ଭୁବନେଶ୍ୱର,୨୯/୧୨: ରାଜ୍ୟରେ ଅଦିନିଆ ବର୍ଷାରେ ଫସଲ ହାନି ଯୋଗୁ ଚାଷୀଙ୍କ ଦୁର୍ଦ୍ଦଶା ବଢ଼ୁଛି । ଫସଲ କ୍ଷତିର କଷ୍ଟକୁ ସହି ନ ପାରି ୫ଜଣ ଚାଷୀ ଜୀବନ ହାରିଲେଣି । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ଅନ୍ତର୍ଗତ ମଣିତାପୁର ଗ୍ରାମର ମଣିରାମ ମହାନ୍ତି ବିଲରେ ପ୍ରାଣ ହରାଇଛନ୍ତି । ମଣିରାମ କୃଷି ଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଜମି ଚାଷ କରିଥିଲେ । ମଣିରାମଙ୍କ ପରିବାର ସମ୍ପୂର୍ଣ୍ଣ ଚାଷ ଉପରେ ନିର୍ଭର କରୁଥିବାରୁ ବର୍ତ୍ତମାନ ତାଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି । ପୂର୍ବରୁ ଅଦିନିଆ ବର୍ଷାରେ ଫସଲ ହାନି ୪ ଚାଷୀଙ୍କ ପ୍ରାଣ ନେଇଛି । ଗତ ୨୩ ତାରିଖରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ପଞ୍ଚାୟତ ଡୁଙ୍ଗର ଗ୍ରାମର ଚାଷୀ ପୂର୍ଣ୍ଣଚନ୍ଦ୍ର ଦଳେଇ (୬୭) ଉଜୁଡା ଫସଲ ଦେଖି ହିଡ଼ରେ ଟଳି ପଡ଼ିଥିଲେ । ଗୁରୁବାର ଅଦିନିଆ ବର୍ଷାରେ ଚାଷ ନଷ୍ଟ ଯୋଗୁଁ ୩ ଜଣ ଚାଷୀ ଜୀବନ ହାରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗ୍ରାମର ଭାବଗ୍ରାହୀ ମଲ୍ଲିକ (୫୨), ଗଞ୍ଜାମ ଜିଲ୍ଲା ବଡ଼ମାଧବପୁରର ଚାଷୀ ବନମାଳି ପେଣ୍ଠେଇ ଓ ଜଗତସିଂହପୁର ଜିଲ୍ଲାର ଚାନ୍ଦପୁରା ଗ୍ରାମର ଚାଷୀ ଧ୍ରୁବ ଚରଣ ସ୍ୱାଇଁ(୭୨)ଙ୍କର ମୃତ୍ୟୁ ହୋଇଥିଲା । କେବଳ ଅଦିନିଆ ବର୍ଷାରେ ଚାଷ ନଷ୍ଟ ଯୋଗୁଁ ଚାଷୀ କଷ୍ଟ ପାଉନି । କିଛି ଜିଲ୍ଲାରେ ମଣ୍ଡିରେ ଧାନ ବିକ୍ରି କରିବାକୁ ଯିବା ବେଳେ ଚାଷୀକୁ ନିର୍ଯାତନା ମିଳୁଥିବା ଅଭିଯୋଗ ଆସିଛି । କେଉଁଠି ବିଭିନ୍ନ କାରଣ ଦେଖାଇ କଟ୍ନି ଛଟ୍ନି କରାଯାଉଛି ତ ଅନ୍ୟ କେଉଁଠି ମଣ୍ଡିରୁ ମିଲର୍ ଧାନ ଉଠାଉ ନାହାନ୍ତି । ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି ।
ଭବାନୀପାଟଣାରେ ଧାନ ମଣ୍ଡି ଅବ୍ୟବସ୍ଥା ଓ କଟ୍ନି ଛଟ୍ନି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଚାଷୀ ରାସ୍ତାରୋକ କରିଥିଲେ । ଭବାନୀପାଟଣାରେ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । ଭବାନୀପାଟଣା ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ କର୍ମୀ ଓ ଚାଷୀମାନେ ବନ୍ଦ ପାଳନ କରିଥିଲେ । ମଣ୍ଡିରେ ସବୁ ବ୍ୟବସ୍ଥା ଫେଲ୍ ହୋଇଥିବା ବେଳେ ଏଥିପାଇଁ ସରକାରଙ୍କୁ ଦାୟୀ କରିଥିଲେ ସାଗର । ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକରେ ଗତ ୧୦ ତାରିଖରୁ ୩୭ଜଣ ଚାଷୀଙ୍କ ୪୧୨୧ ପ୍ୟାକେଟ ଧାନ ପଡ଼ି ରହିଛି । ଧାନ ଉଠାଇବା ପାଇଁ କୌଣସି ମିଲର୍ ଆସୁନଥିବାରୁ, ସେଠାରେ ରାମପୁର-ଡୁଙ୍ଗୁରିପାଲି ରାସ୍ତାର ପଣ୍ଡାକିଟଲ ଛକର କେନାଲ ବ୍ରିଜ୍ ନିକଟରେ ଚାଷୀ ରାସ୍ତାରେ ଧାନ ବସ୍ତା ରଖି ଆନ୍ଦୋଳନ କରିଥିଲେ । ରାସ୍ତାକୁ ଅବରୋଧ କରି ଭିନ୍ନ ଢଙ୍ଗରେ ପ୍ରତିବାଦ ଜଣାଇଥିଲେ ।
ସେହିପରି ଅନ୍ୟପଟେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଯାହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ । ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଗଞ୍ଜାମର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର, ଆସିକା ଓ ଖଲ୍ଲିକୋଟ ଆଦି ସ୍ଥାନରେ ଫସଲର ସ୍ଥିତି ଅନୁଧ୍ୟାନ କରିବେ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ଫସଲ କ୍ଷତି ସମ୍ପର୍କରେ ପଚାରି ବୁଝିବେ । ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଫସଲହାନି ପାଇଁ ଗତ ୪ ଦିନରେ ୫ଜଣ ଚାଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । କୃଷକମାନଙ୍କ ଅବସ୍ଥା ଗମ୍ଭୀର । ମାତ୍ର ସରକାର ଉଦାସୀନ ହୋଇ ବସିଛନ୍ତି । ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଗ୍ରେନ୍ ଆନାଲାଇଜର ମାଧ୍ୟମରେ କଟ୍ନି ଛଟନି ଚାଲିଛି । କ୍ଷତି ସହି ନପାରି ଯେଉଁଭଳି ଚାଷୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି, ତାହା ଚିନ୍ତାଜନକ । ଯୁଦ୍ଧକାଳୀନ ଭିତ୍ତିରେ ସରକାର ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ।