ନୂଆଦିଲ୍ଲୀ ୦୭/୦୩: ସୋସିଆଲ ମିଡିଆରେ ଏକ ଚର୍ଚ୍ଚିତ ଦମ୍ପତିଙ୍କ ଛାଡ଼ପତ୍ର ବେଶ୍‌ ଚହଳ ପକାଇଛି । ୧୨ ବର୍ଷ ପୂର୍ବେ ଏହି ଯୋଡ଼ି ଏପରି ରେକର୍ଡ ବନାଇଥିଲେ ଯାହାକୁ ଆଜି ପର୍ଯ୍ୟନ୍ତ କେହି ବି ଭାଙ୍ଗି ପାରିନାହାନ୍ତି । ଏହି ଯୋଡ଼ି ହେଲେ ଥାଇଲାଣ୍ଡର ଏକ୍କାଚାଇ ତିରାନାରାତ ଏବଂ ତାଙ୍କ ସ୍ତ୍ରୀ ଲକସାନା । ୨୦୧୩ରେ ଏହି ଯୋଡ଼ି ୫୮ ଘଣ୍ଟା ୩୫ ମିନିଟ୍‌ ଧରି ଲଗାତର କିସ୍‌ କରି ଗିନିଜ ବିଶ୍ୱ ରେକର୍ଡ କରିଥିଲେ । ଏବେ ଏହି ଦମ୍ପତି ଅଲଗା ହୋଇଯାଇଛନ୍ତି ।

ଏକ ସାକ୍ଷାତକାରରେ ଏକ୍କାଚାଇ ତାଙ୍କ ଛାଡ଼ପତ୍ର ବାବଦରେ କହିବାବେଳେ ଏହି ରେକର୍ଡକୁ ସେ ନିଜ ଜୀବନର ସବୁଠୁ ଗର୍ବର ମୂହୁର୍ତ୍ତ ବୋଲି ପ୍ରକାଶ କରିଥିଲେ । ସେ କହିଛନ୍ତି, ଏହା ତାଙ୍କ ଜୀବନର ଏକ ସ୍ୱତନ୍ତ୍ର ଅନୁଭବ ଥିଲା । ତାଙ୍କ ପୂର୍ବତନ ସ୍ତ୍ରୀଙ୍କ ସହ ସେ ବହୁତ ସମୟ ବିତାଇଛନ୍ତି ଏବଂ ସେଗୁଡ଼ିକ ସେ ମନେ ରଖିବାକୁ ଚାହାନ୍ତି ।  ଏକ୍କାଚାଇ ଏବଂ ଲକସାନା ୧୨ ବର୍ଷ ତଳେ ଲଗାତର ୫୮ ଘଣ୍ଟା ୩୫ ମିନିଟ୍‌ ପର୍ଯ୍ୟନ୍ତ ପରସ୍ପରକୁ ଚୁମ୍ବନ ଦେଇ ଦୁନିଆକୁ ଚକିତ କରିଦେଇଥିଲେ । କିସିଂରେ ବିଶ୍ୱ ରେକର୍ଡ ପାଇଁ ଉଭୟଙ୍କୁ କଡ଼ା ନିୟମର ସାମ୍‌ନା କରିବାକୁ ପଡ଼ିଥିଲା । ବାଥରୁମ୍‌ ବ୍ରେକ୍‌ ବେଳେ ବି ଉଭୟେ କିସିଂ ଜାରି ରଖିଥିଲେ । ଏପରିକି ଜଣଙ୍କୁ ନିଦ ଲାଗିବା ବେଳେ ଅନ୍ୟ ଜଣେ ତାଙ୍କ ମୁଣ୍ଡ ଥାପୁଡ଼ାଇ ଜାଗ୍ରତ ରଖୁଥିଲେ । ଉଭୟେ ମୂର୍ତ୍ତି ଭଳି ସିଧା ଛିଡ଼ା ହେବାକୁ ୫୮ ଘଣ୍ଟା ଧରି ଚେଷ୍ଟା କରୁଥିଲେ ବୋଲି ଏକ୍କାଚାଇ କହିଛନ୍ତି । ଏହା ପୂର୍ବରୁ ୨୦୧୧ରେ ମଧ୍ୟ ଏହି ଦମ୍ପତି ଲଗାତର ୪୬ ଘଣ୍ଟା ୨୪ ମିନିଟ୍‌ ଧରି କିସ୍‌ କରି ରେକର୍ଡ ବନାଇଥିଲେ । କିନ୍ତୁ ଏହାର ୨ ବର୍ଷ ପରେ ନିଜେ ହିଁ ନିଜର ଏହି ରେକର୍ଡ ଭାଙ୍ଗିଥିଲେ ।