ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ରେ କାମ କରୁଥିବା ଯବାନ ମୁନିର ଅହମଦ ସେନାରୁ ତଡା ଖାଇଛନ୍ତି। ଜଣେ ପାକିସ୍ତାନୀ ମହିଳାଙ୍କ ସହ ବିବାହ ଓ ତାଙ୍କ ତଥ୍ୟ ସେନାକୁ ଲୁଚାଇବା ଅଭିଯୋଗରେ ସିଆରପିଏଫ ତାଙ୍କୁ ସେବାରୁ ବରଖାସ୍ତ କରିଛି। ଖବର ମୁତାବକ ଅହମଦଙ୍କ ବର୍ତ୍ତମାନ ଜମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ଥିବା ବେଳେ ଏହି ଘଟଣା ପ୍ରକାଶ ପାଇଛି।
ସିଆରପିଏଫ ସୂଚନା ଅନୁଯାୟୀ, ମୁନିର ଅହମଦ ନିଜର ବିବାହ ସମ୍ପର୍କରେ କୌଣସି ସୂଚନା କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରି ନଥିଲେ। ଯାହା ସୁରକ୍ଷା ନିୟମାବଳୀର ଗୁରୁତର ଉଲ୍ଲଂଘନ ବୋଲି ବିବେଚନା କରାଯାଇଛି। ଏହା ଏକ ସମ୍ବେଦନଶୀଳ ମାମଲା ହେତୁ ବିଭାଗୀୟ ତଦନ୍ତ ପରେ ତାଙ୍କୁ ବରଖାସ୍ତ କରାଯାଇଛି। ଏନେଇ ଶନିବାର ତାଙ୍କୁ ଆଧିକାରିକ ସ୍ତରରେ ସୂଚନା ମଧ୍ୟ ଦିଆ ସରିଛି ବୋଲି ଜଣାପଡିଛି।
ଆପଣଙ୍କୁ ଜମାଇରଖୁ ଯେ, ଅହମ୍ମଦ ସିଆରପିଏଫ ଜୱାନ ଭାବେ ଜମ୍ମୁ ଓ କଶ୍ମୀରରେ କାର୍ଯ୍ୟ କରନ୍ତି। ତେବେ ଗତ ବର୍ଷ ମେ ମାସରେ ସେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଜଣେ ମହିଲାଙ୍କ ସହ ସମ୍ପର୍କରେ ଆସିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା। ସେମାନେ ଅନଲାଇନ ନିକହା ଯୋଗେ ବିବାହ ମଧ୍ୟ କରିଥିଲେ।
ତେବେ ମହିଳା ଜଣକ ଭାରତୀୟ ଭିସା ପାଇଁ ଆବେଦନ ମଧ୍ୟ କରିଥିଲେ। ହେଲେ କୈଣସି କାରଣରୁ ଭିସା ମିଳିବାରେ ବିଳମ୍ୱ ହୋଇଥିଲା। ପରେ ସର୍ଟ ଟର୍ମ ଭିସାରେ ସେ ଗତ ମାର୍ଚ୍ଚ ମାସରେ ଭାରତରେ ପହଞ୍ଚି ଥିଲେ। ତାଙ୍କ ଭିସାର ଅବଧି ମାର୍ଚ୍ଚ ୨୨ ତାରିଖରେ ଶେଷ ହୋଇଥିଲା। ଏହା ମଧ୍ୟରେ ତାଙ୍କ ଓକିଲ ତାଙ୍କ ପାଇଁ ଲଙ୍ଗ ଟର୍ମ ଭିସା ପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ନାଗରିକଙ୍କ ପାଇଁ ସମସ୍ତ ଭିସା ରଦ୍ଧ କରିଥିଲେ।
ଏହାପରେ ତାଙ୍କୁ ଦେଶ ଛାଡିବା ପାଇଁ ଭାରତ ସରକାର ନୋଟିସ ମଧ୍ୟ ପଠାଇଥିଲେ। ହେଲେ ସେ ଅଟାରୀ-ୱାଘା ବର୍ଡର କ୍ରସ କରିବାର କିଛି ସମୟ ପୂର୍ବରୁ ତାଙ୍କୁ କୋର୍ଟ ରିଲିଫ ପ୍ରଦାନ କରିଥିଲେ। ଏହାପରେ ସପୂର୍ଣ୍ଣ କୋର୍ଟ ରାୟ ନଆସିବା ଯାଏ ସେ ଭାରତରେ ରହିବେ ବୋଲି ଜଣାପଡିଛି।
ଏନେଇ ସିଆରପିଏଫ ଅଧିକାରୀମାନେ କହିଛନ୍ତି ଯେ, ଏଭଳି ଘଟଣା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ବିଶେଷକରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟରତ ଯବାନଙ୍କ କ୍ଷେତ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ। ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟ ସମ୍ଭାବ୍ୟ ସୁରକ୍ଷା ଉଲ୍ଲଂଘନ ଆଶଙ୍କା ଉପରେ ମଧ୍ୟ କଡା ନଜର ରଖାଯାଇଛି। ତେବେ ଏହା ସିଆରପିଏଫର ଅଭ୍ୟନ୍ତରୀଣ ଶୃଙ୍ଖଳା ଏବଂ ସୁରକ୍ଷା ନିୟମ ପାଳନ ଉପରେ କଡ଼ା ନୀତିକୁ ସୂଚାଉଛି।