ନୂଆଦିଲ୍ଲୀ: ଗୋଟିଏ ପଟେ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିପାରୁନି, ଅନ୍ୟପଟେ ଏକ୍ସ ଓ୍ବାଇଫ ପିଛା ଛାଡ଼ୁନାହାନ୍ତି । ଭାରତୀୟ ଟିମ୍ର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ଲାଗି ଭାରତୀୟ ଟିମ୍ ଘୋଷଣା ସରିଛି । ହେଲେ ଟିମ୍ରେ ଷ୍ଟାର ବୋଲର ଶାମିଙ୍କୁ ସୁଯୋଗ ମିଳିନାହିଁ । ଏନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ଏବେ ପୁଣି ଶାମିଙ୍କ ପାଇଁ ଆସିଛି ନୂଆ ଟେନସନ୍ । ତାଙ୍କର ପୂର୍ବତନ ପତ୍ନୀ ହସୀନ ଜାହାଁ ଅଧିକ ଆଲିମନି ଦାବି କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଆଲମନି ବାବଦକୁ ଶାମି ଦେଉଥିବା ୪ ଲକ୍ଷ ଟଙ୍କା ତାଙ୍କୁ କମ ଲାଗୁଛି ଏବଂ ସେ ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି । ସୁପ୍ରିମକୋର୍ଟ ହସୀନଙ୍କୁ କହିଛନ୍ତି, ଆମକୁ ୪ ଲକ୍ଷ ଟଙ୍କା ପର୍ଯ୍ୟାପ୍ତ ଲାଗୁଛି । ପରେ କୋର୍ଟ ବେଙ୍ଗଲ ସରକାର ଏବଂ ମହମ୍ମଦ ଶାମିଙ୍କୁ ନୋଟିସ୍ ଜାରି କରିଛନ୍ତି ।
କୋଲକାତା ହାଇକୋର୍ଟ ହସୀନ ଜାହାଁ ଏବଂ ତାଙ୍କ ଝିଅ ପାଇଁ ମାସିକ ୪ ଲକ୍ଷ ଟଙ୍କା ଭରଣପୋଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ୪ ଲକ୍ଷ ଟଙ୍କା ମଧ୍ୟରୁ ୧.୫୦ ଲକ୍ଷ ଟଙ୍କା ହସୀନ ଜାହାଁଙ୍କ ପାଇଁ ଏବଂ ୨.୫୦ ଲକ୍ଷ ଟଙ୍କା ତାଙ୍କ ଝିଅ ପାଇଁ । କିନ୍ତୁ ହସୀନ ଜାହାଁ ଏଥିରେ ସନ୍ତୁଷ୍ଟ ନୁହଁନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ଚାରି ସପ୍ତାହ ମଧ୍ୟରେ କରିବେ ।
ହସୀନ ଜାହାଁ ତାଙ୍କ ଆବେଦନରେ ଦାବି କରିଛନ୍ତି ଯେ, ମହମ୍ମଦ ଶାମିଙ୍କୁ ମାସିକ ୧୦ ଲକ୍ଷ ଟଙ୍କା ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଉ । ତାଙ୍କ ସ୍ତ୍ରୀଙ୍କ ଖର୍ଚ୍ଚ ପାଇଁ ୭ ଲକ୍ଷ ଟଙ୍କା ଏବଂ ତାଙ୍କ ଝିଅର ଭରଣପୋଷଣ ପାଇଁ ୩ ଲକ୍ଷ ଟଙ୍କା ।
ମହମ୍ମଦ ଶାମି ଏବଂ ହସୀନ ଜାହାଁ ୨୦୧୪ ମସିହାରେ ବିବାହ କରିଥିଲେ । କିନ୍ତୁ ୨୦୧୮ ମସିହାରେ ଅଲଗା ହୋଇଯାଇଥିଲେ । ସେବେଠାରୁ ବିବାଦ ଜାରି ରହିଛି। ହସୀନ ଜାହାଁ ଶାମିଙ୍କ ବିରୁଦ୍ଧରେ ଘରୋଇ ହିଂସା ଏବଂ ମ୍ୟାଚ୍ ଫିକ୍ସିଂ ସମେତ ଅନେକ ଗମ୍ଭୀର ଅଭିଯୋଗ ଆଣିଥିଲେ। ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ମହମ୍ମଦ ଶାମିଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି। ସେପଟେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଶାମିଙ୍କୁ ବିସିସିଆଇ ମୁକ୍ତ କରିଛି।
ହସୀନ ଜାହାଁ, ଶାମିଙ୍କ ସହ ତାଙ୍କର କଥାବାର୍ତ୍ତାର ସ୍କ୍ରିନସଟ୍ ଏବଂ ଟେଲିଫୋନ୍ ରେକର୍ଡିଂ ସେୟାର କରି ତାଙ୍କ ଉପରେ ପରକୀୟା ପ୍ରୀତିର ଅଭିଯୋଗ ଆଣିଥିଲେ। ସେ ଶାମି ଏବଂ ତାଙ୍କ ପରିବାର ଉପରେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ମଧ୍ୟ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଶାମିଙ୍କର ବେଙ୍ଗାଲୁରୁ, ପୁଣେ, ଇନ୍ଦୋର ଏବଂ ନାଗପୁରର ବିଭିନ୍ନ ମହିଳାଙ୍କ ସହିତ ସମ୍ପର୍କ ଥିଲା।