ଭୁବନେଶ୍ଵର,୧୫/୧୧ : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ଅଧିକ ସରଳ, ଶୃଙ୍ଖଳିତ ଏବଂ ଲୋକାଭିମୁଖୀ କରିବା ପାଇଁ ୪୪୩୩ଟି ନୂତନ ‘ନର୍ସିଂ ଅଫିସର’ ପଦ ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅନୁମୋଦନ ପରେ ଓଡ଼ିଶା ନର୍ସିଂ ସେବା କ୍ୟାଡରର ଏହି ପଦ ଗୁଡ଼ିକ ସୃଷ୍ଟି କରାଯାଇଛି । ଏହି ପଦ ଗୁଡ଼ିକ ସୃଷ୍ଟି ହେବା ଫଳରେ ସେମାନେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସବ ହେଲଥ ସେଣ୍ଟର ଗୁଡ଼ିକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରିବେ ।

ସରକାରଙ୍କ ଏହି ସିଦ୍ଧାନ୍ତ ଫଳରେ ରୋଗୀ ସେବା ଓ ନର୍ସିଂ ପରିଚାଳନାରେ ଶୃଙ୍ଖଳାବଦ୍ଧତା ବୃଦ୍ଧି ପାଇବ । ହସ୍ପିଟାଲ ପ୍ରତିଷ୍ଠାନରେ ନର୍ସିଂ ସେବାର ଗୁଣୋନ୍ନତି ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ପଦକ୍ଷେପ ରାଜ୍ୟର ସ୍ୱାସ୍ଥ୍ୟ ପରିବେଶକୁ ଆଗାମୀ ଦିନରେ ଅଧିକ ଦକ୍ଷ ଓ ପ୍ରତିବଦ୍ଧ କରିବାରେ ସହାୟକ ହେବ । ସୂଚନା ଅନୁସାରେ, ଏହି ପଦବୀ ଗୁଡ଼ିକୁ ଅର୍ଥ ବିଭାଗ ସହମତି ଦେଇଛି । ଏହାର ଆଗାମୀ ନିୟମାବଳୀ ଯେପରି ପରୀକ୍ଷା, ପ୍ରଶିକ୍ଷଣ, ପୋଷ୍ଟିଂ ଗୁଡ଼ିକ ବିଭାଗ ପକ୍ଷରୁ ଖୁବଶୀଘ୍ର ପ୍ରକାଶ କରାଯିବ ।