା ଯାଇଛି । ଉକ୍ତ ଗାଡ଼ରେ ଫ୍ରିଜ୍ର ବ୍ୟବସ୍ଥା ଅଛି । ଏକା ସାଙ୍ଗରେ ୧୨ ମୃତ ଦେହ ୩୬ ଘଣ୍ଟା ରହିପାରିବ ବୋଲି ଡିଜି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।
ଅଗ୍ନିଶମ ବିଭାଗ ପାଖରେ ଦୁର୍ଘଟଣାକ୍ଷତିଗ୍ରସ୍ତ ଗାଡ଼ିକୁ କାଟିବା ପାଇଁ ପ୍ଲାଜ୍ମା କଟର୍, ବଳପୂର୍ବକ ପ୍ରବେଶ ଏବଂ ପୀଡ଼ିତଙ୍କୁ ନିଷ୍କାସନ ପାଇଁ ପାୱାର ପ୍ୟାକ୍ ସହିତ ହାଇଡ୍ରୋଲିକ୍ କଟର ଏବଂ ସ୍ପ୍ରେଡର୍, ଓଲଟି ପଡ଼ିଥିବା କିମ୍ୱା ଚାପି ହୋଇଥିବା ଯାନ ପାଇଁ ଏୟାର-ଲିଫ୍ଟିଂ ପାଇଁ ନ୍ୟୁମେଟିକ୍ ଲିଫ୍ଟିଂ ବ୍ୟାଗ, ମେରୁଦଣ୍ଡ ଅଚଳଙ୍କ ପାଇଁ ମେରୁଦଣ୍ଡ ଷ୍ଟ୍ରେଚର୍ସ³ ଜରୁରୀକାଳୀନ ହୃଦ୍ ପୁନରୁଦ୍ଧାର ପାଇଁ ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର(ଏଇଡି) ରହିଛି । ୨୦୨୩ରେ ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ୫୩୯୩ ଦୁର୍ଘଟଣସ୍ଥଳକୁ ଯାଇଥିଲା । ଏହି ଦୁର୍ଘଟଣା ସ୍ଥଳରୁ ୬୪୩୭ଙ୍କୁ ଜୀବନ ରକ୍ଷା କରିଥିଲା । ୨୦୨୪ରେ ୪୯୩୬ଟି ଦୁର୍ଘଟଣାରୁ ୫୮୩୩ ଜଣଙ୍କୁ ଓ ୨୦୨୫ରେ ୮,୧୭୨ଟି ସଡ଼କ ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳକୁ ଯାଇ ସଫଳତାର ସହିତ ୮,୭୪୨ ଜୀବନ ରକ୍ଷା କରିଥିଲେ । କେମିତି ଉଦ୍ଧାର ହେବ ତା’ ଉପରେ ଏକ ଏକ ଲାଇଭ୍ ଡୋମେ ପ୍ରଦର୍ଶନ ହୋଇଥିଲା । ଅଗ୍ନିଶମ ଡିଜି ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଅଗ୍ନିଯୋଦ୍ଧାମାନେ ଦିନକୁ ଦିନ ଅଧିକ କ୍ଷମତା ହାସଲ କରୁଛନ୍ତି । ସେମାନଙ୍କୁ ଅଧିକରୁ ଅଧିକ ତାଲିମ ଦିଆଯାଉଛି । ଆମ ପାଖରେ ଯେଉଁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଯାନ ରହିଛି ତାହା ଦେଶର ଅନ୍ୟ କେଉଁ ଅଗ୍ନିଶମ ବିଭାଗର ପାଖରେ ନାହିଁ । ୧୧୨କୁ ଫୋନ୍ କଲେ ଅଗ୍ନିଯୋଦ୍ଧାମାନେ ସେବା ଯୋଗାଇ ଦେବାକୁ ସବୁ ସମୟରେ ପ୍ରସ୍ତୁତ ଅଛନ୍ତି ବୋଲି ଡିଜି କହିଛନ୍ତି ।
ଆହୁରି ପଢ଼ନ୍ତୁ... ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ସମନ୍ୱୟ ବୈଠକ: ଅଘଟଣ ଏଡାଇବାକୁ ଅଧିକ ଗୁରୁତ୍ବ, ଜଗିବ ସିସିଟିଭି କ୍ୟାମେରା