ଏହି ୩ ନୋବେଲ ବିଜେତାଙ୍କ କାର୍ଯ୍ୟ ଆମକୁ ମନେ ପକାଇଦିଏ ପ୍ରକୃତ ପ୍ରଗତିରେ ଜୀବନର ଗୁଣାତ୍ମକ ଉନ୍ନତି, ଔଷଧ, ସୁରକ୍ଷିତ ପରିବହନ, ସ୍ୱଚ୍ଛ ଶକ୍ତି, ଉତ୍ତମ ଖାଦ୍ୟ ଏବଂ ଦ୍ରୁତ ଯୋଗାଯୋଗ ଅନ୍ତର୍ଭୁକ୍ତ, ଯାହା ମାନବ କଲ୍ୟାଣକୁ ବୃଦ୍ଧିକରେ । କିନ୍ତୁ ଭାରତ ସମେତ ଅନେକ ଦେଶ ଜାତୀୟ ପ୍ରଗତିର ପ୍ରାଥମିକ ମାପକ ଭାବରେ ଜିଡିପି ଅଭିବୃଦ୍ଧିକୁ ପ୍ରାଥମିକତା ଦେଇଛନ୍ତି ।

ଗତ ଅକ୍ଟୋବର ୧୩ରେ ରୟାଲ ସ୍ୱିଡିସ ଏକାଡେମୀ ଅଫ୍ ସାଇନ୍ସେସ୍ ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ୨୦୨୫ର ନୋବେଲ ପୁରସ୍କାର ଘୋଷଣା କରିଛି । ଏହାକୁ ‘ସ୍ୱେରିଜେସ ରିକ୍ସବ୍ୟାଙ୍କ ପୁରସ୍କାର’ କୁହାଯାଏ । ପ୍ରଥମେ ଅର୍ଥନୀତିରେ ନୋବେଲ ପୁରସ୍କାର ଦିଆଯାଇନଥିଲା । ଆରମ୍ଭର ବହୁବର୍ଷ ପରେ ୧୯୬୯ ମସିହାରେ ଏହା ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ନେଦରଲାଣ୍ଡରେ ଜନ୍ମିତ ଆମେରିକାର ନର୍ଥ ୱେଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟର ପ୍ରଫେସର, ଅର୍ଥନୀତିଜ୍ଞ ଓ ଐତିହାସିକ ଜୋଏଲ ମୋକିର, କଲେଜ ଡି ଫ୍ରାନ୍ସର ଫରାସୀ ଅର୍ଥନୀତିଜ୍ଞ ଫିଲିପ୍ ଆଘିଅନ ଏବଂ ବ୍ରାଉନ ବିଶ୍ୱବିଦ୍ୟାଳୟର ପିଟର ହାୱିଟ ନିରନ୍ତର ଆର୍ଥିକ ଅଭିବୃଦ୍ଧିରେ ଇନୋଭେସନ ବା ନବସୃଜନ ବା ନବପ୍ରବର୍ତ୍ତନର ଭୂମିକା ଏବଂ କିପରି ଆର୍ଥିକ ସ୍ଥାଣୁତାକୁ ରୋକି ସ୍ଥାୟୀ ଅଭିବୃଦ୍ଧି ହାସଲ କରାଯାଇପାରିବ, ତା’ଉପରେ କରିଥିବା ଗବେଷଣା ଯୋଗୁଁ ନୋବେଲ ପୁରସ୍କାର ପାଇବେ । ‘ଦି ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍' ଅନୁଯାୟୀ, ପୁରସ୍କାର ଦୁଇଭାଗରେ ବିଭକ୍ତ କରାଯାଇଥିଲା । ଅଧା ମୋକିରଙ୍କୁ ନିରନ୍ତର ଅଭିବୃଦ୍ଧିର କାରଣଗୁଡ଼ିକ ଏବଂ କିପରି ନବସୃଜନ ଉତ୍ପାଦନ ପ୍ରକ୍ରିୟାରେ ସହାୟକ ହୁଏ, ତାହାର ବୈଜ୍ଞାନିକ କାରଣ ଉନ୍ମୋଚନ କରିବାପାଇଁ ଦିଆଯିବ । ଫିଲିପ୍ ଆଘିଅନ୍ ଏବଂ ପିଟର ହାୱିଟ୍ ନିରନ୍ତର ଅଭିବୃଦ୍ଧି ପଛରେ ଥିବା ବିଭିନ୍ନ କାରଣଗୁଡ଼ିକର ମଧ୍ୟ ଅଧ୍ୟୟନ କରିଥିଲେ । ୧୯୯୨ର ଏକ ପ୍ରବନ୍ଧରେ ସେମାନେ ସୃଜନଶୀଳ ବିନାଶ କୁହାଯାଉଥିବା ଏକ ଗାଣିତିକ ମଡେଲ୍ ନିର୍ମାଣ କରିଥିଲେ ।
ପୁଞ୍ଜିବାଦ ବିକାଶ ପ୍ରକ୍ରିୟାର ନବସୃଜନ ବା ନବପ୍ରବର୍ତ୍ତନ (ଇନୋଭେସନ୍) ପ୍ରକ୍ରିୟା ହେଉଛି କେନ୍ଦ୍ରବିନ୍ଦୁ । ଅର୍ଥନୀତିଜ୍ଞମାନେ ଯାହାକୁ "କ୍ରିଏଟିଭ୍ ଡେଷ୍ଟ୍ରକ୍ସନ' ବା 'ସୃଜନଶୀଳ ବିନାଶ' ବୋଲି କୁହନ୍ତି, ତାହା ହେଉଛି ଇନୋଭେସନ ବା ନବସୃଜନ ପ୍ରକ୍ରିୟାଜନିତ ଅର୍ଥନୈତିକ ଅଭିବୃଦ୍ଧି । ଟେକନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଦ୍ରୁତଗତିରେ ଅଗ୍ରଗତି କରେ ଏବଂ ଆମ ସମସ୍ତଙ୍କୁ ପ୍ରଭାବିତ କରେ । ସୃଜନଶୀଳ ବିନାଶ ସର୍ବଦା ବିଜେତା ଏବଂ ପରାଜିତ ସୃଷ୍ଟିକରେ । ଯେତେବେଳେ ଏକ ନୂତନ ଏବଂ ଉତ୍ତମ ଉତ୍ପାଦ ବଜାରରେ ପ୍ରବେଶ କରେ, ପୁରୁଣା ଉତ୍ପାଦ ବିକ୍ରୟ କରୁଥିବା କମ୍ପାନୀଗୁଡ଼ିକ କ୍ଷତି ସହନ୍ତି । ନବସୃଜନ ବା ଉଦ୍ଭାବନ କିଛି ନୂତନ ସୃଷ୍ଟିକରେ ତେଣୁ ସୃଜନଶୀଳ । ତଥାପି ଏହା ବିନାଶକାରୀ ମଧ୍ୟ, କାରଣ ଯେଉଁ କମ୍ପାନୀର ପ୍ରଯୁକ୍ତିବିଦ୍ୟା ବା ଟେକ୍ନୋଲାଜି ଅକାମି ହୋଇଯାଏ ସେ ପ୍ରତିଯୋଗିତାରୁ ଦୂରେଇଯାଏ । ତାର ବିନାଶ ଘଟେ । ନୂତନ ଉତ୍ପାଦର ସୃଷ୍ଟି ଏବଂ ପୁରୁଣା ଉତ୍ପାଦର ବିଲୟ ପ୍ରକ୍ରିୟା ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିର ଆଧାର ହୁଏ ଏବଂ ଏହାଫଳରେ ବିଶ୍ୱବ୍ୟାପୀ ଲୋକଙ୍କ ପାଇଁ ଜୀବନଧାରଣର ଏକ ଉନ୍ନତ ମାନ, ସ୍ୱାସ୍ଥ୍ୟ ଏବଂ ଜୀବନର ଗୁଣବତ୍ତା ସୃଷ୍ଟିହୁଏ । ଉଦାହରଣ ସ୍ୱରୂପ, ସ୍ମାର୍ଟଫୋନ୍ ଲ୍ୟାଣ୍ଡଲାଇନ୍ ଫୋନ୍ ଏବଂ ପେ ଫୋନ୍ ଏବଂ ଆଲାର୍ମ ଘଣ୍ଟା ଏବଂ କ୍ୟାମେରାକୁ ବିସ୍ଥାପିତ କରିବା । ଇଣ୍ଟରନେଟ୍ ବ୍ୟବହାର ଯୋଗୁଁ ପୋଷ୍ଟ ଅଫିସ ମାଧ୍ୟମରେ ଚିଠି ଦେବା, ନେବା ବନ୍ଦ ହୋଇଯିବା ଓ ଟେଲିଗ୍ରାଫର ସମ୍ପୂର୍ଣ୍ଣ ବିଲୋପ ଘଟିବା ଅନ୍ୟ ଉଦାହରଣ । ବଳଦଚାଳିତ ଶଗଡ଼ଗାଡ଼ି, ଘୋଡ଼ା ତଥା ଗଧଚାଳିତ ଗାଡ଼ି, ଜିପ୍, କାର୍, ଟ୍ରେକର, ବସ୍, ଟ୍ରେନ୍, ରେଳ ଏବଂ ଶେଷରେ ବିମାନ ଉଦ୍ଭାବନ ପର୍ଯ୍ୟନ୍ତ ପରିବହନର ବିକାଶ ଆଦି ନୂତନ, ଅଧିକ ଦକ୍ଷ ଯାତ୍ରା, ଗମନାଗମନର ଏକ ଦୀର୍ଘ ପ୍ରକ୍ରିୟା ହୋଇଛି । ପ୍ରାୟତଃ ପୁରୁଣା ଉତ୍ପାଦଗୁଡ଼ିକୁ ଅଚଳ କରିଦେଇଛି । ନବସୃଜନକୁ ବ୍ୟାଖ୍ୟା କରି, ପୁରସ୍କାରପ୍ରାପ୍ତମାନେ ସୋଲୋଙ୍କ ଦୀର୍ଘକାଳୀନ ଅଭିବୃଦ୍ଧିର ଚୂଡ଼ାନ୍ତ ବାହକ ଭାବରେ ଚିହ୍ନଟ କରିଥିବା ପ୍ରଯୁକ୍ତିବିଦ୍ୟା, ବୈଷୟିକ ଜ୍ଞାନକୌଶଳ ପରିବର୍ତ୍ତନର ଗୁରୁତ୍ୱ ସଂପର୍କରେ ଗଭୀର ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି । ୧୯୮୭ ମସିହାରେ ଅର୍ଥନୀତିରେ ନୋବେଲ ପୁରସ୍କାର ଜିତିଥିବା ରବର୍ଟ ଏମ୍. ସୋଲୋ ଗାଣିତିକ ଅଭିବୃଦ୍ଧି ମଡେଲ ମାଧ୍ୟମରେ ପ୍ରକାଶ କରିଥିଲେ ଯେ, ଅଧିକାଂଶ ଅର୍ଥନୈତିକ ପ୍ରସାର କେବଳ ପୁଞ୍ଜି ଏବଂ ଶ୍ରମ ବୃଦ୍ଧି ନୁହେଁ, ବରଂ ଟେକନୋଲଜି ବା ପ୍ରଯୁକ୍ତିବିଦ୍ୟାର ପ୍ରଗତି ଯୋଗୁଁ ହୋଇଥିଲା ।
‘ସୃଜନଶୀଳ ବିନାଶ' କଥା ଉଠିଲେ ମହାଦେବ ଶିବଙ୍କ କଥା ମନକୁ ଆସେ, ଯାହାଙ୍କ ସୃଷ୍ଟି ଏବଂ ବିନାଶର ନିରନ୍ତର ନୃତ୍ୟ ବ୍ରହ୍ମାଣ୍ଡକୁ ପରିଚାଳନା କରେ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ଅଛି । ଶିବଙ୍କୁ ଧ୍ୱଂସକର୍ତ୍ତା ଏବଂ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା କୁହାଯାଏ । ଜର୍ମାନ ଅର୍ଥନୀତିଜ୍ଞ ଏବଂ ସମାଜବିଜ୍ଞାନୀ ୱର୍ନର ସୋମ୍ବାର୍ଟ (୧୮୬୩-୧୯୬୧) ସୃଜନଶୀଳ ବିନାଶ ଶବ୍ଦ ପ୍ରଥମେ ପ୍ରଚଳନ କରିଥିଲେ । ସୋମ୍ବାର୍ଟ ପ୍ରଥମେ ତାଙ୍କ ୧୯୧୩ ପୁସ୍ତକରେ ‘ସୃଜନଶୀଳ ବିନାଶ' ବ୍ୟବହାର କରି ବର୍ଣ୍ଣନା କରିଥିଲେ । କାଠ ଅଭାବ କିପରି ବିକଳ୍ପ ଏବଂ ନୂତନ ଗରମ ପଦ୍ଧତି ଉଦ୍ଭାବନକୁ ବାଧ୍ୟ କରିଥିଲା ତାହାର ଉଦାହରଣ ଦେଇଥିଲେ । ୧୯୪୨ ମସିହାରେ ଯେତେବେଳେ ଯୋସେଫ୍ ସୁମ୍ପେଟର "କ୍ୟାପିଟାଲିଜମ୍, ସୋସିଆଲିଜମ୍ ଆଣ୍ଡ୍ ଡେମୋକ୍ରାସି' (ପୁଞ୍ଜିବାଦ, ସମାଜବାଦ ଓ ଗଣତନ୍ତ୍ର) ଶୀର୍ଷକ ପୁସ୍ତକ ଲେଖିଥିଲେ, ସେତେବେଳେ ସେ ସୃଜନଶୀଳ ବିନାଶ ସଂପର୍କରେ ଧାରଣା ଦେଇଥିଲେ ।
ସେଥିରେ ସେ ପୁଞ୍ଜିବାଦର ଅଦ୍ଭ୍ୟୁଦୟରେ ନବସୃଜନର ଗୁରୁତ୍ୱ ବିଷୟରେ କହିଥିଲେ, ଯାହାକି ପ୍ରଚଳିତ ବଜାରକୁ ବ୍ୟାଘାତ ପହଞ୍ଚାଇ ନୂଆ ବଜାର ପାଇଁ ସୁଯୋଗ ସୃଷ୍ଟି କରିଥାଏ । ବାସ୍ତବରେ ଯୋସେଫ ସୁମ୍ପେଟରଙ୍କ ‘ସୃଜନଶୀଳ ବିନାଶ’ ଶବ୍ଦ ସେ କାର୍ଲ ମାର୍କ୍ସଙ୍କ ତତ୍ତ୍ୱରୁ ଶିଖିଥିଲେ । ଯଦିଓ କାର୍ଲ ମାର୍କ୍ସ (୧୮୧୮-୧୮୮୩) ଏବଂ ଯୋସେଫ ସୁମ୍ପେଟର ଉଭୟ ପୁଞ୍ଜିବାଦର ଅନ୍ତର୍ନିହିତ ଅସ୍ଥିରତାକୁ ବର୍ଣ୍ଣନା କରିବା ପାଇଁ ସୃଜନଶୀଳ ବିନାଶ ଧାରଣା ବ୍ୟବହାର କରିଥିଲେ, କିନ୍ତୁ ସେମାନଙ୍କର ନିଷ୍କର୍ଷରେ ଭିନ୍ନତା ଥିଲା । ସୁମ୍ପେଟର ସୃଜନଶୀଳ ବିନାଶ ଅର୍ଥ ସେହି ପ୍ରକ୍ରିୟାକୁ ବର୍ଣ୍ଣନା କରିଥିଲେ ଯେଉଁଠାରେ ନବସୃଜନ ପୁରୁଣା ବ୍ୟବସ୍ଥା, ଅଭ୍ୟାସ ଏବଂ ପ୍ରଯୁକ୍ତିବିଦ୍ୟାକୁ ବଦଳାଇଥାଏ । ସୁମ୍ପେଟର ଏହାକୁ ସ୍ଥିର, ଗତିଶୀଳ ବିବର୍ତ୍ତନର ଏକ ପ୍ରକ୍ରିୟା ଭାବରେ ଦେଖିଲେ ଯାହା ପୁଞ୍ଜିବାଦର ସଫଳତା ଏବଂ ଦୀର୍ଘକାଳୀନ ଗତିଶୀଳତାରେ ସାହାଯ୍ୟ କରେ । ଅପରପକ୍ଷରେ ମାର୍କ୍ସ ବିପରୀତ ଭାବରେ ଯୁକ୍ତି ଉତ୍ଥାପନ କରିଥିଲେ ଯେ ପୁଞ୍ଜିବାଦ ବ୍ୟବସ୍ଥାରେ ମୁକ୍ତ ସୃଜନଶୀଳବିନାଶକାରୀ ଶକ୍ତି ଶେଷରେ ପୁଞ୍ଜିବାଦ ବ୍ୟବସ୍ଥାକୁ ଚୂଡ଼ାନ୍ତ ପତନ ଏବଂ ବିନାଶ ଆଡ଼କୁ ନେଇଯିବ ।
ସୁମ୍ପେଟରଙ୍କ ଚିନ୍ତାଧାରା ତାଙ୍କ ସମସାମୟିକ ଜନ୍ ମେନାର୍ଡ କୀନ୍ସଙ୍କ ଚିନ୍ତାଧାରାର ବିପରୀତ ଥିଲା । ଉଦାହରଣ ସ୍ୱରୂପ, କୀନ୍ସ ସ୍ଥିର ସନ୍ତୁଳନରେ ଥିବା ସମୟରେ ଅର୍ଥନୀତିକୁ ସୁସ୍ଥଭାବରେ ଦେଖିଲେ, ଯେତେବେଳେ ସୁମ୍ପେଟର ସନ୍ତୁଳନକୁ ଅସ୍ୱାସ୍ଥ୍ୟକର ଭାବରେ ଏବଂ ନବସୃଜନକୁ ଅର୍ଥନୀତିର ଚାଳକ ଭାବରେ ଦେଖିଲେ । "ଉତ୍ପାଦନ ଶକ୍ତି’ ମଧ୍ୟରେ ପ୍ରଯୁକ୍ତିବିଦ୍ୟା, ଯନ୍ତ୍ରପାତି, କଞ୍ଚାମାଲ ଏବଂ ଶ୍ରମଶକ୍ତିର ଦକ୍ଷତା ଏବଂ ଜ୍ଞାନ ଅନ୍ତର୍ଭୁକ୍ତ । କିନ୍ତୁ ମାର୍କ୍ସ ଯୁକ୍ତି ଦେଇଥିଲେ ଯେ ପ୍ରଯୁକ୍ତିବିଦ୍ୟା ହେଉଛି ଐତିହାସିକ ଏବଂ ସାମାଜିକ ପରିବର୍ତ୍ତନର ପ୍ରାଥମିକ ଚାଳକ, ପୁଞ୍ଜି ନୁହେଁ । ପୁଞ୍ଜିବାଦ ଅଧୀନରେ ପ୍ରଯୁକ୍ତିବିଦ୍ୟା ଏକ ନିରପେକ୍ଷ ଉପକରଣ ନୁହେଁ ବରଂ ମୂଳତଃ ପୁଞ୍ଜିଦ୍ୱାରା ଏବଂ ଏହାର ସେବାରେ ରୂପାୟିତ ହୁଏ । ବିବ୍ରତକର କଥା ହେଉଛି, ପୁଞ୍ଜିବାଦରେ ପ୍ରଯୁକ୍ତିବିଦ୍ୟା ସମଗ୍ର ସମାଜକୁ ଲାଭ ଦେବା ପାଇଁ ନୁହେଁ, ବରଂ ପୁଞ୍ଜିପତିଙ୍କ ପାଇଁ ଲାଭ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶିତ । ସୃଜନଶୀଳ ବିନାଶର ଗୁରୁତ୍ୱ ଏବଂ ତିନି ନୋବେଲ ବିଜେତାଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ, ଅର୍ଥନୀତି ପୁରସ୍କାର କମିଟିର ସଦସ୍ୟ କର୍ଷ୍ଟିନ୍ ଏନଫ୍ଲୋ କହିଛନ୍ତି "ଗତ ୨୦୦ ବର୍ଷ ମଧ୍ୟରେ ବିଶ୍ୱ ମାନବ ଇତିହାସରେ ପୂର୍ବାପେକ୍ଷା ଅଧିକ ଆର୍ଥିକ ଅଭିବୃଦ୍ଧି ଦେଖିଛି । ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ କାର୍ଯ୍ୟ ଆମକୁ ମନେପକାଇ ଦିଏ ଆମେ ଅଭିବୃଦ୍ଧିକୁ ହାଲୁକା ଭାବରେ ନେବା ଉଚିତ୍ ନୁହେଁ । ମାନବ ଇତିହାସର ଅଧିକାଂଶ ସମୟ ପାଇଁ, ସ୍ଥାଣୁତା ବା ଷ୍ଟାଗନେସନ ଏକ ସାଧାରଣ କଥା ଥିଲା ଏବଂ ପ୍ରଗତି ଏକ ବ୍ୟତିକ୍ରମ, ଯାହାକୁ ସୁରକ୍ଷିତ ରଖିବା ଆବଶ୍ୟକ । ଯେହେତୁ ଅଭିବୃଦ୍ଧି ସ୍ୱୟଂଚାଳିତ ନୁହେଁ, ସମାଜକୁ ଆର୍ଥିକ ଅଭିବୃଦ୍ଧି ସୃଷ୍ଟି କରୁଥିବା ଏବଂ ବଜାୟ ରଖିବା କାରକଗୁଡ଼ିକ ଉପରେ ନଜର ରଖିବାକୁ ପଡ଼ିବ ।
ତାଙ୍କ ଗବେଷଣା ମାଧ୍ୟମରେ ଜୋଏଲ୍ ମୋକିର୍ ପ୍ରଦର୍ଶନ କରିଛନ୍ତି ଯେ, ଉପଯୋଗୀ ଜ୍ଞାନର ନିରନ୍ତର ପ୍ରବାହ ଆବଶ୍ୟକ । ନିରନ୍ତର ଅଭିବୃଦ୍ଧି ପାଇଁ ମୋକିର୍ ଦାବି କରୁଥିବା ଆଉ ଏକ କାରଣ ହେଉଛି ସମାଜ ପରିବର୍ତ୍ତନ ପାଇଁ ଖୋଲା ମନୋଭାବ । ସେ ଏହା ମଧ୍ୟ ଦେଖାଇଛନ୍ତି ଯେ, ଏହି କାରଣରୁ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରାୟତଃ ପ୍ରତିଷ୍ଠିତ ସ୍ୱାର୍ଥ ଗୋଷ୍ଠୀଙ୍କ ବିରୋଧର ସମ୍ମୁଖୀନ ହୁଏ, ଯେଉଁମାନେ ଅନୁଭବ କରନ୍ତି ଯେ ସେମାନଙ୍କର ସୁବିଧା ବିପଦରେ ଅଛି । ଗତବର୍ଷର ନୋବେଲ୍ ପୁରସ୍କାର ବିଜେତା ଡାରେନ୍ ଆସେମୋଗ୍ଲୁ ଏବଂ ଜେମ୍ସ ଏ ରବିନସନ୍ ମଧ୍ୟ ସୂଚାଇଛନ୍ତି ଯେ, ସ୍ୱେଚ୍ଛାଚାରୀ ଶାସକ ସମ୍ବଳ ସଂଗ୍ରହ ମାଧ୍ୟମରେ ଅଭିବୃଦ୍ଧି ହାସଲ କରିପାରିବ, କିନ୍ତୁ ଏହି ଅଭିବୃଦ୍ଧି ପ୍ରାୟତଃ ଅସ୍ଥିର ଏବଂ ଏଥିରେ ଦୀର୍ଘକାଳୀନ ନବସୃଜନର ଅଭାବ ରହିଛି । କାରଣ ଏପରି ଶାସନ ନୂତନ ନବସୃଜନ ସହିତ ଆସୁଥିବା "ସୃଜନଶୀଳ ବିନାଶ’କୁ ଭୟ କରନ୍ତି ଏବଂ ଅବରୋଧ କରନ୍ତି । ନିନ୍ଦନୀୟ କଥା ହେଉଛି, ବିଶ୍ୱରେ ବିଭିନ୍ନ ଦକ୍ଷିଣପନ୍ଥୀ ସରକାରଗୁଡ଼ିକ ନବସୃଜନ ପାଇଁ ଆବଶ୍ୟକୀୟ ବୈଜ୍ଞାନିକ ମନୋଭାବ, ସ୍ୱାଧୀନ ଓ ସମାଲୋଚନାମୂଳକ ଚିନ୍ତାଧାରା, ଜିଜ୍ଞାସୁତା ଏବଂ ଏକ ଗବେଷଣା ମାନସିକତାକୁ ନଷ୍ଟ କରୁଛନ୍ତି । ଭାରତରେ ପୁରୁଣା ତଥା ତ୍ରୁଟିପୂର୍ଣ୍ଣ ପରମ୍ପରାକୁ କଠୋର ଭାବରେ ପାଳନ କରିବା, କୁସଂସ୍କାର, ଅନ୍ଧବିଶ୍ୱାସ, ଅସ୍ପଷ୍ଟତା, ବ୍ରେନ୍ ଡ୍ରେନ ବୃଦ୍ଧିପାଇବା, ରିସ୍କ ନେଇ କିଛି କରିବାର ମାନସିକତାର ଅଭାବ ସମସ୍ୟା ସୃଷ୍ଟିକରିଛି । ନବସୃଜନ ପାଇଁ ଗବେଷଣା ଓ ଉନ୍ନୟନରେ ବ୍ୟୟବୃଦ୍ଧି ଆବଶ୍ୟକ । କିନ୍ତୁ ବିଶ୍ୱରେ ଜିଡିପି ଅନୁସାରେ ଇସ୍ରାଏଲ (୫.୪%), ଦକ୍ଷିଣ କୋରିଆ (୪.୨%), ଜାପାନ (୩.୪%), ଜର୍ମାନୀ (୩.୨%), ଆମେରିକା (୨.୯%), ଚାଇନା (୨.୪%) ଗବେଷଣା ଓ ଉନ୍ନୟନରେ ବ୍ୟୟ କରିଲାବେଳେ ଭାରତରେ ଏହା ମାତ୍ର ଜିଡିପିର ୦.୬ରୁ ୦.୭% ଅଟେ, ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ବିଶ୍ୱ ଇନୋଭେସନ ବା ନବସୃଜନ ସୂଚକାଙ୍କ ୨୦୨୫ରେ ୧୩୯ ଦେଶ ମଧ୍ୟରୁ ଅର୍ଥନୀତି ମଧ୍ୟରୁ ଭାରତ ୩୮ତମ ସ୍ଥାନରେ ରହିଛି । ଏଥିରେ ଉନ୍ନତି ଆବଶ୍ୟକ ।
ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ମାନବ ବିକାଶକୁ ଗୁରୁତ୍ୱ ଦେବା ପୂର୍ବରୁ ଅର୍ଥନୀତିଜ୍ଞମାନେ ଜିଡିପି-ସାମଗ୍ରୀ ଏବଂ ସେବାର ମୋଟ୍ ଉତ୍ପାଦନ ଦ୍ୱାରା ଅଭିବୃଦ୍ଧିକୁ ମାପ କରିଥିଲେ । କିନ୍ତୁ ଏହି ୩ଜଣ ନୋବେଲ ବିଜେତାଙ୍କ କାର୍ଯ୍ୟ ଆମକୁ ମନେ ପକାଇଦିଏ ପ୍ରକୃତ ପ୍ରଗତିରେ ଜୀବନର ଗୁଣାତ୍ମକ ଉନ୍ନତି, ନୂତନ ଔଷଧ, ସୁରକ୍ଷିତ ପରିବହନ, ସ୍ୱଚ୍ଛ ଶକ୍ତି, ଉତ୍ତମ ଖାଦ୍ୟ ଏବଂ ଦ୍ରୁତ ଯୋଗାଯୋଗ ଅନ୍ତର୍ଭୁକ୍ତ, ଯାହା ସବୁ ମାନବ କଲ୍ୟାଣକୁ ବୃଦ୍ଧିକରେ । କିନ୍ତୁ ଭାରତ ସମେତ ଅନେକ ଦେଶ ଜାତୀୟ ପ୍ରଗତିର ପ୍ରାଥମିକ ମାପକ ଭାବରେ ଜିଡିପି ଅଭିବୃଦ୍ଧିକୁ ପ୍ରାଥମିକତା ଦେଇଛନ୍ତି । ପ୍ରାୟତଃ ନାଗରିକଙ୍କ ଜୀବନରେ ଗୁଣାତ୍ମକ ଉନ୍ନତିକୁ ସମାନ ଗୁରୁତ୍ୱ ଦେଇନାହାଁନ୍ତି । ପୁନଶ୍ଚ, ନିରନ୍ତର ଅଭିବୃଦ୍ଧି ଓ ସ୍ଥାୟୀ ଅଭିବୃଦ୍ଧି ସମାନ ନୁହେଁ । ନିରନ୍ତର ଅଭିବୃଦ୍ଧି ଯାହା ନିରନ୍ତର ଜିଡିପି ବୃଦ୍ଧି ଉପରେ ଧ୍ୟାନଦିଏ । ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିତ ଅସମାନତା ଏବଂ ଆଣ୍ଟିବାୟୋଟିକ୍ ପ୍ରତିରୋଧ ଏବଂ ପ୍ରାକୃତିକ ସମ୍ପଦର ଦୁରୁପଯୋଗ ଓ ଦ୍ରୁତ ଅବକ୍ଷୟ ଭଳି ଗୁରୁତ୍ୱପୂର୍ଣ୍ଣ ନକାରାତ୍ମକ ପାଶ୍ୱର୍ପ୍ରତିକ୍ରିୟା ସୃଷ୍ଟି କରିପାରେ । କିନ୍ତୁ ସ୍ଥାୟୀ ଅଭିବୃଦ୍ଧି ଭବିଷ୍ୟତ ପିଢ଼ିଙ୍କ ସ୍ୱାର୍ଥକୁ ଧ୍ୟାନଦେଇ ବର୍ତ୍ତମାନର ଆବଶ୍ୟକତା ପୂରଣ କରେ ।
ପରିବେଶ ସୁରକ୍ଷା, ସାମାଜିକ ଏବଂ ଆର୍ଥିକ କାରଣଗୁଡ଼ିକୁ ଏକୀକୃତ କରେ । ମୋକିର ବିଶ୍ୱାସ କରନ୍ତି ଯେ, ପ୍ରଯୁକ୍ତିବିଦ୍ୟା କେତେକ ସମୟରେ ଏହି ସମସ୍ୟାଗୁଡ଼ିକର ସମାଧାନ କରିବାରେ ସାହାଯ୍ୟ କରିପାରିବ, କିନ୍ତୁ ଯେତେବେଳେ ଠିକ୍ ନୀତି କାର୍ଯ୍ୟକାରୀ ହୁଏ। କିନ୍ତୁ ପରିବେଶ ଏବଂ ମାନବ କଲ୍ୟାଣକୁ ହେୟଜ୍ଞାନ କରି ଧନୀ, କର୍ପୋରେଟ୍ ଏବଂ କ୍ଷମତାଶାଳୀ ଲୋକଙ୍କ ସପକ୍ଷରେ ନୀତି କାର୍ଯ୍ୟକାରୀ କରାଯାଇଛି । ନୋବେଲ ପୁରସ୍କାର ବିଜେତାଙ୍କ କାର୍ଯ୍ୟ ଦର୍ଶାଏ, ଆମକୁ ସ୍ଥାୟୀ ଅଭିବୃଦ୍ଧି ପ୍ରତି ବିପଦ ବିଷୟରେ ସଚେତନ ରହିବାକୁ ପଡ଼ିବ ଏବଂ ଏହାକୁ ପ୍ରତିହତ କରିବାକୁ ପଡ଼ିବ । ଯଦି ଆମେ ଏହି ବିପଦଗୁଡ଼ିକୁ ଠିକ୍ଭାବେ ସମ୍ମୁଖୀନ ହେବାରେ ବିଫଳ ହେଉ, ତେବେ ସୃଜନଶୀଳ ବିନାଶ ଓ ସ୍ଥାୟୀ ଅଭିବୃଦ୍ଧି ସମ୍ଭବ ହେବନାହିଁ । ପରିବେଶ ସୁରକ୍ଷା ଏବଂ ସାମାଜିକ ସମାନତା ସହିତ ଆର୍ଥିକ ଆର୍ଥିକ କାର୍ଯ୍ୟକ୍ଷମତା ସମନ୍ୱିତ କରୁଥିବା ସ୍ଥାୟୀ ଅଭିବୃଦ୍ଧି ଅପରିହାର୍ଯ୍ୟ ।