ଭୋପାଳ, ୧୨/୦୨ : ୧ କିଲୋ ସୁନା, ଅଢେଇ କିଲୋ ରୁପା ଏବଂ ୨୦ ଲକ୍ଷ ନଗଦ କ୍ୟାସ୍... ମଧ୍ୟପ୍ରଦେଶର ଶିବପୁରୀରେ ଗୋଟିଏ ରାତିରେ ଦୁଇଟି ଘରୁ ଦେଢ କୋଟିର ଲୁଟ୍। ଚୋରଙ୍କ କଚେ ପୁଅ ବାର। ଛାତ ବାଟେ ପଶିଲେ କଳାକନା ବୁଲାଇଦେଲେ। ଇନ୍ଦାର ଗାଁରେ ଲୁଟେରା ଆତଙ୍କ, ଗ୍ରାମବାସୀ ଭୟଭୀତ। 

ସୂଚନା ଅନୁଯାୟୀ, ଶିବପୁରୀର ଇନ୍ଦାର ଗାଁର ଚନ୍ଦ୍ରପ୍ରକାଶ ରଘୁବଂଶୀଙ୍କ ପରିବାର ରବିବାର ରାତିରେ ଖାଇପିଇ ଶୋଇ ପଡିଥିଲେ। ବିଳମ୍ଵିତ ରାତିରେ କିଛି ଦୁର୍ବୃତ୍ତ ଛାତ ବାଟେ ଆଶି କ୍ୟାମେରା ଓ ତାଲା ଭାଙ୍ଗି ଘର ଭିତରେ ପଶିଥିଲେ। ଏହାପରେ ଘରେ ଥିବା ୩ଟି ବାକ୍ସ ଭାଙ୍ଗି ସୁନାଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଥିଲେ। ଚନ୍ଦ୍ରପ୍ରକାଶଙ୍କ ଘରୁ ଚୋରି ହୋଇଥିବା ଜିନିଷ ମଧ୍ୟରେ ୧୭ଟି ସୁନା ମୁଦି, ୩ଟି ହାର, ୪ଟି ସୁନା ଚେନ୍, ଗୋଲ୍ଡ କଏନ, ୨ କିଲୋ ରୁପା, ଏବଂ ଅନ୍ୟ ଗହଣା ରହିଛି। ପ୍ରାୟ ୫୦ ରୁ ୬୦ ତୋଳା ସୁନା ଚୋରି ହୋଇଥିବା କୁହାଯାଉଛି। ଖାଲି ସେତିକି ନୁହେଁ ଚନ୍ଦ୍ରପ୍ରକାଶ ମକା ବିକି ଘରେ ୧୫ ଲକ୍ଷ ଟଙ୍କା ରଖିଥିଲେ ଏବଂ ପୂର୍ବରୁ ଘରେ ୫ ଲକ୍ଷ ଟଙ୍କା ରଖିଥିଲେ। ଚୋରମାନେ ସମୁଦାୟ ୨୦ ଲକ୍ଷ ଟଙ୍କା ଚୋରି କରି ନେଇଛନ୍ତି। 

ସେହିପରି ଗ୍ରାମର ଅନ୍ୟ ଜଣେ ବ୍ୟକ୍ତି ରାମବୀର ସିଂ ରଘୁବଂଶୀଙ୍କ ଘରୁ ଚୋରି ହୋଇଛି। ଚୋରମାନେ ତାଲା ଭାଙ୍ଗି ଘରେ ଭିତରେ ପଶି ପ୍ରାୟ ୧୨ ତୋଳା ସୁନା, ୫୦୦ ଗ୍ରାମ ରୁପା ଏବଂ ୩ ରୁ ୪ ହଜାର ଟଙ୍କା ନେଇଯାଇଛନ୍ତି। ଏନେଇ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି।

ଏହି ଖବରଟିକୁ ପଢନ୍ତୁ- ଅହମ୍ମଦାବାଦ ବିମାନ ଦୁର୍ଘଟଣା : 'ବୈଷୟିକ ତ୍ରୁଟି ଯୋଗୁଁ ନୁହେଁ ସୁଚିନ୍ତିତ ପ୍ଲାନିଂ, ପାଇଲଟ୍ ବନ୍ଦ କରି ଦେଇଥିଲେ ଫୁଏଲ୍ ସ୍ଵିଚ୍ !'