ନୂଆଦିଲ୍ଲୀ,୦୩/୧୦: କାଳ ହେଲା କଫ୍ସିରପ । ଜୀବନ ନେଲା ମାଗଣା ଔଷଧ । ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଆଉ ୩ ପିଲାଙ୍କ ମୃତ୍ୟୁ ହୋଇଛି । କିଡନୀ ଫେଲ୍ ହେବାରୁ ଗତ ୨୮ ଦିନରେ ୯ ପିଲା ଆଖି ବୁଜିଲେଣି । କଫ୍ସିରପ ପାଇଁ ଏହି ପିଲାଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତଦନ୍ତ ପାଇଁ ସାମ୍ପୁଲ ରିପୋର୍ଟ ପଠାଯାଇଛି । ଛିନ୍ଦୱାଡା ଏସଡିଏମ ଶୁଭମ ଯାଦବ ଏ ନେଇ ସୂଚନା ଦେଇଛନ୍ତି । ସେପଟେ ରାଜସ୍ଥାନରେ ଦୁଇ ପିଲାଙ୍କର ମୃତ୍ୟୁ ପରେ କଫସିରଫକୁ ନେଇ ଭୟ ବଢିବାରେ ଲାଗିଛି । ଦୁଇ ରାଜ୍ୟରେ ମୃତ୍ୟୁର କାରଣ କଫ୍ ସିରପ ପାଇଁ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।
ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ସେପ୍ଟେମ୍ବର ୪ ପରେ ଅନେକ ପିଲାଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ଯେଉଁଥିରେ ଲକ୍ଷଣ ସମାନ ରହିଛି । ଆଖି ବୁଜିଥିବା ସମସ୍ତ ପିଲାଙ୍କୁ ପ୍ରଥମେ ଥଣ୍ଡା ହୋଇଥିଲା । କୁହାଯାଉଛି କି, ଏହି ପିଲା କାଶ କଫ୍ ସିରପ ପିଇ ଥିଲେ । ଏହାପରେ ସେମାନଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ବିଗିଡିଥିଲା । ଏହାପରେ କିଡନୀ ଫେଲ୍ ହେବାରୁ ସେମାନଙ୍କ ମୃତ୍ୟୁ ହୋଇଛି । ଛିନ୍ଦୱାଡ଼ା ଏସଡିଏମ ଶୁଭମ ଯାଦବ କହିଛନ୍ତି କି, ଅସୁସ୍ଥ ହୋଇଥିବା ପିଲାଙ୍କୁ ନରୀକ୍ଷଣରେ ରଖାଯାଇଛି । କାରଣ ନେଇ ଯାଞ୍ଚ ଚାଲିଛି । ୧୪୨୦ ପିଲାଙ୍କ ତାଲିକା ପ୍ରସ୍ତୁତ ହୋଇଛି । ପିଲାମାନଙ୍କୁ ୬ ଘଣ୍ଟା ମନିଟିଂରେ ରଖାଯାଇଛି । ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଲେ ଜିଲ୍ଲା ହସ୍ପିଟାଲକୁ ପଠାଇବୁ ।
ଏସଡିଏମ ଆହୁରି କହିଛନ୍ତି, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ପଠାଯାଇଥିବା ଟିମ୍ ସାମ୍ପୁଲ ଯାଞ୍ଚ କରୁଛନ୍ତି । ହେଲେ ଠୋସ୍ କାରଣ ଜଣପଡିନାହିଁ । ପାଣି ଏବଂ ମଶାଙ୍କ ପାଇଁ କିଛି ସମସ୍ୟା ହୋଇଥାଇପାରେ । ଏବେ ଯାଏ ରିପୋର୍ଟ ସ୍ୱାଭାବିକ ରହିଛି । ଯେଉଁ ୯ଜଣ ପିଲାଙ୍କର ମୃତ୍ୟୁ ହୋଇଛି ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପରିବାର ସହିତ କଥା ହୋଇଛୁ । ୫ ଜଣ ଗୋଟିଏ କଫ୍ସିରପ୍ ପିଇ ଥିବାବେଳେ ଅନ୍ୟ ଜଣେ ଅଲଗା ସିରପ୍ ପିଇଥିଲେ । ତାର ସାମ୍ପୂଲ ବି ଯାଞ୍ଚ ହେଉଛି । ଶିଶୁରୋଗ ବିଭାଗର ମୁଖ୍ୟ ଏବଂ ସହଯୋଗୀ ପ୍ରଫେସର ଡାକ୍ତର ପବନ ନାନ୍ଦୁନକର କହିଛନ୍ତି, ମୃତ୍ୟୁ ଏବଂ କିଡନୀ ସମସ୍ୟା ପାଇଁ କୋଲଡ୍ରଫି୍ କଫ୍ସିରପକୁ ଦାୟୀ କରାଯାଉଛି । କିନ୍ତୁ ଏହା ତଦନ୍ତର ବିଷୟ ।