ମାଲକାନଗିରି - ପୋଲାଭରମ ପ୍ରକଳ୍ପ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ସିପିଆଇଏମ ଦଳ। ପ୍ରକଳ୍ପ ଦ୍ୱାରା ୧୮ ହଜାର ଜଙ୍ଗଲ ଜମି ଓ ଚାଷ ଜମି କ୍ଷତିଗସ୍ତ ହେବା ସହ ଶତାଧିକ ଗ୍ରାମ ଜଳରେ ଲୀନ ହେବ, ପୋଲାଭରମ ପ୍ରକଳ୍ପ ଉଚ୍ଚତା କମା ନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ସିପିଆଇଏମ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। 

ଆଜି ମାଲ୍ୟବନ୍ତ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିପିଆଇଏମ ରାଜ୍ୟ ସମ୍ପାଦକ ମଣ୍ଡଳୀର ସଦସ୍ୟ ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ ପୋଲା ଭରମ ପ୍ରକଳ୍ପକୁ ବିରୋଧ କରି କହିଛନ୍ତି ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲା ଅଶେଷ କ୍ଷତିଗ୍ରସ୍ତ ହେବ ସି.ପି.ଆଇ.(ଏମ୍) ପକ୍ଷରୁ ଆନ୍ଦୋଳନ ଆହ୍ବାନ ଦିଆ ଯାଇଛି। ଗତ ୨୦୧୫ ଅକ୍ଟୋବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀର ଶେଷ ମୁଣ୍ଡରେ , ପୋଲାଭରମ ଠାରେ ଏକ ବୃହତ୍ ବହୁମୁଖ୍ୟ ଜଳ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କରି, ଓଡ଼ିଶାର ସ୍ୱାର୍ଥ ପ୍ରତି ଛୁରାଘାତ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ ।

ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ କେନ୍ଦ୍ର ବିଜେପି ସରକାର କେବଳ ଆନ୍ଧ୍ରପ୍ରଦେଶ ଆଞ୍ଚଳିକ ଦଳ ଗୁଡ଼ିକର ସମର୍ଥନ ନିଶ୍ଚିତ କରିବାକୁ, ପୋଲାଭାରମ୍ ଜଳ ପ୍ରକଳ୍ପକୁ ଅଯାଚିତ ଭାବେ କେନ୍ଦ୍ରୀୟ ସହାୟତା ଘୋଷଣା କରି କରିଛନ୍ତି ।

ବର୍ତ୍ତମାନ କେନ୍ଦ୍ରରେ ସଂଖ୍ୟାଲଘିଷ୍ଠ ବିଜେପି ସରକାରର ରକ୍ଷା କବଚ ଭାବେ କାର୍ଯ୍ୟ କରୁଥିବା ଆନ୍ଧ୍ରପ୍ରଦେଶର ତେଲେଗୁ ଦେଶମ୍ ପାର୍ଟିକୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ , ୨୦୨୪-୨୫ ଆର୍ଥିକ ବଜେଟ୍‌ରେ ୧୫୦୦୦ କୋଟି ଟଙ୍କା ଏବଂ ୨୦୨୫-୨୬ ବଜେଟ୍‌ରେ ଆହୁରି ୬୦୦୦ କୋଟି ଟଙ୍କା ବରାଦ କରି ଓଡ଼ିଶାର ସ୍ଵାର୍ଥକୁ ଜଳାଞ୍ଜଳି ଦେଇଛନ୍ତି ।

୪୫.୭୨ ମିଟର ଉଚ୍ଚତା ବିଶିଷ୍ଟ ଏହି ବନ୍ଧ ନିର୍ମାଣ ସଂପୂର୍ଣ ହେଲେ ଗୋଦାବରୀ ନଦୀର ଜଳ ସଂରକ୍ଷିତ ହେବ । ମହାରାଷ୍ଟ୍ରର ତ୍ରିମେଶ୍ୱରରୁ ଉତ୍ପତ୍ତି ହୋଇଥିବା ଗୋଦାବରୀ ନ‌ଦୀ ୧୪୬୫ କିଲୋ ମିଟର ଯାତ୍ରା ପଥରେ ଦକ୍ଷିଣ ଗଙ୍ଗା ରୂପେ ପରିଚିତ । ଓଡ଼ିଶାର ମାଲକାନଗିରି ଜିଲ୍ଲାର ପୂର୍ବ ଓ ପଶ୍ଚିମ ଦିଗରେ ସମାନ୍ତରାଳ ଭାବେ ପ୍ରଭାବିତ ସିଲେରୁ ଓ ସାବେରୀ ନଦୀ ଓଡ଼ିଶାର ମୋଟୁ ଠାରେ ମିଳିତ ହୋଇଛନ୍ତି । ସେଠାରୁ ଏକତ୍ର ପ୍ରଭାବିତ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାର କୁନାଓ୍ବାରା ଠାରେ ଗୋଦାବରୀ ନଦୀରେ ପତିତ ହୋଇଛନ୍ତି । ବର୍ତମାନ ଗୋଦାବରୀ ନଦୀର ଶେଷମୁଣ୍ଡ ରାଜମହେନ୍ଦ୍ରୀ ନିକଟସ୍ଥ ପୋଲାଭରମ୍‌ଠାରେ ବିରାଟ ବନ୍ଧ ନିର୍ମାଣ କରି ଜଳ ଅଟକ ରଖିଲେ ସିଲେରୁ ଓ ସାବେରୀ ନଦୀ ଜଳ ପଶ୍ଚାତ୍‌ଗାମୀ ହେବାକୁ ବାଧ୍ୟ ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ବିଜେପିର ରାଜନୈତିକ ସ୍ୱାର୍ଥରକ୍ଷା ଲାଗି ନୀରବ ଦର୍ଶକ ଭୂମିକା ନେବା ପରିବର୍ତ୍ତେ , ରାଜ୍ୟ ପକ୍ଷରୁ ଡ୍ୟାମର ଉଚ୍ଚତା କମାଇବା, କ୍ଷୟକ୍ଷତିର ସଠିକ୍ ଆକଳନ କରି ଓଡ଼ିଶାର କ୍ଷତି ଭରଣା ପାଇଁ ଆନ୍ଧ୍ରପ୍ରଦେଶ ସରକାର ପୂର୍ଣ୍ଣ ଦାୟିତ୍ଵ ବହନ କରିବା, ଜାତୀୟ ପୁନର୍ବାସ ଓ ପୂନଃ ଥଇଥାନ ଆଇନ ଅନୁଯାୟୀ ସମସ୍ତ କ୍ଷତିର ଭରଣା କରିବା, ଓଡ଼ିଶାର କ୍ଷୟ ସଂପର୍କରେ ଓଡ଼ିଶାରେ ଜନଶୁଣାଣି କରିବା ଏବଂ ରାଜ୍ୟର ସ୍ଵାର୍ଥରକ୍ଷା ପାଇଁ ଓଡ଼ିଶା ସରକାର ତୁରନ୍ତ ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିବାକୁ ସି.ପି.ଆଇ.(ଏମ୍) ଦାବି କରୁଛି ।

ଇତି ମଧ୍ୟରେ ମୋଟୁ, କାଲିମେଳା ପଡ଼ିଆ ଅଞ୍ଚଳରେ ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ କମିଟିର ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ, ଜିଲ୍ଲା ସଂପାଦକ ବ୍ରଜ ମାଝି, ଜିଲ୍ଲା କମିଟି ସଭ୍ୟ ଭୁପେଷ କର୍ମକାର, ଧବଲୁ ବେହେରା, କୃଷ୍ଣ ପାଣ୍ଡି, ମଙ୍ଗୁ ମାଟାମ, ବଳରାମ ଗୋଲରୀ, ରଘୁନାଥ ହନ୍ତାଳ ପ୍ରମୁଖ ଗ୍ରସ୍ତ କରି ଆଜି ମାଲକାନଗିରିରେ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ଦାବି ଉପସ୍ଥାପନ କରିଛନ୍ତି ।