ନୂଆଦିଲ୍ଲୀ,୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ଟାରିଫ୍ ବମ୍ ବହୁ ଦେଶର ନିଦ ହଜାଇଛି। ସାରା ବିଶ୍ବରେ ଏହାକୁ ନେଇ ଖୁବ୍ ଚର୍ଚ୍ଚା। ନିକଟରେ ଟ୍ରମ୍ପ ଭାରତ ଉପରେ ଲଗାଇଛନ୍ତି ୨୫% ଟାରିଫ୍ ସହ ଜରିମନା। ଏହାକୁ ବିଶେଷଜ୍ଞମାନେ ଡିପ୍ଲୋମାଟିକ୍ ପ୍ରେସର ବା କୁଟନୈତିକ ଚାପ ବୋଲି କହିଛନ୍ତି। ରୁଷ ଏବଂ ଇରାନଠାରୁ ଭାରତକୁ ଦୂର କରିବା ଏବଂ ଆମେରିକା ସହ ବାଣିଜ୍ୟ ଚୁକ୍ତି କରିବାକୁ ଏହା ଟ୍ରମ୍ପଙ୍କ ଏକ ବଡ଼ ପ୍ଲାନିଂ। ଭାରତର ଚୀର ପ୍ରତିଦ୍ବନ୍ଦୀ ତଥା ପଡୋଶୀ ଦେଶ ପାକିସ୍ତାନ ପ୍ରତି ଦେଖାଇଛନ୍ତି ନରମ ମନୋଭାବ । ପାକିସ୍ତାନ ସହ ଏକ ଗୁରୁତ୍ବପୂର୍ଣ୍ଣ ବିଜନେସ୍ ଡିଲ୍ ଘୋଷଣା କରିଛନ୍ତି ଟ୍ରମ୍ପ। ଯାହାଦ୍ବାରା ଆମେରିକା ଓ ପାକିସ୍ତାନ ଏକାଠି ମିଶି ପାକିସ୍ତାନରେ ‘ବିଶାଳ ତୈଳ ଭଣ୍ଡାର’କୁ ବିକଶିତ କରିବେ।

ଟ୍ରମ୍ପଙ୍କ ଏହି ଘୋଷଣାକୁ ବହୁ ବିଶେଷଜ୍ଞ କୁଟନୈତିକ ଚାପ ବୋଲି କହିଛନ୍ତି। ଏହାର ମୁଖ୍ୟ ଉଦେଶ୍ୟ ଚୀନ୍ ଉପରେ ପାକିସ୍ତାନର ବଢୁଥିବା ନିର୍ଭରତାକୁ କମ୍ କରିବ। ଏହା ସହ ଭାରତ ଉପରେ ବାଣିଜ୍ୟ ଚୁକ୍ତି କରିବାକୁ ଚାପ ପକାଇବା। ଟ୍ରମ୍ପ ଚାହୁଁଛନ୍ତି ରୁଷ ବଦଳରେ ଆମେରିକାଠାରୁ ଭାରତ କୃଷି ଏବଂ ସାମରିକ ଉପକରଣ କିଣୁ। ତେବେ ଭାରତ ସ୍ପଷ୍ଟ କରିଛି ଯେ, ଚାପରେ କୌଣସି ଚୁକ୍ତି କରିବନି। ତା ପାଖରେ ସାଉଦି ଆରବ, ୟୁଏଇ ଏବଂ କତର ଭଳି ଅନ୍ୟ ଦେଶର ବିକଳ୍ପ ରହିଛି। ଏହି ଦେଶ ଗୁଡିକରୁ ଭାରତ ତୈଳ ଆଣିପାରିବ।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପଙ୍କ ନୀତିର ଏକ ବଡ଼ ଲକ୍ଷ୍ୟ ହେଉଛି ଦକ୍ଷିଣ ଏସିଆରେ ଚୀନ୍ର ପ୍ରଭାବକୁ କମ୍ କରିବା। ପାକିସ୍ତାନ ସହ ଚୀନ୍ ମଜବୁତ ଆର୍ଥିକ ସ୍ଥିତି ଏବଂ ସାମରିକ ସମ୍ପର୍କ ଓ ଚୀନ୍-ପାକିସ୍ତାନ ଇକୋନୋମିକ୍ କରିଡରକୁ ପ୍ରଭାବିତ କରିବା। ଟ୍ରମ୍ପ ପ୍ରଶାସନ ମିଆଁମାରରେ ସାମରିକ ଶାସନ ଉପରେ ଟାରିଫ୍ରେ ଛାଡ ଓ ରେୟର ଆର୍ଥ ଡିପ୍ଲୋମାସୀ ପାଇଁ ସ୍ବତନ୍ତ୍ର କୁଟନୈତିଜ୍ଞଙ୍କୁ ନିଯୁକ୍ତ ଦେବା ଭଳି ପଦକ୍ଷେପ ନେଇଛି। ଯାହାଫଳରେ ଚୀନ୍ ଉପରେ ନିର୍ଭରତା କମ୍ କରିହେବ। ପାକିସ୍ତାନ ସହ ବିଜନେସ୍ ଡିଲ୍ ମଧ୍ୟ ଏହି ରଣନୀତିର ଅଂଶ। ଯାହାଫଳରେ ଆମେରିକା ଚୀନ୍ର କ୍ଷମତା ହ୍ରାସ କରି ଦକ୍ଷିଣ ଏସିଆରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହେଁ। ଏହି ଡିଲ୍ ଚୀନ୍-ପାକିସ୍ତାନ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ।