ଭୁବନେଶ୍ଵର, ୩୦/୦୧ : ଖୁବଶୀଘ୍ର ନବଦାସ ହତ୍ୟା ମାମଲାର ପର୍ଦ୍ଦାଫାସ୍। ଝିଅ ଦୀପାଳି ଦାସଙ୍କ ମନ୍ତବ୍ୟ ପରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ବଡ଼ ବୟାନ। କହିଲେ ମାମଲାର ସତ୍ୟାସତ, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ଆମୁଳଚୂଳ ତଦନ୍ତ କରୁଛି। ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ। ତାଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି। ଖୁବଶୀଘ୍ର ଖୁଲାସା ହୋଇ ନିର୍ଯାସ ବାହାରିବ।
ସୂଚନା ଥାଉକି, ଗୁରୁବାର ଥିଲା ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ। ଝାରସୁଗୁଡାରେ ଏହି ଅବସରରେ ଆୟୋଜିତ ସ୍ମୃତି ସଭାରେ ଭାବବିହ୍ଵଳ ହୋଇ କହୁ କହୁ କହି ପକାଇଲେ ଝିଅ ଦୀପାଳି ଦାସ। ଦୀପାଳି କହିଥିଲେ ଯେ, ୨୮ ତାରିଖ ଦିନ ବାପାଙ୍କର ଆସିଥିଲା ଦୁଇଟି ମିସ୍ଡ କଲ୍। ସେହିପରି ୨୯ ତାରିଖ ଠିକ୍ ୧୨ଟା ୨୭ରେ ଆସିଥିଲା ଆଉ ଗୋଟିଏ ମିସ୍ଡ କଲ୍, ହେଲେ ମୁଁ ଉଠାଇ ପାରିନଥିଲି। ଆଉ ୧୨ଟା ୪୫ ମିନିଟ୍ ରେ ତାଙ୍କ ସହ ହୋଇଥିଲା ଏକ ବଡ଼ ଅଘଟଣ। ଯାହାକି ଝାରସୁଗୁଡ଼ାବାସୀ କେବେବି ଭୁଲିପାରିବେ ନାହିଁ।
ତେବେ ଦୀପାଳି ଦାସଙ୍କ ଏହି ବୟାନ ପରେ ପ୍ରାରମ୍ଭିକ ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ପୁଲିସ ଏତଲା ଅନୁସାରେ, ୨୦୨୩ ଜାନୁଆରୀ ୨୯ ଦିନ ୧୨ଟା ୧୫ ମିନିଟ୍ ସମୟରେ ଗୁଳିକାଣ୍ଡ ଘଟିଥିବା କଥା ଦର୍ଶାଯାଇଛି। ଏହି ୩୦ ମିନିଟର ତଫାତ ମାମଲାର ସମୟରେଖାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ। ଯଦି ଦୀପାଳି ଦାସଙ୍କ ଦାବି ଫୋନ୍ କଲ୍ ରେକର୍ଡ (CDR) ଓ ଟେଲିକମ୍ ତଥ୍ୟ ଦ୍ୱାରା ପ୍ରାମାଣିତ ହୁଏ, ତେବେ ପୁଲିସର ପ୍ରାରମ୍ଭିକ ତଦନ୍ତ, ଘଟଣାସ୍ଥଳରେ ପହଞ୍ଚିବା ସମୟ, ଆମ୍ବୁଲାନ୍ସ ଓ ମେଡିକାଲ୍ ସହାୟତାର ଟାଇମଲାଇନ୍ ର ପୁନଃ ତଦନ୍ତ ର ଆବଶ୍ୟକତା ପଡିପାରେ। ସମଗ୍ର ଚିତ୍ରକୁ ଦେଖିଲେ, ଗୁଳିକାଣ୍ଡର ସମୟର ପାର୍ଥକ୍ୟ, ସାକ୍ଷ୍ୟ ଗ୍ରହଣର ଧୀମା ଗତି ଓ ତଦନ୍ତର ନିରପେକ୍ଷତା ଉପରେ ଉଠୁଥିବା ସନ୍ଦେହ ସୃଷ୍ଟି କରିଛି।
ଜାନୁଆରୀ ୩୦ ସାଢେ ୫ଟାରେ ଦେଖନ୍ତୁ ପ୍ରମେୟ ମେଡିକାଲ୍ ଆଷ୍ଟ୍ରୋ-
ଏହି ଖବରଟିକୁ ପଢନ୍ତୁ- ବିବାହ ବିଚ୍ଛେଦ ପରେ ବି ତୁଟୁନି ଅଡୁଆ ; ପୁଣି କାଠଗଡ଼ାକୁ ଯିବେ ଅନୁଭବ, ତଳ କୋର୍ଟରେ ଚାଲିବ ମାମଲା