କଟକ ୨୧/୧୦ : ଆଲୋକର ପର୍ବ ଦୀପାବଳି ଅଘଟଣ। ସିଲଭର ସିଟି କଟକରେ ଦୁଇଟି ସ୍ଥାନରେ ବଡ଼ ଅଘଟଣ ଘଟିଛି। ଗୋଟିଏ ସ୍ଥାନରେ ବାଇକ ଓ ଅନ୍ୟ ଏକ ସ୍ଥାନରେ କାର୍ ବାଣ ନିଆଁରେ ପୋଡି ପାଉଁଶ ହୋଇଯାଇଛି। ଚାଉଳିଆଗଞ୍ଜ ଥାନା ଅପର୍ଣ୍ଣାନଗରର ଅଞ୍ଚଳରେ ଚଳନ୍ତା ବାଇକ୍‌ରେ ବାଣ ବିସ୍ଫୋରଣ ଘଟି ଦୁଇ ଗୁରୁତର ହୋଇଥିଲେ।  ୨ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୂଚନା ଥାଉକି, ବାଇକ୍‌ରେ ଦୁଇ ଜଣ ଯୁବକ ବାଣ ନେଇ ଯାଉଥିଲେ । କିଛି ବାଟ ଯିବା ପରେ ମଝି ରାସ୍ତାରେ ବାଇକ୍‌ରେ  ବିସ୍ଫୋରଣ ହୋଇଥିଲା । ଶବ୍ଦ ଏତେ ଜୋର୍‌ରେ ଥିଲା ଯେ ଆଖ ପାଖର ଲୋକେ ଘରୁ ବାହାରି ଆସିଥିଲେ । ବାଇକ୍‌ରେ ଥିବା ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇ ଚିିତ୍କାର କରିଥିଲେ। ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲେ। ବର୍ଣ୍ଣ ଓ୍ବାର୍ଡରେ ଉଭୟଙ୍କ ଚିକିତ୍ସା ଜାରି ରହିଛି। ତେବେ ବିସ୍ଫୋରଣ ବେଳର ସଂପୂର୍ଣ୍ଣ ଘଟଣା ରାସ୍ତା କଡ଼ରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। 

ସେପଟେ କଟକ ସହରର ପିଠାପୁର ଡ଼ାଲମିଲ ଲେନରେ ଜଣେ ବ୍ୟକ୍ତିଙ୍କ ଘରେ  ରଖାଯାଇଥିବା କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ରାତି ପ୍ରାୟ ୧୦.୩୦ ସମୟରେ ନିଆଁ ଲାଗିବା କ୍ଷଣି ଉଗ୍ର ରୂପ ଧାରଣ କରିଥିଲା । କାର ଓ ପରେ ଏକ ଛତା ଓ କମ୍ବଳ ବିକ୍ରି ଦୋକାନ କୁ ବ୍ୟାପି ଯାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । କଟକ ଅଗ୍ନିଶମ କେନ୍ଦ୍ରର ଗୋଟିଏ ଦଳ ଏବଂ ମଧୁପାଟଣା ଅସ୍ଥାୟୀ ଅଗ୍ନିଶମ ଦଳ ତୁରନ୍ତ ଖବର ପାଇ ପହଞ୍ଚିଥିଲେ। ୧୫ ରୁ ଅଧିକ ଅଗ୍ନିଶମ କର୍ମଚାରୀ ପହଞ୍ଚି ଏକ ଘଣ୍ଟା ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ । ଏଥିରେ କାର ଓ ଦୋକାନ ପୂରା ପୋଡି ଯାଇଛି। କାରଟି ଅଜିତ ପାଣିଗ୍ରାହୀଙ୍କ ( ଓଡ଼ି୦୫ ବିଜେଡ୍ ୩୨୭୭) ବାଲେନୋ ବୋଲି ଜଣା ପଡିଛି।​​​​​​​ ତେବେ ବାଣ ପଡ଼ିବା ଯୋଗୁ ନିଆଁ ଲାଗିଥିବା କଥା କହିଛନ୍ତି ଅଗ୍ନିଶମ ଅଧିକାରୀ। .ସମ୍ପତ୍ତି କ୍ଷୟକ୍ଷତି ଆକଳନ କରାଯାଉଛି।