ନୂଆଦିଲ୍ଲୀ: ସଂସଦ ପରିସରରେ ଧସ୍ତାଧସ୍ତି ମାମଲାରେ ତଦନ୍ତ କରିବ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ । ବିଜେପି ଏବଂ କଂଗ୍ରେସ ପକ୍ଷରୁ ହୋଇଥିବା ଦୁଇଟି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ବିଜେପିର ଅଭିଯୋଗ ଆଧାରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ହୋଇଛି । ସେହିଭଳି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଜେପି ସାଂସଦଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା କଂଗ୍ରେସ ।
ଗୁରୁବାର ସଂସଦ ପରିସରରେ ହୋଇଥିବା ଧସ୍ତାଧସ୍ତିରେ ଦୁଇ ଜଣ ବିଜେପି ସାଂସଦ ମହେଶ ରାଜପୁତ ଏବଂ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିଲେ । ସାଂସଦଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଧକ୍କା ଦେଇ ତଳେ ପକାଇ ଦେଇଥିବା ଅଭିଯୋଗ କରିଥିଲା ବିଜେପି । ପରେ ଥାନାରେ ରାହୁଲଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ହିଂସା ଉସୁକାଇବା ଭଳି ଅଭିଯୋଗ କରିଥିଲା ବିଜେପି । ଏହା ପରେ ପୋଲିସ ଲୋକସଭାର ବିରୋଧୀ ଦଳ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏବେ ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବ ।
ମିଳିଥିବା ସୂଚନା ଅନୁସାରେ, ଆହତ ହୋଇଥିବା ବିଜେପିର ଦୁଇ ସାଂସଦଙ୍କ ବୟାନ ରେକର୍ଡ କରିବ କ୍ରାଇମ ବ୍ରାଞ୍ଚ । ସେହିଭଳି ସିସିଟିଭି ଫୁଟେଜ୍ ଏବଂ ମୋବାଇଲ୍ ଭିଡିଓ ମଧ୍ୟ ଯାଞ୍ଚ ହେବ । ଗଣମାଧ୍ୟମର କ୍ୟାମେରା ଫୁଟେଜକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯିବ । ତେବେ ଏଥିପାଇଁ ଲୋକସଭା ବାଚସ୍ପତିଙ୍କ ଅନୁମତିର ଆବଶ୍ୟକତା ପଡ଼ିବ । ରାହୁଲ ଗାନ୍ଧୀ ଏବଂ ଅନ୍ୟ ସାଂସଦଙ୍କୁ ନୋଟିସ ପଠାଇବା ସହ ରାହୁଲ ଗାନ୍ଧୀଙ୍କୁ ପଚରା ଉଚରା କରିପାରେ କ୍ରାଇମ୍ ବ୍ରାଞ୍ଚ । ସେପଟେ କଂଗ୍ରେସର ଅଭିଯୋଗ ଅନୁସାରେ, ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦୁର୍ବ୍ୟବହାର କରାଯାଇଛି । ଏଥିପାଇଁ ଏସସି/ଏସଟି ଆକ୍ଟ ଅଧୀନରେ ମାମଲା ରୁଜୁ ହୋଇଛି ।