ନୀଳଗିରି,୧/୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେଗୁରୁବାର ନଦୀରେ କୁମ୍ଭୀର ଥିବା ନେଇ ଆତଙ୍କ ଖେଳିଛି । ଜଣେ ଶ୍ରମିକ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ପରେ ଏହାର କେତେ ସତ୍ୟତା ରହିଛି ଏ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ନୀଳଗିରି ବ୍ଲକ କୁଳଡିହା ଅଭୟାରଣ୍ୟ ସୀମାନ୍ତ ବାବନ୍ଧ ଅଞ୍ଚଳରେ ଥିବା ବୁଗାଳିବନ୍ଧରୁ କଲରାନଦୀ ମିରିଗିଣୀ ଦେଇ ପ୍ରବାହିତ ହୋଇଛି ।

ସେହି ଅଞ୍ଚଳରେ ଏକ ଇଟା ଭାଟିରେ କାମ କରୁଥିବା ଶ୍ରମିକ ଲୁଗା ଧୋଇବା ପାଇଁ ଯାଇଥିଲା । ପାଣି ଭିତରୁ ୪ ଫୁଟଲମ୍ବର କୁମ୍ଭିର ଭଳି ଦେଖାଯାଉଥିବା ଏକ ଜନ୍ତୁ ଗୋଡ଼କୁ କାମୁଡ଼ି ଦେବାରୁ ତାଙ୍କ ଗୋଡ଼ରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ପରେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରାଯାଇଛି । ଆହତ ହେଲେ ଝାଡ଼ଖଣ୍ଡ ସୁରାକିତା ଅଞ୍ଚଳର ମୁନା ମାଝୀ। ତେବେ ଏହା କୁମ୍ଭୀର ବୋଲି ସ୍ପଷ୍ଟ ସେ ଦେଖିପାରି ନ ଥିବାବେଳେ ପ୍ରକୃତରେ ଏହାର ସ୍ଥିତି ପରଖିବା ପାଇଁ ନୀଳଗିରି ରେଞ୍ଜର ମନ୍ବର ଖାଁ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ପାହାଡ଼ ପାଖରେ ଥିବା ସହ ଗଣ୍ଡ ଭଳି ସ୍ଥାନରେ ହୁଏତ ବଡ଼ ଗୋଧିକା ଆକ୍ରମଣ କରି ଥାଇପାରେ ବୋଲି ରେଞ୍ଜର ଶ୍ରୀ ଖାଁ ଅନୁମାନ କରୁଛନ୍ତି।

ତେବେ ଶ୍ରମିକଙ୍କ ରକ୍ତ ନମୁନା ପରୀକ୍ଷା ପରେ ଘଟଣା ବିଷୟରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ତେବେ ନୀଳଗିରି ଅଞ୍ଚଳରେ କୁମ୍ଭୀର ଆତଙ୍କ ପ୍ରଥମ ଥର ଦେଖା ଦେଇଥିବାବେଳେ ପାଖରେ ସାଳନ୍ଦୀ କେନାଲ କାମ ଚାଲୁ ଥିବାରୁ ହୁଏତ ବର୍ଷା ଦିନେ କୁମ୍ଭୀର ଛୁଆ ଆସି ଥାଇପାରେ ବୋଲି ଅଞ୍ଚଳବାସୀ କହିଛନ୍ତି।