ନୂଆଦିଲ୍ଲୀ, ୧।୯: ପାଟିକୁ ସୁଆଦିଆ ଲାଗୁଥିବା ଏହି କ୍ରିମ୍ ବିସ୍କୁଟ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି ପ୍ରକାରର ବିସ୍କୁଟରେ କୋକେନ୍ ଭଳି ନିଶା ଥାଏ । ଅର୍ଥାତ୍, ଥରେ ଏହାରୁ ଖାଇଲେ ବାରମ୍ୱାର ଖାଇବାକୁ ଇଚ୍ଛା ହୁଏ ଆଉ ପରେ ଅଭ୍ୟାସରେ ପରିଣତ ହୋଇଯାଏ । ଏଗୁଡ଼ିକୁ ଅଧିକ ପରିମାଣରେ ସେବନ କଲେ, ଅନେକ ରୋଗ ମଧ୍ୟ ହୋଇପାରେ ।

ଆଜିକାଲି ପିଲାମାନେ ସାଦା ବିସ୍କୁଟ ଖାଇବାକୁ ପସନ୍ଦ କରୁନାହାନ୍ତି । ସାଦା ବିସ୍କୁଟ ବଦଳରେ ସେମାନେ କ୍ରିମ୍ ବିସ୍କୁଟ ଖାଇବାକୁ ପସନ୍ଦ କରୁଛନ୍ତି । ବଜାରରେ ବିଭିନ୍ନ କମ୍ପାନୀ ଓ ସ୍ୱାଦର କ୍ରିମ୍ ବିସ୍କୁଟ ଉପଲବ୍ଧ । କିନ୍ତୁ, ଏହି ବିସ୍କୁଟଗୁଡ଼ିକ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ । ଏହି କ୍ରିମ୍ ବିସ୍କୁଟରେ କୃତ୍ରିମ ରଙ୍ଗ, ସ୍ୱାଦ ଏବଂ କ୍ରିମ ମିଶାଯାଇଥାଏ । ଏହି ପ୍ରକାରର ବିସ୍କୁଟରେ କୋକେନ ଭଳି ନିଶା ଥାଏ । ଯାହାକୁ ଥରେ ଖାଇଲେ, ଜଣେ ନିଶାଗ୍ରସ୍ତ ହୋଇଯିବ । ଲୋକଙ୍କ ମନରେ ଧାରଣା ଥାଏ ଯେ, ଏହି କ୍ରିମ୍ କ୍ଷୀର ଏବଂ ଅନ୍ୟ ସାମଗ୍ରୀର ମିଶ୍ରଣରୁ ତିଆରି ହୋଇଥାଏ । କିନ୍ତୁ, ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ । ଏହି ବିସ୍କୁଟରେ କ୍ଷୀରରୁ ତିଆରି କ୍ରିମ ନୁହେଁ ବରଂ ପ୍ରେସେଡ କ୍ରିମ୍ ଥାଏ । ଯାହା ହାଇଡ୍ରୋଜେନେଟେଡ ତେଲ, ଅଧିକ ଚିନି ଏବଂ କୃତ୍ରିମ ରଙ୍ଗରୁ ପ୍ରସ୍ତୁତ । କ୍ରିମ୍ ବିସ୍କୁଟରେ ଅଧିକ ଚିନି ଏବଂ କ୍ୟାଲୋରି ଥାଏ । Harvard T.H. Chan School of Public Health ଅନୁସାରେ, ଅତ୍ୟଧିକ କ୍ରିମ୍ ବିସ୍କୁଟ ଖାଇବା ଦ୍ୱାରା ଦ୍ରୁତ ଓଜନ ବୃଦ୍ଧି ପାଇପାରେ । କ୍ରିମ୍ ବିସ୍କୁଟ ଖାଇବା ଫଳରେ ରକ୍ତରେ ଶର୍କରା ସ୍ତର ବଢ଼ିପାରେ । ଏଥିସହ ଶରୀରରେ କୋଲେଷ୍ଟ୍ରଲ ବଢ଼ିପାରେ । ଅତ୍ୟଧିକ ମିଠା ଖାଇବା ଦ୍ୱାରା ହାଇପରଆକ୍ଟିଭିଟି ଏବଂ ଇନସୁଲିନ ପ୍ରତିରୋଧ କିମ୍ବା ଇନସୁଲିନରେ ହଠାତ ବୃଦ୍ଧି ହୋଇପାରେ ।

ତେବେ ଏହି କ୍ରିମ୍ ବିସ୍କୁଟରେ କ’ଣ ମିଶାଯାଉଛି ? ଆସନ୍ତୁ ଜାଣିବା । କ୍ରିମ୍ ଚକୋଲେଟ ବିସ୍କୁଟ କିମ୍ବା ସ୍ୱାଦଯୁକ୍ତ ବିସ୍କୁଟରେ କ୍ଷୀର, ଗ୍ଲୁଟେନ, ସୋୟା, ବାଦାମ ଏବଂ କୃତ୍ରିମ ରଙ୍ଗ ଏବଂ ସ୍ୱାଦ ବ୍ୟବହାର କରାଯାଏ । ଯାହା ଆଲର୍ଜି ସମସ୍ୟା ସୃଷ୍ଟି କରିପାରେ । ଏଥିରେ ସ୍ୱାଦ ନାଁରେ କ୍ଷତିକାରକ ରଙ୍ଗ ବ୍ୟବହାର କରାଯାଏ । ଯାହା ହୃଦ୍‌ଘାତ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା ବୃଦ୍ଧି କରେ ।