ପାଟଣାଗଡ଼,୨୭/୧୧ : ଚାଷୀମାନେ କପା କ୍ୱିଣ୍ଟାଲ ପିଛା ୮୧୦୦ସରକାରୀ ମୂଲ୍ୟରେ ବିକ୍ରି କରିବେ, ଶୋଷଣର ଶିକାର ନ ହେବେ ସେଥିପାଇଁ ବୁଧବାର ପାଟଣାଗଡ଼ ବ୍ଲକ ଯୋଗିମୁଣ୍ଡା ଆରଏମସିଠାରେ ସାଂସଦଙ୍କ ଉପସ୍ଥିତିରେ ସିସିଆଇ ଓ ପ୍ରଶାସନ ପକ୍ଷରୁ କପା ମଣ୍ଡିର ଶୁଭାରମ୍ଭ ସହ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । କିନ୍ତୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଅଞ୍ଚଳରେ ଥିବା କପା ମିଲ ଗୁଡ଼ିକରେ ମଣ୍ଡି ପୁର୍ବରୁ ଅଞ୍ଚଳର ଚାଷୀମାନଙ୍କୁ ଶୋଷଣ କରାଯାଇ କପା କ୍ୱିଣ୍ଟାଲ ପିଛା ୬୦୦୦ରୁ ୬୫୦୦ଟଙ୍କା ମୂଲ୍ୟରେ ଦଲାଲ ତଥା ବେପାରୀ ମାଧ୍ୟମରେ ନିର୍ଦ୍ଦିଷ୍ଟ ମିଲ ଗୁଡ଼ିକ ହଜାର ହଜାର କ୍ୱିଣ୍ଟାଲ କପା ଗଛିତ ରଖିଥିବା ଅଭିଯୋଗ ହେଉଛି । ମଣ୍ଡି ଆରମ୍ଭ ପରେ ମିଲ୍ ଗୁଡ଼ିକ ଏହି ଗଛିତ କପାକୁ ଚାଷୀ ନାମରେ ଏଣ୍ଟ୍ରି କରାଇ କୋଟିକୋଟି ଟଙ୍କା ହଡପ କରିବାର ମସୁଧା ଚଳାଇଥିବା ଚାଷୀ ମହଲରେ ଅଭିଯୋଗ ଉଠିଛି ।
ମିଳିଥିବା ସୂଚନା ଅନୁସାରେ ପାଟଣାଗଡ଼ ବ୍ଲକରେ ଥିବା ମୁଦଲସର ରେଙ୍ଗାଲିର ସତ୍ୟବାଦୀ କାଟନ କପା ମିଲରେ ତିନି ହଜାରରୁ ଊର୍ଦ୍ଧ୍ୱ କ୍ୱିଣ୍ଟାଲ, ଚି଼ଙ୍ଗେରବନ୍ଧଠାରେ ଥିବା ମିଲ ଚା ପଡ଼ିଆ କଟନରେ ୩ହଜାରରୁ ଊର୍ଦ୍ଧ୍ୱ କିଣ୍ଟାଲ, ବାଙ୍କିବାହାଲଠାରେ ଥିବା ଆକାଶ ଜିନୀଙ୍ଗ ମିଲରେ ୫ହଜାର କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ କପା ଗଛିତ ରଖିଥିବା କୁହାଯାଉଛି । ଫଳରେ ଏହି ମିଲ ଗୁଡ଼ିକ କପା ମଣ୍ଡି ସମୟରେ ଚାଷୀଙ୍କଠାରୁ କପା କିଣିଥିବା ଦର୍ଶାଇ ପୂର୍ବରୁ ଗଛିତ ରଖିଥିବା ହଜାର ହଜାର କ୍ୱିଣ୍ଟାଲ କପାକୁ ସିସିଆଇଠାରେ ଚାଷୀଙ୍କ ନାମରେ ଏଣ୍ଟ୍ରି କରାଇ କପା ସବୁ ସରକାରୀ ମୂଲ୍ୟ ହିସାବରେ କୋଟି କୋଟି ଟଙ୍କା ହଡ଼ପ କରିବାର ମସୁଧା ଚଳାଇଥିବା ଅଭିଯୋଗ ଉଠିଛି । ଅପରପକ୍ଷରେ ମୁଦଲସର ରେଙ୍ଗାଲିର ସତ୍ୟବାଦୀ କଟନ ମିଲର ଚାଷୀଙ୍କୁ ଶୋଷଣ କରି କମ ମୂଲ୍ୟରେ କପା କିଣି ହରିୟାଣା ଓ ରାଜସ୍ଥାନ ରାଜ୍ୟକୁ ପ୍ରଶାସନର ବିନା ଅନୁମତିରେ ବେଆଇନ ଭାବେ କପା ବିକ୍ରି କରୁଥିବା ଜଣାପଡିଛି ।
ଏହି ମିଲରେ ଅନେକ ସମୟରେ ରାଜସ୍ଥାନ ଓ ହରିୟାଣା ଅଞ୍ଚଳର ଗାଡି ଗୁଡିକ ଅଟକି ରହିଥିବା ଦେଖିବାକୁ ମିଳୁଛି।ତେବେ ରାଜ୍ୟ ସରକାର ଚାଷୀ ଅମଳ କରିଥିବା କପାକୁ କିଭଳି ଉଚିତ ମୂଲ୍ୟରେ ବିକ୍ରି କରିପାରିବେ,ଶୋଷଣ ନ ହେବେ ସେଥିପାଇଁ ସଚେତନତା ସହ ମଣ୍ଡି ମାଧ୍ୟମରେ ଉଚିତ ମୂଲ୍ୟରେ ବିକ୍ରି ପାଇଁ ଯେଉଁ ଲକ୍ଷ ରଖିଛନ୍ତି ଏଭଳି ଅସାଧୁ ମିଲର ଗୁଡିକ ପାଇଁ ସରକାରଙ୍କ ଯୋଜନା ସବୁ ଚାଷୀଙ୍କ ପାଖରେ ପହଁଞ୍ଚିପାରୁନଥିବା ଅଞ୍ଚଳର ଚାଷୀମାନେ ଅଭିଯୋଗ ଆଣିଛନ୍ତି।ଅନ୍ୟପଟେ ମଣ୍ଡି ଆରମ୍ଭ ପରେ ଚୁକ୍ତିନାମା ହୋଇଥିବା ମିଲର ଗୁଡ଼ିକ ଚାଷୀଙ୍କଠାରୁ କପା କିଣିବାର ନିୟମ ଥିବାବେଳେ ପ୍ରାୟତଃ ଅଶି ପ୍ରତିଶତ ବେପାରୀ ମାଧ୍ୟମରେ ମିଲର ଗୁଡ଼ିକ କପା କିଣୁଥିବା ଅଭିଯୋଗ ଉଠିଛି । ଫଳରେ ସରକାରଙ୍କ କପା ମଣ୍ଡି ବେପାରୀଙ୍କ ପାଇଁ ଓ ଚାଷୀଙ୍କ ପାଇଁ ଭେଳିକି ବୋଲି ଅଭିଯୋଗ ହେଉଛି । ଏ ବିଷୟରେ ଉପଜିଲ୍ଲାପାଳ ପାଟଣାଗଡ଼ ସୁନୀଲ ମେହେରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଣୁ ଏ ଘଟଣାରେ ଏକ ଟିମ କରାଯାଇ ଚଢ଼ାଉ କରାଯିବ ଓ ଏହାର ଉଚିତ ତଦନ୍ତ ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।